ମାଲକାନଗିର,୨୭।୮(ଆପ୍ର): ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ସେବାରେ ଥିବା ଏସି ବସ ଗୁଡିକୁ ବିରୋଧ କରିଛି ଜିଲ୍ଲାର ଘରୋଇ ବସ ମାଲିକ ସଂଘ । ଏହି ଏସି ବସ ସେବା ବନ୍ଦ କରିବାକୁ ଦାବି କରି ଆଜି ବସ ଷ୍ଟାଣ୍ଡ ଠାରେ ଘରୋଇ ବସ ମାଲିକ ସଂଘ ପକ୍ଷରୁ ଧାରଣା ଦିଆଯାଇଛି। ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା ରାଜ୍ୟକୁ ଯାଉଥିବା ୪୫ ଟି ରୁଟରେ ଘରୋଇ ବସ ଚଳାଚଳ କରୁଥିବା ୫୬ ଟି ଘରୋଇ ବସ ବନ୍ଦ କରି ଦେଇଛି ମାଲିକ ସଂଘ ।
ବ୍ଲକ ସଦର ମହକୁମାରୁ ଜିଲ୍ଲା ସଦର ମହକୁମାକୁ ଯାତାୟତ କରୁଥିବା ଶୀତତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସକୁ ବିରୋଧ କରି ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସ ଚଳାଚଳ ବନ୍ଦ କରାଯାଇଥିବା ବେଳେ ଏଥିଲାଗି ଯାତ୍ରୀ ମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ବନ୍ଦ ନେଇ ସଂଘ ପକ୍ଷରୁ ପୂର୍ବରୁ ପ୍ରଶାସନ ଓ ଲୋକଙ୍କୁ ଅବଗତ କରାଯାଇଥିବା ବେଳେ ଆଜି ସଂଘର କର୍ମକର୍ତ୍ତା ମାନେ ଜିଲ୍ଲା ସଦର ମହକୁମାର ବସଷ୍ଟାଣ୍ଡ ପରିସରରେ ଏକତ୍ରିତ ହୋଇ ନାରାବାଜି କରିବା ସହ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ଦେବା ସମୟରେ ଘରୋଇ ବସ୍ ମାଲିକ ସଂଘ ସଭାପତି ରାଜେଶ୍ୱରୀ ପ୍ରଧାନ, ସମ୍ପାଦକ ଟି. ଭେଙ୍କଟ ରାଓ, ଉପଦେଷ୍ଟା ସି ଏଚ.ସୁବାରାଓ ପାତ୍ର, ଉପ ସଭାପତି ସପନ ଦତ୍ତ, କୋଷାଧ୍ୟକ୍ଷ ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।