ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଚରା ଧୋତି

ଭୁବନେଶ୍ୱର: ଧେ ବିଭିନ୍ନ ଜଳବାୟୁ ଅବସ୍ଥାକୁ ନେଇ ପାରମ୍ପରିକ ପୋଷାକ ପରିଧାନର ବ୍ୟବସ୍ଥା ହୋଇଆସିଛି । ଯେମିତି ଅତ୍ୟଧିକ ଥଣ୍ଡା ପରିବେଶରେ କୁର୍ତ୍ତା ପାଇଜାମା ଓ ଟ୍ରପିକାଲ କଣ୍ଡିସନରେ ଧୋତି-ଜାମା ପିନ୍ଧିବାର ପରମ୍ପରା ତିଆରି ହାଇଛି । ଯଦିଓ ଓଡ଼ିଶାର ଜଳବାୟୁରେ ସେମିତି କିଛି ପରିବର୍ତ୍ତନ ପରିଲକ୍ଷିତ ହେଇନାହିଁ, ତଥାପି ଓଡ଼ିଆଙ୍କ ପୋଷାକ ପରିଧାନର ଶୈଳୀରେ ପ୍ରବଳ ପରିବର୍ତ୍ତନ ହୋଇସାରିଛି । ଅଳ୍ପ କିଛି ସମୟ ମଧ୍ୟରେ, ଆମ ପଖାଳଖିଆ ଓଡ଼ିଆ ଲୋକମାନେ ପାଶ୍ଚାତ୍ୟ ପୋଷାକ ଏବଂ ପରମ୍ପରା ଦ୍ୱାରା କେତେବେଳେ ପ୍ରଭାବିତ ହୋଇଗଲେ ଜଣା ବି ପଡ଼ିଲାନି! ବହୁ ପାଶ୍ଚାତ୍ୟ ସଂସ୍କୃତିକୁ ଆମ ଓଡ଼ିଆମାନେ ଫଟାଫଟ୍‌ ଗ୍ରହଣ କରିନେଲେ, ଯେମିତିକି ବାହାଘର ବି ସମ୍ପୂର୍ଣ୍ଣ ନୂଆ ଷ୍ଟାଇଲରେ ହେଉଛି, ଯେଉଁଥିରେ ଅଛି ସଙ୍ଗୀତ, ମେହେନ୍ଦି, ହଳଦୀ ଇତ୍ୟାଦିି । ଲୋକମାନେ ଏହାକୁ ଅଫିସ୍‌ କିମ୍ବା ପାର୍ଟିରେ ପିନ୍ଧିବାକୁ ଅପସନ୍ଦ କଲେ, ଘୃଣା ମଣିଲେ, ଡରିଲେ କାଳେ କିଏ ମଫସଲୀ କହିଦେବ? ହଠାତ୍‌ କାହିଁକି କେଜାଣି "ବିଚରା ଧୋତି’ ପ୍ରତି ଓଡ଼ିଆଙ୍କର ଏତେ ଘୃଣାଭାବ ଜାତହେଲା ଜାଣିହେଲାନି । ଖରାଦିନେ, ଗରମରେ ଡହଳ ବିକଳ ହେଉଥିଲାବେଳେ ବି ଆମ ବର ଓ ବରଯାତ୍ରୀମାନେ ଧୋତି ପରିବର୍ତ୍ତେ ଲଣ୍ଡନରୁ ଆଣିଥିବା କୋଟ୍‌-ଟାଇ ପିନ୍ଧା ଦୃଶ୍ୟ ବଡ଼ ବିଚିତ୍ର ଲାଗେ । ଏ ଓଡ଼ିଆମାନଙ୍କର ହୀନମାନ୍ୟତା ଯୋଗୁଁ ହେଉ ବା ବେଶୀ ଆଡଭାନ୍‌ସ ସମାଜର ସଦସ୍ୟ ଭାବରେ ନିଜକୁ ପ୍ରତିପାଦନ କରିବା ପ୍ରୟାସ ଯୋଗୁଁ ହେଉ, ସେ ସୁନ୍ଦର ପତଳା ସୂତାର ଧୋବ ଫରଫର ଧୋତିକୁ ପୂରା କଳା ତାଲିକାଭୁକ୍ତ କରିଦେଲେ ଆମ ପ୍ରିୟ ଓଡ଼ିଆମାନେ ।

