ନୂଆଦିଲ୍ଲୀ: ରତନ ଟାଟା …ଭାରତୀୟ ଶିଳ୍ପପତିମାନଙ୍କ ମଧ୍ୟରୁ ବେଶ ଅନ୍ୟତମ, ଯାହାଙ୍କ ସମ୍ପତ୍ତି ପ୍ରାୟ ୩୮୦୦ କୋଟି ଟଙ୍କା । ସାରା ବିଶ୍ବରେ ରହିଛି ତାଙ୍କର ଖ୍ୟାତି । ରତନ ଟାଟା, ଟାଟା ସନ୍ସର ଚେୟାରମ୍ୟାନ୍ ଅଟନ୍ତି ଏବଂ ତାଙ୍କର ବ୍ୟବସାୟିକ ଦକ୍ଷତା ଏବଂ ଜ୍ଞାନ ପାଇଁ ସେ ସାରା ବିଶ୍ୱରେ ଜଣାଶୁଣା । ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତୀୟ ବିଲିୟନେୟାର ମାନଙ୍କ ମଧ୍ୟରୁ ଜଣେ । ବ୍ୟବସାୟ ଜଗତରେ ତାଙ୍କର ସଫଳତା ବ୍ୟତୀତ, ରତନ ଟାଟା ମଧ୍ୟ ପଶୁପ୍ରେମୀ ଭାବରେ ମଧ୍ୟ ବେସ୍ ଜଣାଶୁଣା । କୁକୁର ମାନଙ୍କ ପ୍ରତି ତାଙ୍କ ମନରେ ସର୍ବଦା ଦୁର୍ବଳତା ରହିଛି । ଅନେକ ସମୟରେ ରତନ ଟାଟା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ କୁକୁରମାନଙ୍କ ପ୍ରତି ଥିବା ତାଙ୍କ ପ୍ରେମକୁ ଦର୍ଶାଇଥାନ୍ତି । ଅନ୍ୟ ପକ୍ଷରେ ଟାଟା ଗ୍ରୁପ୍ ମଧ୍ୟ ପଶୁମାନଙ୍କ ପ୍ରତି ସହାନୁଭୂତି ଏବଂ ସମାନ ଭାବରେ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ଅଭିଯାନ ଆରମ୍ଭ କରିଛି । ଏହି କ୍ରମରେ ରହି ରତନ ଟାଟା ଆସନ୍ତା ମାସରେ ଭାରତର ଅନ୍ୟତମ ବୃହତ୍ତମ ପଶୁ ଚିକିତ୍ସାଳୟ ଆରମ୍ଭ କରିବାକୁ ଯାଉଛନ୍ତି । ଏକ ଜାତୀୟ ଗଣମାଧ୍ୟମ ସହ କଥା ହେବାବେଳେ ରତନ ଟାଟା ତାଙ୍କର ବହୁ ପ୍ରତୀକ୍ଷିତ ଡ୍ରିମ୍ ପ୍ରୋଜେକ୍ଟ ଉପରେ ସୂଚନା ପ୍ରଦାନ କରିଛନ୍ତି ।
ଟାଟା ଟ୍ରଷ୍ଟ ପକ୍ଷରୁ କ୍ଷୁଦ୍ର ପ୍ରାଣୀ ଚିକିତ୍ସାଳୟ କୁହାଯାଉଥିବା ‘ଦ ପେଟ୍ ପ୍ରୋଜେକ୍ଟ ଅଫ୍ ରତନ ଟାଟା’ ମୁମ୍ବାଇରେ ନିର୍ମିତ ହୋଇଛି । ୨.୨ ଏକର ଜମିରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପରେ ୧୬୫୦୦୦୦୦୦୦ ଟଙ୍କା ଖର୍ଚ୍ଚ ହୋଇଛି । ଏହା କୁକୁର, ବିଲେଇ, ଠେକୁଆ ଏବଂ ଅନ୍ୟାନ୍ୟ ଛୋଟ ପ୍ରାଣୀମାନଙ୍କ ପାଇଁ କିଛି ଡାକ୍ତରଖାନା ମଧ୍ୟରୁ ଗୋଟିଏ ହେବ। ତାହା 24x7 କାର୍ଯ୍ୟକ୍ଷମ ହେବ । “ଗୃହପାଳିତ ପଶୁ ଗୁଡିକ ପରିବାରର କୌଣସି ସଦସ୍ୟଙ୍କ ଠାରୁ କିଛି କମ୍ ନୁହଁନ୍ତି ବୋଲି ରତନ ଟାଟା କହିଛନ୍ତି । ମୋ ଜୀବନସାରା ଅନେକ ଗୃହପାଳିତ ପଶୁଙ୍କ ଅଭିଭାବକ ଭାବରେ ମୁଁ ଏହି ଡାକ୍ତରଖାନାର ଆବଶ୍ୟକତାକୁ ସ୍ୱୀକାର କରୁଛି ବୋଲି ରତନ ଟାଟା କହିଛନ୍ତି ।
ରତନ ଟାଟାଙ୍କ ଦ୍ବାରା ପଶୁମାନଙ୍କ ପାଇଁ ନିର୍ମାଣ ହୋଇଥିବା ନୂତନ ହସ୍ପିଟାଲ ପାଞ୍ଚଟି ପ୍ରାଣୀ ଚିକିତ୍ସା ବିଦ୍ୟାଳୟ ସମେତ ତାଲିମ ପାଇଁ ରୟାଲ ଭେଟେରିନାରୀ କଲେଜ ଲଣ୍ଡନ ସହ ସହଭାଗୀ ହୋଇଛି । ବହୁମୁଖୀ ଚିକିତ୍ସା ସହିତ ହସ୍ପିଟାଲ ସର୍ଜିକାଲ୍, ଡାଇଗ୍ନୋଷ୍ଟିକ୍ ଏବଂ ଫାର୍ମାସି ସେବା ପ୍ରଦାନ କରିବ । ହସ୍ପିଟାଲଟି ଚାରି ମହଲା ଏବଂ ୨୦୦ ରୋଗୀଙ୍କ ପାଇଁ କ୍ଷମତା ଅଛି । ବ୍ରିଟିଶ ପ୍ରାଣୀ ଚିକିତ୍ସକ ଥୋମାସ ହେଥକୋଟ ଏହାର ନେତୃତ୍ବ ନେବ ।