ମୁମ୍ବାଇ,୨୩/୮: ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ବ୍ଲକବଷ୍ଟର ଫିଲ୍ମ 'ମର୍ଦାନୀ' ରିଲିଜ ହେବାର ୧୦ ବର୍ଷ ପୂରି ଥିବା ବେଳେ ଚଳଚ୍ଚିତ୍ରରେ ରାନୀଙ୍କୁ ପୋଲିସ ଅଧିକାରୀ ଶିବାନୀ ଶିବାଜୀ ରୟ ଭୂମିକାରେ ଦେଖିବାକୁ ମିଳିଥିଲା । ରାନୀଙ୍କ ଏହି ଅଭିନୟ ବେଶ ଲୋକପ୍ରିୟତା ସହ ପ୍ରଶଂସା ସାଉଁଟିଥିଲା । ତେବେ ଫିଲ୍ମର ଏଭଳି ସଫଳତା ପରେ, ନିର୍ମାତା ୟଶ ରାଜ ଫିଲ୍ମସ୍ ଏହାର ଦ୍ୱିତୀୟ ଭାଗ 'ମର୍ଦାନୀ ୨' ରିଲିଜ କରିଥିଲେ।ତେବେ ବର୍ତ୍ତମାନ 'ମର୍ଦାନୀ' ରିଲିଜର ୧୦ବର୍ଷ ପୂର୍ତ୍ତି ଅବସରରେ ନିର୍ମାତା ଏହାର ତୃତୀୟ ଭାଗ ଅର୍ଥାତ୍ 'ମର୍ଦାନୀ ୩' ଘୋଷଣା କରିଛନ୍ତି । ପୁଣି ପରଦାକୁ 'ମର୍ଦାନୀ 3' ସହ ଦମଦାର କମବ୍ୟାକ କରିବେ ରାନୀ ମୁଖାର୍ଜୀ ।
ତେବେ ଫିଲ୍ମ 'ମର୍ଦାନୀ'ର ୧୦ ବର୍ଷ ପୂର୍ତ୍ତିରେ ନିର୍ମାତା ଯଶ ରାଜ ଫିଲ୍ସ ନିଜ ଇନଷ୍ଟାଗ୍ରାମରେ 'ମର୍ଦାନୀ' ର ତୃତୀୟ ଭାଗ ଘୋଷଣା କରିଛନ୍ତି । ନିର୍ମାତା ସେୟାର କରିଥିବା ଭିଡିଓରେ 'ମର୍ଦାନୀ ଏବଂ ମର୍ଦାନୀ ୨'ର ଝଲକ ଦେଖିବାକୁ ମିଳିଛି । ତେବେ ଏହି ପ୍ରାଞ୍ଚାଇଜ ସହ ରାନୀ ମୁଖାର୍ଜୀ ଶିବାନୀ ଶିବାଜୀ ରୟଙ୍କ ଭୂମିକାରେ ପୁଣି ଫେରିବେ ବୋଲି ସେ କହିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, '' ରାନୀ ମୁଖାର୍ଜୀ ଏବଂ ମର୍ଦାନୀଙ୍କ ୧୦ ବର୍ଷ ପୂରିଛି। ବର୍ତ୍ତମାନ ନୂଆ ଅଧ୍ୟାୟ ଆସୁଛି । ଏକ ଦଶନ୍ଧି ଧରି ଏତେମାତ୍ରାରେ ଭଲପାଇବା ଏବଂ ପ୍ରଶଂସା କରିଥିବାରୁ ଧନ୍ୟବାଦ, ଏହି ଭଲପାଇବା ଯୋଗୁଁ ଆମେ ପୁନର୍ବାର ପ୍ରେରଣା ପାଇଛୁ । ସମସ୍ତଙ୍କୁ ଧନ୍ୟବାଦ ।'' ରାନୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା ଦୀର୍ଘ ଦିନ ଧରି ଫିଲ୍ମର ତୃତୀୟ ଭାଗରେ କାମ କରିଆସୁଛନ୍ତି ଏବଂ ବର୍ତ୍ତମାନ ଏହାକୁ ନିଶ୍ଚିତ କରିଛନ୍ତି । ସୂଚନା ଅନୁଯାୟୀ, 'ମର୍ଦାନୀ ୩' ର ସୁଟିଂ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ରେ ଆରମ୍ଭ ହେବାକୁ ଯାଉଛି। ତେବେ ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି ।