ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଓଡ଼ିଆ ସଂସ୍କୃତିରେ ରଜପର୍ବ

ଭୁବନେଶ୍ୱର: ପିଲାଟିଏ ଯେତେବେଳେ ପ୍ରଥମ ଥର ଲାଗି ଖଡ଼ି  ଧରେ ପ୍ରଥମ ଅକ୍ଷର ଲେଖିଥାଏ- ଓଁ । ଛୁଆଟି  ଯେତେବେଳେ ମା'କୁ ପ୍ରଥମ ଥର ଲାଗି ମା' ବୋଲି  ଡାକିଥାଏ ସେତେବେଳେ ମା' ପାଟିରୁ ବାହାରିଥାଏଓଲୋ । ପୁରୋହିତ ଯେତେବେଳେ ପୂଜା ଆରମ୍ଭ କରନ୍ତି  ପ୍ରଥମ ଧ୍ୱନି ଥାଏ- ଓଁକାର ଧ୍ୱନି । ସେଇ ଅକ୍ଷର ଓ'ରୁ  ଓଁ, ଓଲୋ ଓ ଓଁକାର । ସେଇ ଓ'ରୁ ଓଡ଼ିଆ ଓ ଓଡ଼ିଶା ।  ସତରେ ଆମ ଓଡ଼ିଶା ଆଦ୍ୟ, ଅଦମ୍ୟ, ଅନନ୍ତ,  ଅତୁଳନୀୟ । ଓଡ଼ିଆ ଆମ ମା' ଓ ମାଟିର ଭାଷା । ଓଡ଼ିଶାର  ମାଟି ଆମ ମା'ର ମାଟି, ସେ ମାଟି ଅତି ନିଆରା । ତାର  ପାଣି-ପବନ, ନଦୀ-ନାଳ, ବଣ ପାହାଡ଼, ପର୍ବପର୍ବାଣି,  ପିଠାପଣା, ଖାଦ୍ୟପେୟ, ବସ୍ତ୍ର-ପରିଧାନ, ଜାତି-ଜନଜାତି  ଏମିତିକି ଠାକୁର-ଠାକୁରାଣୀ ମଧ୍ୟ ଅତି ନିଆରା । ଏଠି  ଠାକୁରଙ୍କୁ କେତେବେଳେ ଜ୍ୱର ହେଲେ ସେ ପଥି ଖାଆନ୍ତି,  ତ କେତେବେଳେ ଠାକୁରାଣୀ ମାନଭଞ୍ଜନ କରନ୍ତି । ଏଠି  ଟିଟିଲାଗଡ଼ର ଗରମ ସାଙ୍ଗକୁ ଦାରିଙ୍ଗବାଡ଼ିର ତୁଷାରପାତ  ଅନୁଭବ କରିହୁଏ । ଏଠି ସମୁଦ୍ର ବେଳାଭୂମି ସାଙ୍ଗକୁ  ଦେଓମାଳି ଶିଖରରୁ ତାରା ଛୁଇଁହୁଏ । କଟକର ଦହିବରା,  ସାଲେପୁର ରସଗୋଲା, ନୟାଗଡ଼ ଛେନାପୋଡ଼, ପୁରୀର  ଅନ୍ନ ଡାଲମା, ରସାବଳୀ, ଭଦ୍ରକର ପାଳୁଅ ଲଡୁ, ଛେନା  ମୁଡୁକି, ଢେଙ୍କାନାଳ ବରା, ବ୍ରହ୍ମପୁର ଆଚାର, ପାମ୍ପଡ଼,  ରାଉରକେଲାର ଗୁପଚୁପ, ସମ୍ବଲପୁରର ପାତଲଘଣ୍ଟା  ଖଟା, କୋରାପୁଟର ମାଣ୍ଡିଆ ଭଳି ଭିନ୍ନ ଭିନ୍ନ କେତେ ଯେ  ସୁସ୍ୱାଦୁ ଖାଦ୍ୟର ସମ୍ଭାର ଏଇ ଆମ ଓଡ଼ିଶା । ଏଇସବୁ  ବିବିଧତା ମଧ୍ୟରେ ଏକତା ହେଉଛି ଆମ ଓଡ଼ିଶାର ସ୍ୱର ।  ସବୁ ଓଡ଼ିଆଙ୍କର ମନ ସେଇ କାଳିଆ ଠାକୁର ପାଖରେ,  ସେଇ ପଖାଳ କଂସା ଓ ସେଇ ବାର ମାସରେ ତେର ପର୍ବ  ପାଖରେ । ସେଇ ତେର ପର୍ବରେ ରଜପର୍ବ ହେଉଛି ଆମ  ଓଡ଼ିଶାର ଓ ପ୍ରତ୍ୟେକ ଓଡ଼ିଆଙ୍କର ଗର୍ବ । ଏହା କେବଳ  ଏକ ପର୍ବ ନୁହେଁ, ବରଂ ଆମ ସମୃଦ୍ଧ ଐତିହ୍ୟର ପ୍ରତୀକ ।  ନାରୀତ୍ୱ, ମାତୃତ୍ୱ, ନେତୃତ୍ୱ, ଶକ୍ତି ଓ ସୃଷ୍ଟିର ଏକ ପର୍ବ  ରଜପର୍ବ, ଆମ ଓଡ଼ିଶାର ପର୍ବ । 

ଭାରତ ଭଳି ଏକ ସମୃଦ୍ଧ ସାଂସ୍କୃତିକ ଏବଂ ଐତିହାସିକ  ଦେଶରେ ପର୍ବପର୍ବାଣି ତ ଅନେକ, ହେଲେ ଆମ ଓଡ଼ିଶାର  ରଜପର୍ବର ମହତ୍ତ୍ୱ ଓ ମହନୀୟତା ଅତି ପୃଥକ । ନାରୀଜାତି  ଓ ସମଗ୍ର ସୃଷ୍ଟି ନିମନ୍ତେ ନାରୀର ଅବଦାନକୁ, ନାରୀତ୍ୱ ଓ  ନାରୀର କ୍ଷମତାକୁ ସମ୍ମାନ ଦେବାପାଇଁ ରଜପର୍ବ ହେଉଛି  ୩ଦିନିଆ ଏକ ପର୍ବ, ଯାହା ସମଗ୍ର ଓଡ଼ିଶାରେ ପାଳନ  କରାଯାଏ । ଏହା ଭୂଦେବୀ କିମ୍ବା ପୃଥିବୀମାତା ଲାଗି ପାଳନ କରାଯାଏ । ଓଡ଼ିଶାରେ ଏହା ଏକ ବିଶ୍ୱାସ ରହିଛି ଭଗବାନ  ଜଗନ୍ନାଥ(ବିଷ୍ଣୁ)ଙ୍କ ସ୍ତ୍ରୀ ଭୂଦେବୀ ବର୍ଷା ଆରମ୍ଭ ପୂର୍ବରୁ  ରଜସ୍ୱଳା ହୁଅନ୍ତି । ସଂସ୍କୃତ ଶବ୍ଦ ରଜସ୍ୱଳା ଶବ୍ଦରୁ ଆସିଥିବା  "ରଜ' ଶବ୍ଦର ଅର୍ଥ ହେଉଛି ଋତୁସ୍ରାବ । ଋତୁସ୍ରାବ ହେଉଛି  ଉର୍ବରତାର ସଂକେତ, ଯାହାକୁ ପାଳନ କରେ ରଜପର୍ବ ।  ଏହି ସମୟରେ ଦେବୀ ପୃଥିବୀମାତାକୁ ବିଶ୍ରାମ ଦିଆଯାଏ ।  ମାଟି ଖୋଳିବା, କ୍ଷେତ ଚାଷ କରିବା ଭଳି ସମସ୍ତ କୃଷି  କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଏ । ଆମ ଓଡ଼ିଆ ପର୍ବ  ରଜର ଏହା ମହନୀୟତା ଯେ, ପ୍ରତ୍ୟେକ ମହିଳାଙ୍କୁ  ପୃଥିବୀ ସହିତ ତୁଳନା କରାଯାଏ ଏବଂ ମହିଳାମାନଙ୍କୁ  ଏକ ବିଶେଷ ସମ୍ମାନ ଦିଆଯାଏ । 

