ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ରାଜଧାନୀରେ ରିୟଲ ଇଷ୍ଟେଟ୍‌ ୨୦ ବର୍ଷରେ ଦର ୧୦ ଗୁଣା, ବର୍ଗଫୁଟ ପିଛା ଷ୍ଟାଣ୍ଡାର୍ଡ ଦର ୭ ହଜାରକୁ ବୃଦ୍ଧି

ଭୁବନେଶ୍ୱର, ୨୬।୬: ରାଜଧାନୀରେ ପ୍ରମୁଖ ସ୍ଥାନରେ ପ୍ରପର୍ଟିଟିଏ କିଣିବା ମଧ୍ୟବିତ୍ତଙ୍କ ପାଇଁ ଏବେ ସ୍ୱପ୍ନ । କେବଳ ସହର ଭିତରେ ନୁହେଁ, ଉପକଣ୍ଠ ପାହାଳ, ଧଉଳି, ଯାଆଁଳା, ନନ୍ଦନକାନନ ଏରିଆ ପ୍ଲଟ୍‌ରେ ବି ହାତ ମାରି ହେଉନି । ଆପାର୍ଟମେଣ୍ଟ କିଣିବାକୁ ହେଲେ ବର୍ଗଫୁଟ ପିଛା ହାରାହାରି ଦର ୭ ହଜାର ଟଙ୍କା ଯାଏ ବଢ଼ିଗଲାଣି । ଗତ ୨୦ ବର୍ଷରେ ଦର ୧୦ ଗୁଣା ବଢ଼ିଗଲାଣି । ଫ୍ଲାଟ୍‌ ଦର ବାଙ୍ଗାଲୋର, ହାଇଦ୍ରାବାଦ, ନଏଡା ଭଳି ବଡ଼ ସହର ସହ ପ୍ରାୟ ସମାନ । ଦର ଏଭଳି ବଢ଼ିଲେ ଆପାର୍ଟମେଣ୍ଟ ଦର ବଡ଼ ବଡ଼ ସହର ସହ ତାଳ ଦେବ ବୋଲି କୁହନ୍ତି ବଜାର ବିଶେଷଜ୍ଞ । ୨୦୦୦ ବେଳକୁ ରାଜଧାନୀ ଭୁବନେଶ୍ୱରରେ ଆପାର୍ଟମେଣ୍ଟ ସଂସ୍କୃତି ଏତେଟା ନ ଥିଲା । ଲୋକେ ଭିଲ୍ଲା କିମ୍ବା ବ୍ୟକ୍ତିଗତ ଘର ବନାଇବାକୁ ବିଲ୍ଡରଙ୍କ ଉପରେ ନିର୍ଭର କରୁଥିଲେ । 

ତେବେ ଗତ ୨୪ ବର୍ଷରେ ରାଜ୍ୟର ରିୟଲ ଇଷ୍ଟେଟ ଶିଳ୍ପ କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିଛି । ରାଜଧାନୀ ଛାତିରେ ଏବେ ଛିଡ଼ା ହୋଇଛି ୨୦ ମହଲା । ଆସୁଛି ୫୦ ମହଲା ଯାଏ ନଭଶ୍ଚୁମ୍ବୀ ଅଟ୍ଟାଳିକା । ୨ ଦଶନ୍ଧି ଭିତରେ ରାଜଧାନୀରେ ରିୟଲ ଇଷ୍ଟେଟ ଦର କିଭଳି ବଢ଼ିଛି ତା’ର ଏକ ଉଦାହରଣ ନିଆଯାଇପାରେ । ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ସ୍ଥାପନ ହୋଇଥିବା ଏକ ଜଣାଶୁଣା ପ୍ରକଳ୍ପରେ ଫ୍ଲାଟ୍‌ ନେଇଥିବା ଗ୍ରାହକ ବର୍ଗଫୁଟ ପିଛା ୭୦୦ ଟଙ୍କା ଦେଇଥିଲେ । ଏଠାରେ ଫ୍ଲାଟ ମୂଲ୍ୟ ଥିଲା ୭.୧ ଲକ୍ଷ ଟଙ୍କା । ଏବେ ବହୁ ଗୁଣା ବଢ଼ିଯାଇଛି ଦର । ରାଜ୍ୟ ରିୟଲ ଇଷ୍ଟେଟ ଶିଳ୍ପର ସୂଚନା ମୁତାବକ, ୨୦୧୦ ବେଳକୁ ବର୍ଗଫୁଟ ପିଛା ମୂଲ୍ୟ ୨ ହଜାରରୁ ୨.୫ ହଜାର ଟଙ୍କା ଥିଲା । ୨୦୧୫-୧୭ରେ ଏହି ମୂଲ୍ୟ ୩,୫୦୦ ଟଙ୍କା ଏବଂ ୨୦୨୦ରେ ଏହା ୫ ହଜାରରୁ ୫.୫ ହଜାର ଛୁଇଁଲା । ବର୍ତ୍ତମାନ ଭୁବନେଶ୍ୱରରେ ପ୍ରପର୍ଟିଟିଏ ନେବା ପାଇଁ ଲୋକଙ୍କୁ ବର୍ଗଫୁଟ ପାଇଁ ହାରାହାରି ୬.୫ ହଜାରରୁ ୭ ହଜାର ଟଙ୍କା ଦେବାକୁ ପଡ଼ୁଛି । ଫ୍ଲାଟର ବର୍ଗଫୁଟ ପିଛା ମୂଲ୍ୟରେ ଏଭଳି ବୃଦ୍ଧି ନିଶ୍ଚିତ ପକ୍ଷେ ଆଶ୍ଚର୍ଯ୍ୟ କରିଦେବା ଭଳି । ଫ୍ଲାଟ୍‌ ମୂଲ୍ୟ ବୃଦ୍ଧି ପଛରେ ଜମି ଏବଂ ଅନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ଲଗାତର ବୃଦ୍ଧି ଏକ ପ୍ରମୁଖ କାରଣ ବୋଲି କୁହନ୍ତି ବଜାର ବିଶେଷଜ୍ଞ । ଦେଶର ବିଭିନ୍ନ ସହରରେ ଷ୍ଟିଲ ଏବଂ ସିମେଣ୍ଟ ଦରରେ ବେଶି କିଛି ଫରକ୍‌ ନ ଥାଏ । ମାତ୍ର ଜମି ଦର ଅଧିକ ରହିବାରୁ ଫ୍ଲାଟ ଦର ସେହି ଅନୁସାରେ ଉଚ୍ଚରେ ରହୁଛି । ଏଥିଯୋଗୁ ମେଟ୍ରୋ ସହରରେ ପ୍ରପର୍ଟି ସବୁଠୁ ମହଙ୍ଗା । ଭୁବନେଶ୍ୱରରେ ଜମି ଦର ଆକାଶଛୁଆଁ । ଯାହାକୁ ତାଳ ଦେଇ ବଢ଼ୁଛି ଫ୍ଲାଟ ଦର । 

୨ ଦଶନ୍ଧି ତଳେ ରାଜଧାନୀ ଉପକଣ୍ଠରେ ପ୍ଲଟ୍‌ର ବର୍ଗଫୁଟ ପିଛା ଦର ୩୦ରୁ ୪୦ ଟଙ୍କା ଏବଂ ସହର ମଧ୍ୟରେ ୪୦୦ରୁ ୫୦୦ ଟଙ୍କା ଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ଆକାଶ ପାତାଳ ଫରକ । ସହର ମଧ୍ୟରେ ଜମିର ପର୍ଯ୍ୟାପ୍ତ ବିକଳ୍ପ ନାହିଁ । ଫଳରେ ପ୍ଲଟ୍‌ଟିଏ ଥିବା ଲୋକ ମନଇଚ୍ଛା ଦର କଷୁଛନ୍ତି । ଏଭଳି