ନୂଆଦିଲ୍ଲୀ,୪।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିଠାରୁ ଜମ୍ମୁ-କଶ୍ମୀରରେ ନିର୍ବାଚନ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁଣିଥରେ ଜୋରଦାର ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, ଆମେ ମୋଦିଙ୍କୁ ମାନସିକ ରୂପରେ ପ୍ରଭାବିତ କରିଛୁ। ତାଙ୍କର ଆତ୍ମବିଶ୍ବାସ ଗାଏବ ହୋଇଯାଇଛି। ସେ ପୂର୍ବରୁ କହିଛନ୍ତି, ଜାତି ଜନଗଣନା ହେବନି। ଏବେ ଆରଏସଏସ ଲୋକ କହୁଛନ୍ତି, ଏହା ଠିକ୍ କଥା। ପ୍ରଥମେ ସେ କହିଥିଲେ, ଲାଟେରାଲ ଏଣ୍ଟ୍ରିରେ ବାହାର ଲୋକଙ୍କୁ ସରକାରରେ ଅଣାଯିବ। ଅଳ୍ପ ଚାପ ପଡିବା ପରେ ବିଜେପି ସରକାର ୟୁଟର୍ଣ୍ଣ ନେଇଗଲା। ଏବେ ଆପଣ ବୁଝିନିଅନ୍ତୁ ଯେ, ନରେନ୍ଦ୍ର ମୋଦି ଦେଶର ଜନତାଙ୍କୁ ଡରୁଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଅଳ୍ପ ସମୟ ଅଛି ଓ ଆମେ ମୋଦି ଏବଂ ବିଜେପିକୁ କ୍ଷମତାରୁ ହଟାଇ ଦେବୁ।
ପୂର୍ବରୁ ନରେନ୍ଦ୍ର ମୋଦି ଛାତି ଫୁଲାଇକି ଆସୁଥିଲେ, ଏବେ ସେଭଳି ଆସୁନାହାନ୍ତି। ପୂର୍ବରୁ ବଡ ବଡ ଭାଷଣ ଦେଉଥିଲେ। ଏବେ ସଂସଦ ଯିବା ପୂବରୁ ପ୍ରଥମେ ସମ୍ବିଧାନକୁ ମୁଣ୍ଡରେ ରଖିଥିଲେ ଓ ପୁଣି ଭିତରକୁ ଯାଇଥିଲେ। ଇତିହାସରେ ପ୍ରଥମ ଥର ଏଭଳି ହୋଇଛି ଯେତେବେଳେ ଏକ ରାଜ୍ୟଠାରୁ ତା’ର ପାହ୍ୟାକୁ ଛଡାଇ ନିଆଯାଇଛି ଓ କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଛି। ଆମର ପ୍ରଥମ ପଦକ୍ଷେପ ଜମ୍ମୁ-କଶ୍ମୀରକୁ ରାଜ୍ୟ ପାହ୍ୟା ଦେବା। ଆମେ ଚାହୁଁଛୁ ପ୍ରଥମେ ରାଜ୍ୟ ପାହ୍ୟା ମିଳୁ ଓ ପୁଣି ନିର୍ବାଚନ ହେବ।
ବିଜେପି ଏଭଳି ଚାହୁଁନି ଓ ତାଙ୍କର କହିବା ଅନୁସାରେ, ପ୍ରଥମେ ନିର୍ବାଚନ ହେଉ ତା ପରେ ରାଜ୍ୟ ପାହ୍ୟା ହିସାବରେ କଥା ହେବା। ବିଜେପି ଚାହୁଁ କି ନଚାହୁଁ, କିନ୍ତୁ ଇଣ୍ଡିଆ ଆଲାୟନ୍ସ ଏତେ ଚାପ ପକାଇବ ଯେ, ଜମ୍ମୁ-କଶ୍ମୀରକୁ ରାଜ୍ୟ ପାହ୍ୟା ଦେବାକୁ ହେବ। ରାହୁଲ କହିଛନ୍ତି, ଆମେ ସବୁ ଜାଣିଛୁ, ଏଠାରେ ବିଜୁଳି ପ୍ରକଳ୍ପ ତିଆରି କରାଯାଉଛି। ହେଲେ କୁହାଯାଉଛି ଆପଣଙ୍କୁ ମାଗଣରେ ବିଜୁଳି ମିଳିବ, କିନ୍ତୁ ଏଭଳି କିଛି ନୁହେଁ। ନିର୍ବାଚନରେ ଆମେ ଜିତିଲେ ଏଠାରେ ତାହା ନିହାତି କରିବୁ। ପୁରା ଦେଶରେ ନରେନ୍ଦ୍ର ମୋଦି ବେରୋଜଗାରୀ ବଢାଇଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।