ମୋ ଦେଖିବାରେ, କିଛି ବର୍ଷ ପୂର୍ବେ କିଛି ସେକ୍ରେଟେରିଏଟ କର୍ମଚାରୀ ଧୋତି ପରିଧାନ କରି ଅଫିସ୍‌ ଯାଉଥିଲେ । ପ୍ରାୟ ସବୁ ରାଜନେତା ବଡ଼ ଆଦର ସହ ଧୋତି ପରିଧାନ କରୁଥିଲେ । ଗାଁ ଗହଳିରେ ପୂଜା ପର୍ବପର୍ବାଣୀରେ, ବାହାଘର ଓ ବ୍ରତରେ ଧୋବ ଫରଫର ଧୋତିରେ ଆମ ଓଡ଼ିଆମାନେ ଭାରି ବଢ଼ିଆ ଦିଶନ୍ତି । ମନେଅଛି, ବାହାଘର ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ଥାଏ "ବେଭାର ଚଳାଚଳି', ମାନେ- ଝିଅଘର କେତେ ଯୋଡ଼ା ଧୋତି ଦେଲେ ଆଉ ପୁଅଘରବାଲା କେତେ ଯୋଡ଼ା ଧୋତି ପ୍ରଦାନ କଲେ, ସେଥିରେ ଜଣାପଡ଼ିଥାଏ କାହାଘର କେତେ ସମ୍ଭ୍ରାନ୍ତ ଶ୍ରେଣୀର! କିନ୍ତୁ ଆଜି ଧୋତି ତାର ଗୁରୁତ୍ୱ ହରାଇ ସାରିଛି । ବିଚରା ଧୋତିଟି ଆଜି ସେଦିନର ମାଗୁଣୀର ଶଗଡ଼ ପରି ଅଲୋଡ଼ା ହୋଇ ଟିଣବାକ୍ସରେ କଳଙ୍କି ଲାଗି କଇଁକଇଁ କାନ୍ଦୁଛି । ଆଜିକାଲି ତ ଅଫିସ୍‌ କଥା ଛାଡ଼ିଦିଅନ୍ତୁ ଆଜ୍ଞା, ରାଜନେତାମାନେ ବି ଧୋତି ବର୍ଜନ କରିସାରିଲେଣି । କେବଳ ମାତ୍ର ଦୁଇ ତିନିଜଣ ରାଜନେତା ଆଜି ଧୋତି ପରିଧାନ କରିବାର ନଜରକୁ ଆସେ, ସେମାନେ ହେଲେ ଖାରବେଳ ସ୍ୱାଇଁ, ନୃସିଂହ ମିଶ୍ର, ଦାମ ରାଉତ, ପ୍ରଫୁଲ୍ଲ ଘଡ଼େଇ ଓ ପଞ୍ଚାନନ କାନୁନଗୋ ।

ବମ୍ବେରେ ଥିଲାବେଳେ ଦେଖିଛି ଦୁର୍ଗାପୂଜା ଦିନ ସବୁ ବଙ୍ଗାଳୀ ପାରମ୍ପରିକ ଧୋତି ପରିଧାନ କରି ଏକତ୍ରିତ ହୋଇ ନିଜକୁ ଏକ ସଂସ୍କୃତିସମ୍ପନ୍ନ ଜାତି ବଙ୍ଗାଳୀ ବୋଲି ଦେଖେଇ ହେବାର ଗର୍ବ ଅନୁଭବ କରୁଥିବାବେଳେ ଆମେ କେତେଜଣ ଦରିଦ୍ର କଣରେ ବସି ପ୍ୟାଣ୍ଟସାର୍ଟର ଇସ୍ତ୍ରୀଭାଙ୍ଗ ଉପରେ ଧ୍ୟାନଦେଇ ସାବ୍ୟସ୍ତ କରିବା ପ୍ରଚେଷ୍ଟାରେ ଥିଲୁ ଯେ, ଆମେ କେତେ ଆଧୁନିକ! କେରଳରେ ଥିଲାବେଳେ ସେମିତି ପର୍ବପର୍ବାଣୀ କଥା ଛାଡ଼ନ୍ତୁ, ପ୍ରାୟ ଅଫିସ୍‌, କୋର୍ଟ କଚେରି ସବୁଆଡ଼େ ଧୋତି! ବାହାଘର ଦିନ ତ ଜଣେ କେହି ଯୁବକ ବା  ବୟସ୍କ କେହିଜଣେ ବି ଧୋତି ନପିନ୍ଧିବାର ଦୃଶ୍ୟ ଦେଖାଯାଏନାହିଁ । ଏହି ହସ୍ତତନ୍ତ ଧୋତି ବା ମୁଣ୍ଡୁ କେରଳରେ ମହତ୍ତ୍ୱପୂର୍ଣ୍ଣ ସାଂସ୍କୃତିକ ମୂଲ୍ୟବୋଧର ପ୍ରତୀକ  ଆଜିଯାଏ  । ଓନମ ପର୍ବ, ଯାହା ରାଜ୍ୟର ଅମଳ ପର୍ବ ଏବଂ ଅନ୍ୟତମ ପ୍ରମୁଖ ଉତ୍ସବ ସମୟରେ ମୁଣ୍ଡୁ ବା ଧୋତି ବହୁତ ଲୋକପ୍ରିୟ । ଏମିତି ସବୁ ଦକ୍ଷିଣ ଭାରତୀୟମାନେ ସେମାନଙ୍କ ପାରମ୍ପରିକ ଧୋତିକୁ ନେଇ ଗର୍ବିତ । ଭାରତର ସାଂସଦ ଭବନରେ ବି ପ୍ରାୟ ସବୁ ଦକ୍ଷିଣ ଭାରତୀୟଙ୍କୁ ସମସ୍ତେ ଧୋତିରେ ହିଁ ଦେଖିପାରନ୍ତି । ବ୍ୟତିକ୍ରମ କେବଳ ଆମ ଓଡ଼ିଆମାନଙ୍କର । କିଛି ଜଣାପଡ଼ିଲାଣି କେତେବେଳେ ଏମାନେ ଟିଭି ଦେଖୁଦେଖୁ ଏକଦମ୍‌ ଅଙ୍ଗ୍ରେଜି ବାବୁ ହୋଇଗଲେ ହଠାତ୍‌ ।

ଓଡ଼ିଶାରେ ହେଉ ବା ଭାରତରେ, ଧୋତି ପୁରୁଷମାନଙ୍କର ଏକ ପାରମ୍ପରିକ ପୋଷାକ । ଏହାକୁ କେତେକ ସ୍ଥାନରେ ପଞ୍ଚା, ମର୍ଦନି ବା ଭେସ୍‌ଟି କୁହାଯାଏ । ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, ଓଡ଼ିଶା, କୋଙ୍କଣ ଓ ଗୋଆରେ ଅଧିକାଂଶ ଲୋକ ଧୋତି ପିନ୍ଧନ୍ତି । ଉତ୍ତର ଗୁଜରାଟ ଓ ଦକ୍ଷିଣ ରାଜସ୍ଥାନରେ ପଞ୍ଚ (ଧୋତି) ସହ ଦେହକୁ ଘୋଢ଼େଇବାକୁ ଗୋଟିଏ ଛୋଟ କୁର୍ତ୍ତା ବା କେଡ଼ିଆ ପିନ୍ଧନ୍ତି । ବିହାରର କିଛି ସ୍ଥାନରେ କୁର୍ତ୍ତା ସହ ଧୋତି ପିନ୍ଧନ୍ତି, ଯାହାକୁ ଧୋତି-କୁର୍ତ୍ତା କହନ୍ତି । ପଶ୍ଚିମବଙ୍ଗରେ ଧୋତି ସହ ପଞ୍ଜାବୀ ପିନ୍ଧନ୍ତି ଓ ତାହାକୁ ଧୋତି-ପଞ୍ଜାବୀ କହନ୍ତି । ଆନ୍ଧ୍ରପ୍ରଦେଶରେ ଚୋକ୍କା(କୁର୍ତ୍ତା) ବା ଜୁକ୍ରା ସହ ଧୋତି ପିନ୍ଧନ୍ତି । ଆସାମରେ ଏହି ପୋଷାକ ଯୁଗଳକୁ ସୁରିୟା ପଞ୍ଜାବୀ କହନ୍ତି । ବିଭିନ୍ନତା ଓ ଷ୍ଟାଇଲ ଧୋତିକୁ ତାମିଲନାଡୁରେ ଭେଷ୍ଟି ଓ କେରଳରେ ମୁଣ୍ଡୁ କହନ୍ତି । ଆନ୍ଧ୍ରପ୍ରଦେଶରେ ଏହାକୁ ପଞ୍ଚ ଓ କର୍ଣ୍ଣାଟକରେ ପଞ୍ଚେ, ମହାରାଷ୍ଟ୍ରରେ ଧୋତର, ପଶ୍ଚିମବଙ୍ଗରେ ଧୁତି କହନ୍ତି । ସଂସ୍କୃତ ଭାଷାରେ ପାଞ୍ଚ ଓ ଧୁବତି ଶବ୍ଦମାନଙ୍କର ଅର୍ଥ ସଂଖ୍ୟା ପାଞ୍ଚ । ଏହା ଧୋତିର ପାଞ୍ଚ ହାତ ଲମ୍ବକୁ ବା ଦକ୍ଷିଣ ଭାରତୀୟ ପଦ୍ଧତିରେ ଧୋତି ପିନ୍ଧିବାବେଳେ ତାହାର ପାଞ୍ଚଟି ଗଣ୍ଠିକୁ ଲକ୍ଷ୍ୟକରି ଲେଖା ହୋଇପାରିଥାଏ ।

ଅନ୍ୟ ଭାରତୀୟମାନଙ୍କୁ ଧୋତି ପିନ୍ଧିଥିବାର ଦେଖିଲେ ଭାରି ମନଦୁଃଖ ହୁଏ, ଆମ ଏହି ଦରିଦ୍ର ମାନସିକତା ଓଡ଼ିଆମାନଙ୍କ ପ୍ରତି ଦୟା ଲାଗେ । ସ୍ଥିର କଲି ପ୍ରତ୍ୟେକ ପୂଜାପର୍ବାଣୀରେ ମୁଁ ନିଶ୍ଚୟ ଧୋତି ପିନ୍ଧିବି, କେହି ଜଣେ ତ ଆରମ୍ଭ କରୁ! ଧୋତିକୁ ଷ୍ଟାଇଲରେ ପିନ୍ଧିବାର ଏକ କ୍ଲାସିକ୍‌ ଉପାୟ ହେଉଛି ଏହାକୁ ଏକ ସୁସଜ୍ଜିତ କୁର୍ତ୍ତା ସହିତ ପରିଧାନ କରିବା କିମ୍ବା ଅଧିକ ସମସାମୟିକ ମୋଡ଼ ଦେବାପାଇଁ, ଧୋତି-କୁର୍ତ୍ତା ସହିତ ଏକ ଷ୍ଟାଇଲିସ୍‌ ଜ୍ୟାକେଟ୍‌ ଯୋଡ଼ିବାକୁ ଚିନ୍ତା କରାଯାଇପାରେ! କୌଣସି ଉତ୍ସବରେ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ପୋଷାକ ହେଉଛି ଆମ ଧୋତି, ଏହା ଏକ ପାରମ୍ପରିକ ଏବଂ ଚମତ୍କାର ଲୁକ୍‌ ସହିତ ଏକ ଅଭିନ୍ନ ଏବଂ ସମ୍ମାନନୀୟ ବ୍ୟକ୍ତିତ୍ୱର ପରିଚୟ  ସୃଷ୍ଟି କରିଥାଏ! ତେଣୁ ୧୯୯୫ ମସିହାରୁ ଆଜିଯାଏ ମୁଁ ଧୋତି ପିନ୍ଧିବାର ମୌକା ଜମା ହାତଛଡ଼ା କରିନି । ବେଳେବେଳେ ମୋ ସ୍ତ୍ରୀ ବାରଣ ବି କରିଛି । କୁହେ- ଧୋତିଟା କ’ଣ ପିନ୍ଧୁଛ ମ! ମରହଟିଆ ଦିଶୁଛ ଧୋତିରେ । କିନ୍ତୁ ତଥାପି ମୁଁ  ଧୋତି ଛାଡ଼ିନି ଆଜିଯାଏ । ଦିନେ ମୋ ସ୍ତ୍ରୀ ତା’ ବାପଘରକୁ ଯାଇଥାଏ । ମୋ ଝିଅ କହିଲା- ପାପା, ରୋଷେଇ କାହିଁକି କରିବା, ଚାଲୁନା ଗୋଟେ ବଡ଼ ହୋଟେଲରେ ଖାଇବା ଆଜି? ଯଦିଓ ମୁଁ ହୋଟେଲ ବହୁତ କମ୍‌ ଯାଏ, ସେଦିନ କିନ୍ତୁ ମେଫେୟାର ହୋଟେଲ ଗଲୁ । ଧୋତି ପିନ୍ଧିଲି, ଷ୍ଟାଇଲରେ ଆଖିରେ ଭଗ୍‌ ବ୍ରାଣ୍ଡର ଗାନ୍ଧି ଫ୍ରେମ୍‌ର କଳାଚଷମା, ଜୋତା