ରଜ ବରଷକୁ ଥରେ  ଆସି ଧରା ମା'ର ରଜସ୍ୱଳା ବିଷୟରେ କହିବା ସହିତ  ସୂଚାଇ ଦେଇଥାଏ ଏକ ପ୍ରଜନନ ଜୀବନର ଆରମ୍ଭକୁ,  ନାରୀର କ୍ଷମତାକୁ, ପୃଥିବୀକୁ ଏକ ନୂଆ ଜୀବନ ଆଣିବାର  ଭିନ୍ନ ଏକ ଶକ୍ତିକୁ ଓ ରଜ ଭଳି ପର୍ବ ପାଳନ କରିବାର  ଅନ୍ତର୍ନିହିତ ଅର୍ଥକୁ । ପୃଥିବୀ ରଜସ୍ୱଳା ହେଲେ ଆମେ ରଜ  ମଉଜ କରି ଧରଣୀ ମା'ର ଉତ୍ପାଦନ କ୍ଷମତାକୁ ପାଳନ  କରି ସମଗ୍ର ନାରୀଜାତିକୁ ସମ୍ମାନ ଦେଉ, ଯେଉଁଠି ନାରୀ ହିଁ  ସୃଷ୍ଟି ବୋଲି ସମଗ୍ର ବିଶ୍ୱକୁ ଆମେ ଜଣାଇଥାଉ । ଗୋଟିଏ  ପାଖରେ ସମାଜ ଯେତେବେଳେ ଋତୁସ୍ରାବକୁ ଅଭିଶାପ,  ଅଶୁଦ୍ଧ ଓ ଅନ୍ଧବିଶ୍ୱାସ ସହିତ ଯୋଡ଼େ ସେତେବେଳେ ଆମ  ଓଡ଼ିଶାର ଏଇ ପର୍ବ ନୂତନ ଏକ ସୃଷ୍ଟିର ଗାଥା ଗାଏ । ସମଗ୍ର  ବିଶ୍ୱ ଯେତେବେଳେ ନାରୀମାନଙ୍କୁ ସେମାନଙ୍କର ଉଚିତ  ଅଧିକାର ଓ ସମାଜରେ ଏକ ବୃହତ ସ୍ଥାନ ଦେବାରେ  ତତ୍ପର, ସେତେବେଳେ କାହିଁ କେଉଁ କାଳରୁ ଆମେ ଓଡ଼ିଆ  ଗର୍ବରେ ପାଳନ କରିଆସୁଛୁ ରଜ, ଯାହା ନାରୀମାନଙ୍କର  ଅନନ୍ୟତାକୁ ଓ ଗୁରୁତ୍ୱକୁ ପରିପ୍ରକାଶ କରେ । ରଜ ସହିତ ଜଡ଼ିତ ପ୍ରତ୍ୟେକଟି ବୈଶିଷ୍ଟ୍ୟ ନାରୀ ଓ  ନାରିତ୍ୱକୁ ଉତ୍ସର୍ଗୀକୃତ । 

ରଜ ସଜବାଜ, ମଉଜ-ମଜଲିସ୍‌,  ପୋଡ଼ପିଠା, ରଜପାନ, ଦୋଳି ଓ ପୁଚିଖେଳ ସହିତ  ରଜପର୍ବର ମହତ୍ତ୍ୱ ନାରୀ ଜାତି ସହିତ ଜଡ଼ିତ । ଆପଣ  କେବେ ଭାବିଛନ୍ତି ରଜରେ ପୋଡ଼ପିଠା କାହିଁକି? ଏତେ ତ  ପିଠା ଅଛି, ହେଲେ ପୋଡ଼ପିଠା କାହିଁକି ପ୍ରଧାନ? ଏତେ  ତ ଖେଳ ଅଛି, ହେଲେ ପୁଚିଖେଳ କାହିଁକି? ରଜରେ  ରଜପାନର ବିଶେଷତ୍ୱ କ'ଣ? ଏହି ପ୍ରଶ୍ନର ଉତ୍ତରରେ  ରହିଛି ସୃଷ୍ଟିଲାଗି ଉଦ୍ଦିଷ୍ଟ ରଜର ମହତ୍ତ୍ୱ । ପ୍ରତିବର୍ଷ  ଓଡ଼ିଶାରେ ରଜ ଜୁନ ମାସ ୧୪-୧୬ ତାରିଖ ଯାଏଁ ପାଳନ  କରାଯାଏ, ଯେଉଁଠି ଜୁନ ୧୩ ତାରିଖରୁ ହିଁ ରଜ ସଜବାଜ  ଆରମ୍ଭ ହୋଇଯାଏ । ଜୁନ ମାସରେ ଗ୍ରୀଷ୍ମର ବିଦାୟ ଓ ବର୍ଷା  ଆଗମନରେ ବାୟୁମଣ୍ଡଳର ଆର୍ଦ୍ରତା ସର୍ବୋଚ୍ଚ ସ୍ତରରେ  ଥାଏ । ଏହି ସମୟରେ ଖାଦ୍ୟପଦାର୍ଥ ଶୀଘ୍ର ନଷ୍ଟ ହେବାର  ସମ୍ଭାବନା ମଧ୍ୟ ଅଧିକ ଥାଏ । ସେଥିଲାଗି ପୋଡ଼ପିଠା  କରାଯାଏ, ଯାହା ତିନିଦିନ ପର୍ଯ୍ୟନ୍ତ ଖରାପ ନହୋଇ  ରହିପାରିବ, ଯାହାର ମଜା ରଜ କଟକଣା ଭିତରେ ମଧ୍ୟ  ପୂରା ରଜତମାମ ନେଇହେବ । ପୋଡ଼ପିଠାର ପ୍ରସ୍ତୁତି  ପ୍ରଣାଳୀ ରଜ ଆଗ ରାତିରୁ ହିଁ ଆରମ୍ଭ କରିଦିଆଯାଏ ।  ପୋଡ଼ପିଠାର ଆଣକୁ କଦଳୀପତ୍ର ବା ଶାଳପତ୍ରରେ  ବାନ୍ଧି, ଚୁଲି ଅଙ୍ଗାରରେ ପୋଡ଼ିହେବାକୁ ରାତିସାରା ଛାଡ଼ି  ଦିଆଯାଏ । ନିଆଁ କୁହୁଳି କୁହୁଳି ପିଠା ପୋଡ଼ିହୋଇ  ସକାଳକୁ ପୋଡ଼ପିଠା ପ୍ରସ୍ତୁତ ହୋଇଯାଇଥାଏ । ଏହା  ଚୁଲିରେ ପୋଡ଼ା ହୋଇଥିବା ହେତୁ ସେଥିରେ ଆର୍ଦ୍ରତା  ବା ପାଣି ଭାଗ କମ୍‌ ଥାଏ, ଯାହାଫଳରେ ତାହା ବିନା  ଗନ୍ଧିଆ ହୋଇ ତିନିଦିନ ଯାଏଁ ଖାଇହୁଏ । ଏହାଦ୍ୱାରା  ଘରର ମହିଳାମାନଙ୍କୁ ମଧ୍ୟ ରଜର ମଜା ନେବାର ସୁଯୋଗ  ମିଳିଯାଏ, ଯେଉଁଠି ପ୍ରସ୍ତୁତି ଆଗରୁ ହିଁ ସରିଯାଇଥାଏ ।  ପୋଡ଼ପିଠା ଛଡ଼ା ଅନ୍ୟ କେଉଁ ପିଠା, ଯେମିତି ମଣ୍ଡା,  ମୁଆଁ, କାକରା, ଏଣ୍ଡୁରି ବା ଗଇଁଠା କରିଲେ ତାହା  ଗୁଳୁଗୁଳି ସକାଶେ ଖରାପ ହୋଇଯିବ । ସେଥିଲାଗି ତ  ପୋଡ଼ପିଠା ରଜପର୍ବର ରଜା । ପୋଡ଼ପିଠା ଏକ ବ୍ୟଞ୍ଜନ  ଭାବରେ କେବଳ ରଜର ସ୍ୱାଦକୁ ବଢ଼ାଇନଥାଏ, ବରଂ  ଏହା ଅବିବାହିତା ଝିଅମାନଙ୍କ ଲାଗି ସୁଖମୟ ଦାମ୍ପତ୍ୟ  ଜୀବନର ଏକ ରୂପାନ୍ତର ।

