ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କିଏ ଯିବ ଦିଲ୍ଲୀ ଦରବାର, ଆରମ୍ଭ ହେଲା ଅଙ୍କକଷା: ରାଜ୍ୟସଭା ସିଟ୍ ପାଇଁ ଲବିରେ ଦୁଇ ଡଜନ ନେତା

ଭୁବନେଶ୍ୱର,୩୦/୦୧: ଅଙ୍କକଷା ଆରମ୍ଭ । ଆଶା ଓ ଆଶଙ୍କାରେ ନେତା । କିଏ ଯିବ ଦିଲ୍ଲୀ ଦରବାର । କାହାକୁ କୃପା କରିବେ ନବୀନ । କାହା ମୁଣ୍ଡରେ ଢ଼ାଳିବେ ସୁନାକଳସ ।  ରାଜ୍ୟସଭା ଭୋଟ ନେଇ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ବିଜେଡି ଶିବିରରେ ଆରମ୍ଭ ହୋଇଛି ହଲଚଲ । ଆଶାୟୀମାନେ ଲବିକୁ ଡେଇଁଛନ୍ତି । ମାତ୍ର ଚୂଡ଼ାନ୍ତ ନିଷ୍ପତ୍ତି ସ୍ୱୟଂ ନବୀନଙ୍କ ହାତରେ ।

ରାଜ୍ୟସଭାରେ ଓଡ଼ିଶାର ୩ଟି ଆସନ ଆସନ୍ତା ଏପ୍ରିଲ ମାସରେ ଖାଲି ହେଉଛି । ଏଥିପାଇଁ ଫେବ୍ରୁଆରୀ ୨୭ରେ ହେବ ଭୋଟ। ବିଧାନସଭାରେ ବିଜେଡିର ବିଧାୟକ ସଂଖ୍ୟା ଅନୁସାରେ ୩ଟି ଯାକ ଆସନ ବିଜୁ ଜନତା ଦଳ କବଜା କରିବା ନିଶ୍ଚିତ। ତେଣୁ ସୁରକ୍ଷିତ ଭାବେ ରାଜ୍ୟସଭାକୁ ଯିବାକୁ ଦଳର ପ୍ରାୟ ଦୁଇ ଡଜନ ନେତା ଗୋଡ଼ ଟେକି ବସିଛନ୍ତି । 

ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆଉ ମାତ୍ର ୨ ମାସ ବାକି ଅଛି । ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ବେଶ୍‌ ସତର୍କତାର ସହ ରାଜ୍ୟସଭା ପ୍ରାର୍ଥୀଙ୍କୁ ଯେ ଦଳ ବାଛିବ ଏହା ଜଳଜଳ ।

ରାଜନୈତିକ ମହଲର ଚର୍ଚ୍ଚା କହୁଛି, ରାଜ୍ୟସଭା ଯିବାକୁ ଭୋଟ ଲଢ଼ିନଥିବା ବହୁ ବିଜେଡି ହେଭିୱେଟଙ୍କ ସହ ଭୋଟ ଲଢ଼ି ପରାଜୟ ବରଣ କରିଥିବା କିଛି ନେତା ଆଗ୍ରହୀ ଅଛନ୍ତି । କର୍ପୋରେଟ୍‌ ହାଉସ ଓ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ନାଁ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି । ଏହାଛଡ଼ା ବିନା ସର୍ତ୍ତରେ ଦଳ ପାଇଁ କାମ କରିଥିବା କିଛି ନେତାଙ୍କୁ ନବୀନ ନିବାସ ପୁରସ୍କୃତ କରିପାରେ । ନିଜସ୍ୱ ଷ୍ଟାଇଲରେ ନବୀନ ଅଜଣା ଓ ଅଚିହ୍ନା ମୁହଁକୁ ମଧ୍ୟ ପସନ୍ଦ କରିପାରନ୍ତି ବୋଲି ଶଙ୍ଖ ଭବନରୁ ଲୋକସେବା ଭବନ ଯାଏ ହେଉଛି ଆଲୋଚନା ।

ଶଙ୍ଖ ଭବନର ଏକ ସକ୍ରିୟ ଗୋଷ୍ଠୀର ଯୁକ୍ତି ହେଲା, ଦଳର ହେଭିୱେଟ୍‌ ସାଂସଦ ପିନାକୀ ମିଶ୍ର ଆଉ ଲୋକସଭା ଲଢ଼ିବାକୁ ଚାହୁଁନାହାନ୍ତି । ସେ ପୁଣି ପୁରୀରୁ ଲୋକସଭା ଲଢ଼ିବା ଅପେକ୍ଷା ନିର୍ବିବାଦରେ ଓ ନିଶ୍ଚିତ ବିଜୟ ଲାଭ ପାଇଁ ରାଜ୍ୟସଭା ଯିବାକୁ ଚାହୁଁଛନ୍ତି । ନିଜ ମନର କଥା ପିନାକୀ କାଳେ ଦଳର ସୁପ୍ରିମୋଙ୍କୁ ଏକାଧିକ ବାର ଅବଗତ କରାଇଛନ୍ତି । ସଂସଦ ଏବଂ ଜାତୀୟ ରାଜନୀତିରେ ବିଜେଡି ପାଇଁ ବହୁ ସମୟରେ ସଂକଟମୋଚକ ଭୂମିକା ତୁଲାଉଥିବା ପିନାକୀଙ୍କୁ ଦଳ ହାତଛଡ଼ା କରିବାକୁ ଚାହିଁବନି । 