ଓ କୋଟ୍‌ ପିନ୍ଧି ବାହାରି ପଡ଼ିଲି । ମୋ ଝିଅ କହିଲା- ଓଃ! ପାପା କି ହାଣ୍ଡସମ୍‌ ଦିଶୁଛ ମ! ମେଫେୟାରରେ ପୁଣି ଧୋତି? ବଢ଼ିଆ! ମୁଁ ଟିକେ ଫୁଲିଗଲି । ପ୍ରବେଶ କରୁ କରୁ ସମସ୍ତଙ୍କ ନଜର ଆମ ଆଡ଼େ! ମୋ ଝିଅ ମତେ ଚିମୁଟୁଥାଏ । ୱେଟରମାନେ ବି ଚାହୁଁଥିଲେ ମତେ । ମୋ ପାଇଁ ପ୍ରଥମେ କକ୍‌ଟେଲ, ବ୍ଲୋଡି ମେରୀ ଓ ଝିଅ ପାଇଁ ମୋକଟେଲ ଅର୍ଡର ଦେଲାରୁ ଛାନିଆ ହେଇଗଲା ସେ ଅର୍ଡର ନେଉଥିବା ଝିଅଟା । ଧୋତି ସହିତ କକ୍‌ଟେଲର କମ୍ବିନେସନ ବୁଝିବା ତା’ପକ୍ଷେ ସମ୍ଭବ ହେଉନଥିଲା ବୋଧେ! ସତରେ ମୁଁ ସେଦିନ ମେଫେୟାର ଷ୍ଟାର ଆକର୍ଷଣ ଥିଲି, ଗର୍ବିତ ହେଉଥିଲି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଥିଲି ମୁଁ! ତା’ ପାପାର ଆତ୍ମବିଶ୍ୱାସରେ  ଝିଅଟା ବି ମୋର ଗର୍ବ ଅନୁଭବ କରୁଥିଲା! ଆପଣମାନେ ବି ଥରେଅଧେ ସେମିତି ଅନୁଭବ ନିଅନ୍ତୁନା? ଦେଖିବେ ଆମ ପାରମ୍ପରିକ ପୋଷାକ ପାଇଁ କେତେ ଗର୍ବ ଅନୁଭବ ହେବ!

ନିକଟରେ ସିନେମା ଅଭିନେତା ରଣଦୀପ ହୁଦା ଓ ମଣିପୁର ଝିଅ ଲାଇଶ୍ରମଙ୍କ ବାହାଘର ମଣିପୁରର ମତେଇ ପରମ୍ପରାର ଚିତ୍ର ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଦେଇଥିଲା । ସମଗ୍ର ବିଶ୍ୱବାସୀ ଆମ ମଣିପୁରର ସଂସ୍କୃତି ଓ ପରମ୍ପରାରେ ବିମୋହିତ ହୋଇଯାଇଥିଲେ । ଥରେ ଚିନ୍ତା କରନ୍ତୁ, ଏହି ଟିଭି ସଂସ୍କୃତିରୁ ବାହାରିଆସି ଯଦି ଆମେ ପୁଣି ଥରେ ଅସଲି ଓଡ଼ିଆ ପରମ୍ପରାରେ ପୋଷାକ ପରିଧାନ କରି ଆମର ବାହାଘର ବ୍ରତ ଆଦି ପାଳନ କରନ୍ତେ, କେତେ ସୁନ୍ଦର ହୁଅନ୍ତା ସତରେ! ଆମେ ରସଗୋଲା ଦିବସ, ପଖାଳ ଦିବସ, ଗୋଲାପ ଦିବସ, ଭାଲେଣ୍ଟାଇନ ଦିବସ ଆଦି ପାଳନ କରୁଛେ, ଥରେ ଏ "ବିଚରା ଧୋତି ଦିବସ’ ପାଳନ କଲେ ହୁଅନ୍ତାନି?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.