ଲକ୍ଷ୍ମୀ ପୁରାଣରେ ଉଲ୍ଲେଖ  ଥିବା କଥା ଅନୁଯାୟୀ, ଯେତେବେଳେ ଭଗବାନ ବଳରାମ  ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀୟା ଚଣ୍ଡାଳୁଣୀ ଘରୁ ବୁଲି  ଆସି ପବିତ୍ର ନହୋଇ ଶ୍ରୀମନ୍ଦିରରେ ପଶିଯାଇଥିବାରୁ  ମା' ଲକ୍ଷ୍ମୀଙ୍କୁ ମନ୍ଦିରରୁ ବାହାର କରିଦେଇଥିଲେ,  ସେତେବେଳେ ସେ ଦୁଇଭାଇ ଘୋର ଦାରିଦ୍ର‌୍ୟତାରେ  ଘୋରି ହୋଇଯାଇଥିଲେ । ଦାରିଦ୍ର‌୍ୟତା ଫଳରେ ସେ  ଖାଦ୍ୟର ଦାନା-ଦାନାକୁ ବ୍ୟାକୁଳ ହୋଇଯାଇଥିଲେ । ଖାଦ୍ୟ  ସନ୍ଧାନରେ ବୁଲିବୁଲି ଦୁଇଭାଇ ଏକ ଉଆସ ଆଗରେ  ପହଞ୍ଚି ଯାଇଥିଲେ । ସେଠାରେ ପହଞ୍ଚି ଖାଦ୍ୟଭିକ୍ଷା  କରିବାରୁ ଉଆସରେ ଥିବା ସେବିକା କହିଥିଲେ ଯେ,  ସେଇ ଉଆସରେ ମାଲିକ ଜଣେ ନୀଚ ଜାତିର ଅସ୍ପୃଶ୍ୟ ।  ବ୍ରାହ୍ମଣ କି ତାଙ୍କଠାରୁ ଅନ୍ନ ଗ୍ରହଣ କରିବେ? ତାହା ଶୁଣି ରନ୍ଧାଖାଦ୍ୟ ଗ୍ରହଣ କରିବା ପରିବର୍ତ୍ତେ ରାନ୍ଧିବାକୁ  ସାମଗ୍ରୀ ଯୋଗାଇଦେଲେ ନିଜେ ରାନ୍ଧି ଖାଇବାକୁ ଦୁଇ  ଭାଇ ମନସ୍ଥ କରିଲେ । ହେଲେ ମା' ଲକ୍ଷ୍ମୀଙ୍କ କୋପରେ  ତାହା ମଧ୍ୟ ସମ୍ଭବ ହୋଇନଥିଲା । ଫଳସ୍ୱରୂପ ନିଜ  ଜୀବନକୁ ଭୋକଦାଉରୁ ରକ୍ଷା କରିବାକୁ ସାଆନ୍ତେ ସେଇ  ନୀଚ ଜାତି ଘରୁ ଖାଦ୍ୟ ଗ୍ରହଣ କରିଥିଲେ । 

ଖାଦ୍ୟରେ  ଦୁଇଭାଇଙ୍କର ସବୁ ପ୍ରିୟ ବ୍ୟଞ୍ଜନ ପରଷି ଦିଆଯାଇଥିଲା,  ଯାହା ମହାପ୍ରଭୁ ଜଗନ୍ନାଥଙ୍କୁ ମା'ଲକ୍ଷ୍ମୀଙ୍କ କଥା ମନେ  ପକାଇ ଦେଇଥିଲା । ଖାଇବା ପରିଶେଷରେ ପୋଡ଼ପିଠା  ପରଷି ଦିଆଯାଇଥିଲା, ଯାହାକୁ ଦେଖି କାଳିଆ ସାଆନ୍ତ  ନିଶ୍ଚିନ୍ତ ହୋଇଯାଇଥିଲେ ଯେ ତାଙ୍କୁ ଭୋଜନ ପରଷୁଥିବା  ଚଣ୍ଡାଳୁଣୀ ଆଉ କେହି ନୁହଁନ୍ତି ବରଂ ସ୍ୱୟଂ ତାଙ୍କ ପତ୍ନୀ  ମା' ଲକ୍ଷ୍ମୀ³ ଯିଏ ଦୁଇଭାଇଙ୍କୁ ଉଚିତ ଶିକ୍ଷା ଦେବା ନିମନ୍ତେ  ସେହିପରି କରିଥିଲେ । ପୋଡ଼ପିଠା ଖାଇଲା ପରେ ମା'  ସ୍ୱାମୀ ଜଗନ୍ନାଥଙ୍କର ପାଦ ସ୍ପର୍ଶ କରିଥିଲେ, ଯାହା ପରେ  ଜଗନ୍ନାଥ ମଧ୍ୟ ମା'ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ ।  