ନୂଆଦିଲ୍ଲୀ,୧୮।୧୧: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାର ଦୁଇ ଦୋଷୀ ବି ରବର୍ଟ ପାୟସ୍ ଓ ଏସ୍ ଜୟକୁମାରଙ୍କୁ ତ୍ରିଚିର ସ୍ପେଶାଲ କ୍ୟାମ୍ପରେ ରଖାଯାଇଛି। ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ଜେଲ୍ରୁ ସମସ୍ତ ୬ ଜଣ ଦୋଷୀଙ୍କୁ ମୁକ୍ତ କରି ଦିଆଯାଇଛି। ଏବେ ତାଙ୍କ ଭିତରୁ ଦୁଇଜଣ ମାଡ୍ରାସ ହାଇକୋର୍ଟଙ୍କୁ ଅପିଲ କରିଛନ୍ତି, ତାଙ୍କୁ ଏହି କ୍ୟାମ୍ପରୁ ବାହାର କରାଯାଉ ଓ ନିଜର ପରିବାର ପାଖକୁ ଯିବାକୁ ଦିଆଯାଉ। ପାୟସ୍ ନେଦରଲ୍ୟାଣ୍ଡ ଯିବାକୁ ଚାହୁଁଛି ଓ ଜୟକୁମାର ଚେନ୍ନାଇରେ ନିଜ ପରିବାର ସହିତ ରହିବାକୁ ଚାହୁଁଛି।
ଏହି ଆବେଦନରେ କୁହାଯାଇଛି, କ୍ୟାମ୍ପର ସ୍ଥିତି ଜେଲ୍ଠାରୁ ମଧ୍ୟ ଖରାପ। ତାଙ୍କୁ ନିଜ ରୁମ୍ରୁ ବାହାରିକି ସେଠାର ଲୋକଙ୍କ ସହ ମିଶିବାକୁ ଦିଆଯାଉନି। ତାଙ୍କୁ ବାହାରେ ବୁଲିବାକୁ ମଧ୍ୟ ଦିଆଯାଉନି। ତାଙ୍କର କହିବା ଅନୁସାରେ,ଯଦି ସ୍ଥିତି ଏଭଳି ହୁଏ ତେବେ ଆମେ ମାନସିକ ରୋଗୀ ହୋଇଯିବୁ। ତ୍ରିଚି ଡିଏମ୍ଙ୍କ ୨୦୨୨ର ଏକ ମିଡିଆ ଇଣ୍ଟରଭ୍ୟୁର କଥା କହି ସେ କହିଛନ୍ତି, ତାଙ୍କୁ ଶ୍ରୀଲଙ୍କା ଡିପୋର୍ଟ କରାଯିବ ଓ ୧୦ ଦିନରେ ନିର୍ଦେଶ ଆସିବାର ଥିଲା। ତେବେ ବହୁ ମାସ ବିତିଯିବା ପରେ ମଧ୍ୟ କୌଣସି ପକ୍ରିୟା ଆରମ୍ଭ ହୋଇନଥିଲା। ଏହାର ଅର୍ଥ ଶ୍ରୀଲଙ୍କା ତାଙ୍କୁ ଡକାଇବାକୁ ଚାହେଁ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ଶ୍ରୀଲଙ୍କା ଫେରିବା ଯିବା ତାଙ୍କ ପାଇଁ ମୃତ୍ୟୁ ଭଳି ହେବ।
ରବର୍ଟ ପାୟସ ଏହା ମଧ୍ୟ କହିଛନ୍ତି ଯେ, ସେ ନିଜର ଓକିଲ ମାଧ୍ୟମରେ ଏଭଳି ସଂଗଠନ ସହ ସମ୍ପର୍କ କରନ୍ତୁ ଯାହାକି ତାଙ୍କୁ ନେଦରଲ୍ୟାଣ୍ଡ ପଠାଇବାରେ ସାହାଯ୍ୟ କରିବ। ଉଲ୍ଲେଖନୀୟ ଯେ, ପାୟସଙ୍କ ପରିବାର ବର୍ତ୍ତମାନ ନେଦରଲ୍ୟାଣ୍ଡରେ ଅଛି। ତାଙ୍କର କହିବା ଅନୁସାରେ, କ୍ୟାମ୍ପରେ କଷ୍ଟଡିରେ ରହିବା କାରଣରୁ ସେ ପ୍ରଶାସନ ନିକଟରେ କୌଣସି ପକ୍ରିୟା ପୁରା କରିବା ପାଇଁ ହାଜର ହୋଇ ପାରୁନାହାନ୍ତି। ସେଭଳି ଜୟକୁମାର କହିଛନ୍ତି, ଡାକ୍ତରମାନେ ତାଙ୍କୁ ଆଖିର ସର୍ଜରୀ କରିବାକୁ କହିଛନ୍ତି, ନଚେତ ତାଙ୍କ ଆଖି ଖରାପ ହୋଇପାରେ। ତାଙ୍କର କହିବା ଅନୁସାରେ, କ୍ୟାମ୍ପର ସ୍ଥିତି ଜେଲ୍ଠାରୁ ମଧ୍ୟ ଖରାପ ଓ କଷ୍ଟକର। ଏହି ଦୁଇଜଣଙ୍କର କହିବା ଅନୁସାରେ, ତାଙ୍କ ଆଖିର ଚିକିତ୍ସା ପାଇଁ ଚେନ୍ନାଇ ଓ ମଦୁରେ ନିଆଯାଇଥିଲା, କିନ୍ତୁ ଡିଟେସନ୍ କ୍ୟାମ୍ପରେ ଥିବା କାରଣରୁ ତାଙ୍କର ଠିକ୍ ଭାବରେ ଚିକିତ୍ସା କରାଯାଇନଥିଲା।ଜଷ୍ଟିସ୍ ଜିଆର ସ୍ବାମୀନାଥନ୍ ଜୟକୁମାରଙ୍କ ଆବେଦନ ଉପରେ ଶୁଣାଣି ୨୧ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ଉଲ୍ଲେଖନୀୟ ଯେ, ୨୧ ମଇ ୧୯୯୧ ରେ ଏକ ନିର୍ବାଚନୀ ରାଲି ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା କରାଯାଇଥିଲା। ଏହି ମାମଲାରେ ୪୧ ଜଣ ଅଭିଯୁକ୍ତ ଥିଲେ, ଯାହାଙ୍କ ଭିତରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ତିନି ଜଣ ଫେରାର ହୋଇଯାଇଥିଲେ। ୨୬ ଗିରଫ ହୋଇଥିଲେ ତାଙ୍କ ଭିତରେ କିଛି ଶ୍ରୀଲଙ୍କାର ନାଗରିକ ଥିଲେ। ଯେଉଁମାନେ ଫେରାର ଥିଲେ ତାଙ୍କ ଭିତରେ ପୋଟ୍ଟୁ ଓମ୍ମାନ, ଅକିଲା ଓ ପ୍ରଭାକରଣ ଥିଲେ। ୧୯୯୮ ରେ ଟାଡା କୋର୍ଟ ୨୬ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲେ