ନୂଆଦିଲ୍ଲୀ, ୨୧/୮ : ପାକିସ୍ତାନ ସଂସଦରେ ମୂଷା ଆତଙ୍କ । ସେଠାରେ ଗତ କିଛି ମାସ ହେଲା ମୂଷାଙ୍କ ସଂଖା ଲଗାତାର ବଢ଼ିଚାଲିଛି । ଫଳସ୍ୱରୂପ ସିନେଟ୍ ଓ ନ୍ୟାସନାଲ ଆସେମ୍ବ୍ଲିର ବିଭିନ୍ନ ବିଭାଗରେ ଅନେକ ଜରୁରି ଓ ଗୋପନୀୟ ଫାଇଲ୍କୁ ମୂଷା କାଟି ନଷ୍ଟ କରିଦେଇଛନ୍ତି । ଏପରିକି କମ୍ପ୍ୟୁଟର ତାରକୁ କାଟି ନଷ୍ଟ କରୁଛନ୍ତି । ଏପରିସ୍ଥଳେ ଏହି ସମସ୍ୟାରୁ ରକ୍ଷା ପାଇବା ଲାଗି ସରକାର ଶିକାରୀ ବିଲେଇ ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦେଶର କ୍ୟାପିଟାଲ୍ ଡେଭଲପମେଣ୍ଟ ଅଥରିଟି (ସିଡିଏ) ଏଥିଲାଗି ୧୨ ଲକ୍ଷ ପାକିସ୍ତାନୀ ଟଙ୍କାର ବଜେଟ୍ ଆବଣ୍ଟିତ କରିଛି ।
ଜିଓ ଟିଭି ପକ୍ଷରୁ ସୋମବାର ଦିଆଯାଇଥିବା ସୂଚନା ଅନୁସାରେ, ସିଡିଏ ଏହି ମୂଷାଙ୍କୁ ନିପାତ କରିବା ଲାଗି ଘରୋଇ ବିଶେଷଜ୍ଞଙ୍କ ସହାୟତା ନେବାକୁ ବି ଯୋଜନା କରୁଛି । ସେଥିଲାଗି ଖୁବ୍ ଶୀଘ୍ର ଟେଣ୍ଡର ଆହ୍ୱାନ କରାଯିବ । ଏହାଛଡ଼ା ମୂଷାଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ପ୍ରକାର ଯନ୍ତା ବି ଲଗାଯିବ । ସେପଟେ ସିଲିଂ ଠିକ୍ ନଥିବା ସଂସଦ ଭବନରେ ମୂଷାଙ୍କ ସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି ।
ପାକିସ୍ତାନ ସଂସଦରେ ସ୍ୱଚ୍ଛତାର ଅଭାବ ଦୀର୍ଘ ବର୍ଷ ହେଲା ଏକ ବଡ଼ ପ୍ରସଙ୍ଗ ରହିଆସିଛି । ୨୦୨୨ରେ ସଂସଦ ଭବନ ମଧ୍ୟରେ ଥିବା ଦୁଇଟି କାଫେଟେରିଆରେ ଖାଦ୍ୟରୁ ଅସରପା ମିଳିବା ପରେ ପ୍ରଶାସନ ସେଗୁଡ଼ିକୁ ବନ୍ଦ କରିଥିଲା । ସେହିପରି ୨୦୧୯ରେ ସାଂସଦମାନେ ସଂସଦ ଭବନ ପରିସରରେ ଥିବା କାଫେଟେରିଆରେ ପରଷା ଯାଉଥିବା ଖାଦ୍ୟର ମାନ ନେଇ ପ୍ରଶ୍ନ ଉଠାଇଥିଲେ । ୨୦୧୪ରେ ସଂସଦ ପରିସରରେ ଥିବା ଏକ କାଫେଟେରିଆରେ ରଖାଯାଇଥିବା କେଚପ୍ ବଟଲରେ ଅସରପା ମିଳିଥିଲା । ସୂଚନାଥାଉକି, ପାକିସ୍ତାନ ଏବେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ୍) ରୁ ଦେଶ ଅଦ୍ୟାବଧି ୬.୨୮ ଅରବ ଡଲାର ଋଣ ନେଇଛି ।