କୋଲକାତା: ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଆନ୍ଦେଳନରତ ଡାକ୍ତରମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ପକ୍ଷେପ ଲୋଡ଼ିଛନ୍ତି । ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ହସ୍ତକ୍ଷେପ କରିବାକୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ଆନ୍ଦୋଳନରତ ଡାକ୍ତର । ଏହା ସହ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତର ସଂଘ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ମଧ୍ୟ ପତ୍ର ଲେଖିଥିବା ଜଣାପଡ଼ିଛି ।
ହସ୍ପିଟାଲରେ ଡାକ୍ତରମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସଂପର୍କରେ ପତ୍ରରେ ଉଲ୍ଲେଖ କରାଯାଇଥିବା ବେଳେ କାର୍ଯ୍ୟକ୍ଷେତ୍ରରେ ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ ଲାଗି ଦାବି ହୋଇଛି । ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ମିଳିବା ପରେ ହିଁ ଆମେ ଲୋକମାନଙ୍କ ସେବା ନିର୍ଭୟରେ କରିପାରିବୁ । ତେଣୁ ଆପଣଙ୍କ (ରାଷ୍ଟ୍ରପତି) ହସ୍ତକ୍ଷେପ ନିହାତି ଜରୁରି । ଆପଣଙ୍କ ହସ୍ତକ୍ଷେପ ଆମକୁ ଅନ୍ଧାରରୁ ଆଲୋକ ଆଡ଼କୁ ନେବାରେ ସହାୟକ ହେବ ବୋଲି ପତ୍ରରେ ଲେଖିଛି ପଶ୍ଚିମବଙ୍ଗ କନିଷ୍ଠ ଡାକ୍ତର ସଂଘ ।
ଭୟଙ୍କର ଅପରାଧ ଏବଂ ତାକୁ ଲୁଚାଇବା ଲାଗି ପ୍ରୟାସ ହୋଇଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ନିରପେକ୍ଷ ତଦନ୍ତ ହେବା ସହ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଆନ୍ଦୋଳନରତ ଡାକ୍ତର । ସେପଟେ ସାଧାରଣ ଲୋକେ ପୀଡ଼ିତାଙ୍କ ଲାଗି ନ୍ୟାୟ ଦାବି କରୁଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ଲାଗି କାର୍ଯ୍ୟକ୍ଷେତ୍ରରେ ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ଡାକ୍ତର ସଂଘ ପତ୍ରରେ ଉଲ୍ଲେଖ କରିଛି ।