ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଶୁକ୍ରବାର ଜଷ୍ଟିସ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

ପୁରୀ,୦୪/୦୭: ଆସନ୍ତକାଲି  ଅର୍ଥାତ ୫ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ନେଇ ଜଷ୍ଟିସ୍‌ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବୈଠକ ବସିବ । ଆଉ ରଥଯାତ୍ରା ପରଦିନ ଅର୍ଥାତ ୮ ତାରିଖରୁ ରତ୍ନଭଣ୍ଡାର ଗଣତି ଓ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ନିଷ୍ପତ୍ତି ହେବ । ଏଥିପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଜଷ୍ଟିସ୍ ଅରିଜିତ୍ ପଶାୟତ। ଭୁବନେଶ୍ଵର ବିମାନ ବନ୍ଦରରେ ଜଷ୍ଟିସ୍ ଅରିଜିତ୍ ପଶାୟତ ପହଞ୍ଚିଥିବା ସୂଚନା ମିଳିଛି। 

ବିମାନବନ୍ଦରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଅବସରପାପ୍ତ ଜଷ୍ଟିସ୍ ଅରିଜିତ୍ ପଶାୟତ କହିଛନ୍ତି, ଆସନ୍ତା ୮ ତାରିଖରେ ରଥ ଯାତ୍ରା ଥିବାରୁ ସେଦିନ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଏ ସମ୍ପର୍କରେ ନିଷ୍ପତ୍ତି ସରକାର ନେବେ। ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ରତ୍ନ ଭଣ୍ଡାର ଖୋଲାଯିବ ଏବଂ ଗଣତି ମଣତି କରାଯିବ ବୋଲି କହିଛନ୍ତି ଅବସରପାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତ ।

ଦିନ ଯେତେ ପାଖଉଛି ଏ  ନେଇ ଉତ୍କଣ୍ଠା ସେତେ ବଢ଼ିବାରେ ଲାଗିଛି । ବୁଧବାର ଗଜପତି ଦିବ୍ୟସିଂହ ଦେବ  କହିଥିଲେ, ଆଶା ରହିଛି ରହିଛି ରତ୍ନଭଣ୍ଡାର ରତ୍ନ  ଗଣତିକୁ ସୁରକ୍ଷିତ ଭାବେ ସମ୍ପନ୍ନ କରିବାକୁ ଏହି  କମିଟି ବ୍ୟବସ୍ଥା କରିବେ । ଶ୍ରୀନଅରକୁ ରାଜପ୍ରସାଦ  ବିଜେ ସମ୍ପନ୍ନ ପରେ ଗଜପତି ଗଣମାଧ୍ୟମକୁ  କହିଥିଲେ, ବହୁ ବର୍ଷ ଧରି ପରିଚାଳନା  କମିଟି ପକ୍ଷରୁ ସରକାରଙ୍କୁ ରତ୍ନଭଣ୍ଡାର ଖୋଲି  ଗଣତିମଣତି ଓ ସ୍ଥିତି ଅନୁଧ୍ୟାନ ନେଇ ନିବେଦନ  କରି ଆସୁଥିଲୁ । ୪୫ ବର୍ଷ ହେବ ଭିତର  ରତ୍ନଭଣ୍ଡାର ବନ୍ଦ ରହିଛି । ୨୦୧୮ରେ ଭିତର  ରତ୍ନଭଣ୍ଡାର ଖୋଲିବା ନେଇ ହୋଇଥିବା ଉଦ୍ୟମ  ସଫଳ ହୋଇପାରିନଥିଲା । ମାତ୍ର ଏହି ସମୟରେ  ଏଏସ୍‌ଆଇ ବିଶେଷଜ୍ଞମାନେ ଟର୍ଚ୍ଚ ଲାଇଟ୍‌ ପକାଇ  ଯାହା ଦେଖିଥିଲେ ଭିତର ରତ୍ନଭଣ୍ଡାର ମରାମତି  କରିବା ନିହାତି ଦରକାର ଥିବା ଜଣାଇଥିଲେ ।  ଭିତର ରତ୍ନଭଣ୍ଡାର ପରିସ୍ଥିତି ଭଲ ନାହିଁ  ବୋଲି ଏହି ବିଶେଷଜ୍ଞମାନେ କହିଥିଲେ ।  ବୈଠକରେ ରତ୍ନଭଣ୍ଡାର ଗଣତି ମଣତି କାମକୁ ନେଇ ରୂପରେଖ ସ୍ଥିର ହେବ

ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  କହିଛନ୍ତି, ରତ୍ନଭଣ୍ଡାର ଖୋଲିବା ସ୍ପଷ୍ଟ ହୋଇଛି ।  ସର୍ବୋଚ୍ଚ ସ୍ତରରେ ଏ ବାବଦରେ ଆଲୋଚନା  ସରିଛି। ଗୁରୁବାର ସୁଦ୍ଧା ସମସ୍ତ ନିଷ୍ପତ୍ତି  ଆଗକୁ ଆସିବ । ଗଣତି କେବେ ଆରମ୍ଭ  ହେବ ଓ କେତେ ଦିନ ଲାଗିବ ବିସ୍ତୃତ ସୂଚନା  ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଦିଆଯିବ । ସରକାର ଭିତର ରତ୍ନଭଣ୍ଡାର ଖୋଲିବାର  ପ୍ରସ୍ତୁତି କରୁଛନ୍ତି । ଭିତର ରତ୍ନଭଣ୍ଡାର ଓ ବାହାର  ରତ୍ନଭଣ୍ଡାର ମରାମତି ସହ ଦ୍ୱିତୀୟ ଜଟିଳ  କାର୍ଯ୍ୟ ହେଉଛି ରତ୍ନ ଗଣତିମଣତି । ମରାମତି  କାମ ଏଏସ୍‌ଆଇ କରିବ । ମାତ୍ର ଗଣତିମଣତି  ନିମନ୍ତେ ଏକ ଉଚ୍ଚସ୍ତରୀୟ କମିଟି କରିବାକୁ  ପରିଚାଳନା କମିଟି ସରକାରଙ୍କୁ କହିଥିଲା । ସେପଟେ ହାଇକୋର୍ଟ ଏନେଇ ରାୟ ଦେବା  ପରେ ମାର୍ଚ୍ଚ ମାସରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ  କମିଟି ଗଠନ କରିଥିଲେ । ଯେଉଁଥିରେ  ଜଷ୍ଟିସ୍‌ ଅରଜିତ୍‌ ପଶାୟତ ଅଧ୍ୟକ୍ଷ ଅଛନ୍ତି ।  ଜଷ୍ଟିସ୍‌ ପଶାୟତଙ୍କ ଗସ୍ତସୂଚୀ ଅନୁଯାୟୀ ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ସେ ପୁରୀରେ  ଅବସ୍ଥାନ କରି ଏହି କାର୍ଯ୍ୟ ତଦାରଖ କରିବେ । 

ସୂଚନା ଥାଉକି, ରତ୍ନଭଣ୍ଡାର ଅସୁରକ୍ଷିତ  ନେଇ ଏଏସ୍‌ଆଇ ୨୦୧୮ ରିପୋର୍ଟ ଓ ଚଳିତ  ବର୍ଷ ଲେଜର ସ୍କାନିଂ ରିପୋର୍ଟରୁ ଜଣାପଡ଼ିଥିଲା । ଏହାକୁ ନେଇ ଅନେକ ପରିଚାଳନା କମିଟି  ସଦସ୍ୟ ଉଦ୍‌ବେଗ ପ୍ରକାଶ କରି ସରକାର ତୁରନ୍ତ  ରତ୍ନଭଣ୍ଡାର ଖୋଲି ମରାମତି କାମ କରନ୍ତୁ ବୋଲି  ଦାବି କରିଛନ୍ତି । ରତ୍ନଭଣ୍ଡାରରୁ ରତ୍ନ ଚୋରି  ଅଭିଯୋଗ ନେଇ ନୂଆ ସରକାର ଗଣତିମଣତି  ଉପରେ ଫୋକସ୍‌ ଦେଉଛନ୍ତି । ରତ୍ନଭଣ୍ଡାର ରତ୍ନ  ହେରଫେର ହୋଇଥିବା ଧରାପଡ଼ିଲେ ଏଥିରେ  ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପାତାଳରୁ ଖୋଜି ବାହାର  କରିବେ ବୋଲି ମୁଖ୍ୟମନ୍ତ୍ରୀ କହିସାରିଛନ୍ତି । ତେଣୁ  ସମସ୍ତଙ୍କ ଉତ୍କଣ୍ଠା ଏବେ ଭିତର ରତ୍ନ ଭଣ୍ଡାର  ଖୋଲିବା, ଗଣତି ଓ ମରାମତି ଉପରେ ରହିଛି ।  

୨୦୧୮ରେ ଭିତର ରତ୍ନଭଣ୍ଡାର ସ୍ଥିତି  ଅନୁଧ୍ୟାନ କରିବାକୁ ଯାଇଥିବା ଟିମ୍‌ ବାହାର  ରତ୍ନଭଣ୍ଡାରଠାରୁ ଫେରି ଆସିଥିଲା । ବାହାର  ରତ୍ନଭଣ୍ଡାରରେ ରହି ଭିତର ରତ୍ନଭଣ୍ଡାର  ଦେଖି ହୋଇଥିବାରୁ ଏହାକୁ ଖୋଲିବାକୁ  ପଡ଼ିଲାନି ବୋଲି ଗଣମାଧ୍ୟମରେ ସ୍ଥିତି ଅନୁଧ୍ୟାନ  କରିବାକୁ ଯାଇଥିବା ତତ୍କାଳୀନ ଶ୍ରୀମନ୍ଦିର  ମୁଖ୍ୟ ପ୍ରଶାସକ କହିଥିଲେ । ଯାହା ପରେ  ରତ୍ନଭଣ୍ଡାର ଚାବି ନନେଇ ଏହି ଟିମ୍‌ ଯାଇଥିବା  କଥା ଜଣାପଡ଼ିଥିଲା । ଗଣମାଧ୍ୟମରେ ଖବର  ପ୍ରକାଶ ପରେ ଚାବି ଖୋଜିବାକୁ ଜିଲ୍ଲା ପ୍ରଶାସନ  ତତ୍ପରତା ଦେଖାଇଥିଲେ । ରହସ୍ୟଜନକ ଭାବେ  ଭିତର ରତ୍ନଭଣ୍ଡାର ନକଲି ଚାବି ଜିଲ୍ଲାପାଳଙ୍କ  ଅଫିସ ପରିସର ରେକର୍ଡ ରୁମ୍‌ର ଏକ ଫାଇଲ୍‌  ଭିତରୁ ଉଦ୍ଧାର ହୋଇଥିବା ତତ୍କାଳୀନ ଜିଲ୍ଲାପାଳ  ଗଣମାଧ୍ୟମକୁ କହିଥିଲେ । ଭିତର ରତ୍ନ ଭଣ୍ଡାର  ଅସଲି ଚାବି ଜିଲ୍ଲା ଟ୍ରେଜେରୀ ଅଫିସ୍‌ ଲକ୍‌ରରେ  ରହିବା କଥା, ମାତ୍ର ଏଠାରେ ନ ମିଳିବା  ଏବଂ ନକଲି ରତ୍ନଭଣ୍ଡାର ଚାବି ରେକର୍ଡ ରୁମ୍‌  ଖୋଜାଖୋଜି ପରେ ମିଳିବା ସରକାରୀ ଅଧିକାରୀ  ଓ ସରକାରୀ ସୁରକ୍ଷା ବ୍ୟବସ୍ଥାକୁ ସନ୍ଦେହକୁ  ଆଣିଥିଲା । ଏପର୍ଯ୍ୟନ୍ତ ଏହି ନକଲି ଚାବିରେ  ଭିତର ରତ୍ନଭଣ୍ଡାର ତାଲା ଖୋଲୁଛି ନା ନାହିଁ ତାହା  ପରୀକ୍ଷଣ ହୋଇନି ଏବଂ ଭିତର ରତ୍ନଭଣ୍ଡାର  ନକଲି ଚାବି ହଜିବା ତଦନ୍ତ ରିପୋର୍ଟ ସରକାର  ସର୍ବସାଧାରଣ କରୁନାହାନ୍ତି । ତେଣୁ ଆଗକୁ ଯଦି  ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୁଏ ତେବେ  ନକଲି ଚାବି ବ୍ୟବହାର ହେବ ନା ନାହିଁ ଓ  ଏହାଦ୍ୱାରା ନ ଖୋଲିଲେ କ’ଣ ବିକଳ୍ପ ବ୍ୟବସ୍ଥା  କରାଯିବା ତାହା ମଧ୍ୟ ଆଲୋଚନା ବିଷୟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.