ଆଡଭୋକେଟ୍‌ ଜେନେରାଲ ଅଶୋକ ପରିଜାଙ୍କ ନାମ ବି ଉଠୁଛି । ୨୦୨୨ ରାଜ୍ୟସଭା ଭୋଟ ବେଳେ ତାଙ୍କ ପ୍ରାର୍ଥୀତ୍ୱ ନେଇ ବିଜେଡି ନେତୃତ୍ୱ ବିଚାର କରିଥିଲେ । ମାତ୍ର ଶେଷ ମୁହୂର୍ତ୍ତରେ ସମୀକରଣ ମୋଡ଼ ବଦଳାଇଲା । ଅଶୋକ ରାଜ୍ୟସଭା ମୁକୁଟ ପିନ୍ଧି ପାରିଲେନି । ଦଳ କିନ୍ତୁ କାଳେ ପ୍ରତିଶ୍ରୁତି ଦେଇଥିଲା, ଆର ଥରକୁ ନିଶ୍ଚୟ ବିଚାର କରାଯିବ । 

ନବୀନ ନିବାସର ନିକଟତର ହୋଇଥିବା ଆଉ ଜଣେ ପ୍ରମୁଖ ଚେହେରା ହେଉଛି ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ(ମାନବ ସମ୍ବଳ) ଡ.ସଂତୃପ୍ତ ମିଶ୍ର । ତାଙ୍କୁ ରାଜ୍ୟସଭା ପଠାଇବାକୁ କାଳେ ଦଳ ନିର୍ଭର ପ୍ରତିଶ୍ରୁତି ଦେଇଛି । କିଛି ମାସ ହେବ ସେ ନିୟମିତ ଦଳର ପାୱାର ଗ୍ରୁପ୍‌ ସହ ଯୋଗାଯୋଗରେ ଅଛନ୍ତି । ଡ. ମିଶ୍ର ଇତିମଧ୍ୟରେ ବିର୍ଲା ଗ୍ରୁପରୁ ଚାକିରି ମଧ୍ୟ ଛାଡ଼ି ସାରିଛନ୍ତି । ତେଣୁ ସେ ରାଜ୍ୟସଭା ଯିବାକୁ ଅଧିକ ଦାବିଦାର ବୋଲି ତାଙ୍କ ନିକଟତମ ମହଲର ଯୁକ୍ତି ।

ଅନ୍ୟ ଏକ ସୂତ୍ର କହୁଛି, ରାଜ୍ୟ ସରକାରଙ୍କ ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ରଙ୍କୁ ବିଜେଡି ରାଜ୍ୟସଭା ପଠାଇବାକୁ ବିଚାର କରୁଛି । ୨୦୨୨ ଡିସେମ୍ବରରେ ଆଇଆର୍‌ଟିଏସରୁ ସ୍ୱେଛାକୃତ ଅବସର ନେଇ ଶ୍ରୀ ମିଶ୍ର ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଛନ୍ତି । ଏପରିକି ତାଙ୍କ ନିଯୁକ୍ତି ପାଇଁ ରାଜ୍ୟ କ୍ୟାବିନେଟ୍‌ ଗୋଟିଏ ଅଧିକ ପ୍ରମୁଖ ସଚିବ ପଦବିକୁ ମଧ୍ୟ ଅନୁମୋଦନ କରିଥିଲା । ତୃତୀୟ ମହଲା ସହ ବେଶ୍‌ ସୁସଂପର୍କରେ ଥିବା ପ୍ରଭାବୀ ଅଫିସରଙ୍କ ତାଲିକାରେ ମନୋଜଙ୍କ ନାଁ ମଧ୍ୟ ଆଗରେ ଅଛି । ତେଣୁ ଶ୍ରୀ ମିଶ୍ର ଯଦି ବିଜେଡିରୁ ରାଜ୍ୟସଭାକୁ ଯାଆନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ସେହିଭଳି ଦଳର ଆଉ ୨ ଜଣ ସାଂସଦ ମଧ୍ୟ ରାଜ୍ୟସଭା ପାଇଁ ଆଗ୍ରହୀ ଅଛନ୍ତି । ନବୀନ କାହାକୁ ଭରସା କରି ରାଜ୍ୟସଭା ପଠାଇବେ ତାହା ଏଯାଏ ଅସ୍ପଷ୍ଟ । ଜଣେ ମହିଳା ଯେ ବାଜି ମାରି ନନେବେ ତାହା ମଧ୍ୟ କହି ହେଉନି । ସବୁବେଳେ ରାଜ୍ୟସଭା ନିର୍ବାଚନ ବେଳେ ସମସ୍ତ କଳ୍ପନା ଜଳ୍ପନାକୁ ଓଲଟପାଲଟ କରି ନୂଆ ପ୍ରାର୍ଥୀ ଦେଉଛନ୍ତି ନବୀନ । ସାଂପ୍ରତିକ ରାଜନୈତିକ ପରିସ୍ଥିତିରେ ସେ କାହାକୁ ଯୋଗ୍ୟ ମଣିବେ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଜେଡି କ୍ୟାମ୍ପର ଆଖି ଏବେ ନବୀନ ନିବାସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.