ସେଥିଲାଗି ପୋଡ଼ପିଠାକୁ ସୁଖଦ ଦାମ୍ପତ୍ୟ ଜୀବନର  ଏକ ସୂତ୍ର ଭାବେ ଧରାଯାଇପାରିବ । ବିବାହ ଭଳି ଏକ  ପବିତ୍ର ବନ୍ଧନରେ ଘଟିଯାଇଥିବା କିଛି ପିତା ଅନୁଭବ ଓ  ଭାବନାକୁ ଦୂର କରି ଜୀବନକୁ କିପରି ପୁନଃ ମିଠା ଓ  ସୁସ୍ୱାଦୁ କରିହେବ, ତାହାର ପ୍ରତୀକ ରଜର ପୋଡ଼ପିଠା ।  ସେଥିଲାଗି ରଜରେ ହୁଏ ପୋଡ଼ପିଠା, ଯାହାର ସ୍ୱାଦ ଏକ  ମିଠା ସଂସାର ନିମନ୍ତେ ମୂଲ୍ୟବାନ ଅଟେ । ପୋଡ଼ପିଠା  ରଜର ପିଠା ନୁହେଁ ବରଂ ଏକ ମିଠା ମାର୍ଗଦର୍ଶକ । 

ଆମ ଓଡ଼ିଆ ଘରେ ପୂଜାପାଠ, ପର୍ବପର୍ବାଣି ହେବ,  ଆଉ ପାନ-ଗୁଆର ବ୍ୟବହାର ହେବନାହିଁ, ଏମିତି  କେବେ ହେଇପାରିବ? ରଜପାନ ବିନା ରଜର ମଜା  ନାହିଁ । ହେଲେ ଏବେ ପୁନଃ ପ୍ରଶ୍ନ ଯେ, ରଜରେ ପାନ  କାହିଁକି? ପାନପତ୍ର ହେଉଛି କାହାରିକୁ ଭଲପାଇବାର  ପ୍ରତୀକ, ପାନ ଏକ ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ  ଧାରଣ କରେ । ଏହା ସମୃଦ୍ଧତା ଏବଂ ପ୍ରଚୁରତାକୁ  ପରିପ୍ରକାଶ କରୁଥିବା ମା' ଲକ୍ଷ୍ମୀଙ୍କୁ ଏକ ସାଙ୍କେତିକ  ନୈବେଦ୍ୟ ଭାବରେ ଦିଆଯାଏ । ଏହା ବ୍ୟତୀତ ନିୟମିତ  ମାସିକ ଋତୁସ୍ରାବ ଓ ଋତୁସ୍ରାବଜନିତ ଶାରୀରିକ ପୀଡ଼ାରୁ  ଆରାମ ପାଇବା ନିମନ୍ତେ ପାନପତ୍ର ଅତ୍ୟନ୍ତ ଲାଭଦାୟକ  ଅଟେ । 

ସେଥିଲାଗି ଓଡ଼ିଆଙ୍କ ପର୍ବ ରଜ, ଯାହା ପାନ  ବିନା ଅସମ୍ପୂର୍ଣ୍ଣ, ଯେଉଁଠି ନାରୀମାନଙ୍କର ସମ୍ପୂର୍ଣ୍ଣ ସୁସ୍ଥତାର  ପ୍ରତୀକ ଏହି ପର୍ବ । ପୋଡ଼ପିଠା ଓ ରଜପାନ ଭଳି  ରଜରେ ପୁଚିଖେଳର ମଧ୍ୟ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି ।  ରଜ ଆମକୁ ଯେମିତି ଋତୁସ୍ରାବର ଗୁରୁତ୍ୱ ଓ ତାହା  ସହିତ ଜଡ଼ିତ ନାରୀର ମହତ୍ତ୍ୱକୁ ଅତି ପ୍ରାଞ୍ଜଳ ଭାବରେ  ବୁଝାଏ, ଠିକ୍‌ ସେହିପରି ପୁଚିଖେଳ ଝିଅମାନଙ୍କର ସୁସ୍ଥ  ପ୍ରଜନନ ସ୍ୱାସ୍ଥ୍ୟର ପ୍ରତୀକ । ପୁଚିଖେଳ ଏକ ବ୍ୟାୟାମ  ସ୍ୱରୂପ, ଯାହାକୁ କରିବାଦ୍ୱାରା ଝିଅମାନଙ୍କର ଅଣ୍ଟା, ଗୋଡ଼  ଓ ସମ୍ପୂର୍ଣ୍ଣ ଶରୀର ଆକୃତିରେ ରହିପାରିବ । ତାହାଛଡ଼ା  ପୁଚିଖେଳ ଗର୍ଭାଶୟ ପାଇଁ ଏକ ଭଲ ବ୍ୟାୟାମ । ଏହା  ଡିମ୍ବାଣୁ କୋଷ ଲାଗି ମଧ୍ୟ ଉତ୍ତମ, ଯାହା ଡିମ୍ବାଣୁରେ ଅଣ୍ଡା  ଉତ୍ପାଦନ କରିବା ଓ ଭଲ ହରମୋନ ତିଆରି କରିବାରେ  ସହାୟକ ହୁଏ । ଫଳସ୍ୱରୂପ ମହିଳାମାନଙ୍କର ଋତୁସ୍ରାବ  ଏବଂ ଗର୍ଭଧାରଣକୁ ନିୟନ୍ତ୍ରଣ ଓ ସକ୍ରିୟ ରଖିବାରେ  ପୁଚିଖେଳ ସାହାଯ୍ୟ କରେ । ସେଥିଲାଗି ପୁଚି ଯେ  କେବଳ ଏକ ଖେଳ ଯାହାକୁ ଆମେ ରଜରେ ମନେପକାଉ  ତାହା ନୁହେଁ, ବରଂ ରଜପର୍ବ ପ୍ରତିବର୍ଷ ଆମକୁ ମନେ  ପକାଇଦିଏ ଯେ ସୃଷ୍ଟି ଲାଗି ଆବଶ୍ୟକ ନାରୀ ଓ ନାରୀ  ଲାଗି ଆବଶ୍ୟକ ଏକ ସୁସ୍ଥ ସ୍ୱାସ୍ଥ୍ୟ, ଯାହାର ପ୍ରତୀକ ସେଇ  ପୁଚିଖେଳ, ରଜପାନ ଓ ସମ୍ପୂର୍ଣ୍ଣ ରଜପର୍ବ । 

ରଜପର୍ବ ହେଉଛି ଉର୍ବରତାର ପ୍ରତୀକ ଯାହାକୁ  ନିଶ୍ଚିତ ଓ ସୁରକ୍ଷିତ କରିଥାଏ ରଜପର୍ବର ପାଳନ । ସମାଜ  ଓ ସୃଷ୍ଟିରେ ମହିଳାମାନଙ୍କର ଅନନ୍ୟ ସ୍ଥିତି ଓ ମହିଳାଙ୍କର  ଗୁରୁତ୍ୱକୁ ଓଡ଼ିଶା ଏହି ପର୍ବ ମାଧ୍ୟମରେ ବ୍ୟାଖ୍ୟା କରେ ।  ଗର୍ବ ଲାଗେ ଭାବିଲେ, ଓଡ଼ିଶା କିପରି ଏକ ପର୍ବ ମାଧ୍ୟମରେ  ସୃଷ୍ଟିର ରଚନା କରୁଛି ଓ ସୃଷ୍ଟିର ରଚୟିତାଙ୍କୁ ସମ୍ମାନ  ଜଣାଉଛି । ରଜ କେବଳ ଏକ ପର୍ବ ନୁହେଁ, ବରଂ ଓଡ଼ିଆଙ୍କ  ଅଭିମାନ, ଓଡ଼ିଶାର ସ୍ୱାଭିମାନ ଓ ସମଗ୍ର ନାରୀଜାତି ଓ  ସୃଷ୍ଟିର ସମ୍ମାନ, ଯାହା ସର୍ବଦା ବିଦ୍ୟମାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.