ମୁମ୍ବାଇ ୧୨/୦୮: ଗ୍ଲୋବାଲ ଆଇକନ୍ ପ୍ରିୟଙ୍କା ଚୋପ୍ରା ଆଜିକାଲି ନିଜର ଅପ୍କମିଂ ହଲିଉଡ୍ ଫିଲ୍ମ ‘ଦ ବ୍ଲଫ୍’ ପାଇଁ ଚର୍ଚ୍ଚାରେ । ଅଷ୍ଟ୍ରେଲିଆରେ ଫିଲ୍ମର ସୁଟିଂ ଚାଲୁଥିବାବେଳେ ନିକଟରେ ତାହା ସମାପ୍ତ ହୋଇଛି । ପ୍ରିୟଙ୍କା ନିଜର ଇନ୍ଷ୍ଟାଗ୍ରାମ ଷ୍ଟୋରିରେ ଶେଷଦିନ ସୁଟିଂର କିଛି ଫଟୋ ବି ପୋଷ୍ଟ କରିଛନ୍ତି । ସେଥିମଧ୍ୟରୁ ଗୋଟିଏ ଫଟୋରେ ତାଙ୍କୁ କଳା ରଙ୍ଗର ଫେସ୍ ମାସ୍କରେ ଦେଖିବାକୁ ମିଳୁଛି । କ୍ୟାପ୍ସନରେ ସେ ଲେଖିଛନ୍ତି, ଏହା ମୋର ସକାଳର ମାସ୍କ । ଆଜି ‘ଦ ବ୍ଲଫ୍’ର ସୁଟିଂର ଶେଷ ଦିନ । ଏଥିସହିତ ସେ ଫିଲ୍ମର ସୁଟିଂ ସମୟର କିଛି ମୂହୁର୍ତ୍ତକୁ ଶେୟାର ବି କରିଛନ୍ତି । ସେହି ଭିଡିଓରେ ସୁଟିଂ ସେଟ୍ର ସୁନ୍ଦର ଦୃଶ୍ୟକୁ ଦେଖିବାକୁ ମିଳୁଛି । ସେ ମଧ୍ୟ ତାଙ୍କ ସହିତ ଯାଇଥିବା ସ୍ୱାମୀ ନିକ୍ ଜୋନାସ୍, ଝିଅ ମାଲତୀ ମେରୀ ଚୋପ୍ରା ସହ ଏକ ଫଟୋ ପୋଷ୍ଟ କରିଛନ୍ତି ।
‘ଦ ବ୍ଲଫ୍’କୁ ଫ୍ରାଙ୍କ.ଇ.ଫ୍ଲାୱାର୍ସ ନିର୍ଦ୍ଦେଶନା ଦେଉଛନ୍ତି । ସେଥିରେ ପ୍ରିୟଙ୍କାଙ୍କ ସହିତ କାର୍ଲ ଅର୍ବାନ୍, ଇସମାଇଲ୍ କ୍ରୁଜ୍ କୋର୍ଡୋଭା, ସାଫିଆ ଓକଲେ-ଗ୍ରୀନ୍ଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର କାହାଣୀ ଊନବିଂଶ ଶତାଦ୍ଦୀ ସମୟରେ କାରାବିୟାନ୍ ଦ୍ୱୀପ ଉପରେ ଆଧାରିତ । ପ୍ରିୟଙ୍କା ଏଥିରେ ଜଣେ ପୂର୍ବତନ ଜଳଦସ୍ୟୁର ଭୂମିକା ନିର୍ବାହ କରୁଛନ୍ତି । ଅତୀତ ସାମ୍ନାକୁ ଆସିବା ପରେ ସେ କିପରି ନିଜ ପରିବାରକୁ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତାହା ଦର୍ଶକେ ଦେଖିବାକୁ ପାଇବେ । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ସେ ନିଜର ଗୁଇନ୍ଦା ଆକ୍ସନ ଥ୍ରିଲର ‘ସିଟାଡେଲ୍’ର ଦ୍ୱିତୀୟ ସିଜନ୍ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।