ଜମିରେ କିଛି ପ୍ରକଳ୍ପ ଆସିଲେ, ସେଥିରେ ଘର କିଣୁଥିବା ଲୋକଙ୍କ ଉପରେ ଦର ବୃଦ୍ଧି କଷ୍ଟ କେତେ ପଡୁଛି ତାହା ବର୍ତ୍ତମାନର ଫ୍ଲାଟ ଦରକୁ ଦେଖିଲେ ସହଜରେ ଅନୁମାନ କରି ହେବ । ଏମିତିକି ସହର ଭିତରେ ବର୍ଗଫୁଟ ପିଛା ୧୫ରୁ ୨୦ ହଜାର ଟଙ୍କା ଦାବି କରୁଛନ୍ତି ଜମି ମାଲିକ । ଉପକଣ୍ଠ ଜଟଣୀ, ଜାଆଁଳା ଭଳି ଏରିଆରେ ଏବେ ବର୍ଗଫୁଟ ପିଛା ପ୍ରାୟ ୩ ହଜାର ଟଙ୍କାରେ ପ୍ଲଟ ମିଳୁଛି । ସେହିଭଳି ଉତ୍ତରାରେ ୨୫୦୦ରୁ ୩୦୦୦ ଟଙ୍କା ଏବଂ ପାହାଳରେ ବର୍ଗଫୁଟ ପିଛା ଜମି ମୂଲ୍ୟ ପ୍ରାୟ ୬ ହଜାର ଟଙ୍କା ଛୁଇଁଲାଣି । ରାସ୍ତାପାଖ ଜମିରେ ହାତ ମାରି ହେଉନି । ଏପଟେ ରାଜଧାନର ପ୍ରମୁଖ ଲୋକେସନଗୁଡିକରେ ଲ୍ୟାଣ୍ଡ୍‌ ବ୍ୟାଙ୍କ ବା ଉପଲବ୍ଧ ଥିବା ଜମି ଏବେ ସରି ଆସୁଛି । ଯାହା କିଛି ଜମି ମିଳୁଛି ତା’ର ଦର ଆକାଶ ଛୁଆଁ । ବିଲ୍ଡରଙ୍କ ସହ ରାଜସ୍ୱ ଭାଗବଣ୍ଟା ଭିତ୍ତିରେ ହେଉଥିବା ପ୍ରକଳ୍ପରେ ଅଧିକ ଅର୍ଥ ଆଶା କରୁଛନ୍ତି ଜମି ମାଲିକ । 

ଫଳରେ ରାଜଧାନୀ ବଜାରର ରିୟଲ ଇଷ୍ଟେଟ ପ୍ରକଳ୍ପ ମୂଲ୍ୟ ବାଙ୍ଗାଲୋର, ନଏଡା, ହାଇଦ୍ରାବାଦ ଭଳି ସ୍ଥାନଗୁଡିକ ସହ ପ୍ରାୟ ସମାନ ହୋଇଗଲାଣି ବୋଲି କହିଛନ୍ତି ବଜାର ବିଶେଷଜ୍ଞ । ଭୁବନେଶ୍ୱରର ପ୍ରାଇମ ଲୋକେସନରେ ଏକ ୩ ବିଏଚ୍‌କେ ପ୍ରପର୍ଟି ଦର ୧.୫ କୋଟି ଟଙ୍କା ଯାଏ ବିକ୍ରି ହେଉଥିବା ବେଳେ ଉପକଣ୍ଠ ପାହାଳରେ ଭଲ ପ୍ରପର୍ଟି ଦର ୧.୩ କୋଟି ଟଙ୍କା ଯାଏ ରହୁଛି । ପ୍ରପର୍ଟିରେ ଅତ୍ୟାଧୁନିକ ସୁବିଧା ବା ପ୍ରୋଫାଇଲ୍‌ ବଡ଼ ରହିଲେ ସେହି ଅନୁସାରେ ଦର ବି ଅଧିକ ରହୁଛି । ରାଜ୍ୟରେ ପ୍ରତ୍ୟେକ ବର୍ଷ ପ୍ରାୟ ୩ ହଜାର ୟୁନିଟ୍‌ ଘର ବିକ୍ରି ହେଉଛି । ଏ କ୍ଷେତ୍ରରେ ଅଭବୃଦ୍ଧି ୧୫ରୁ ୨୦% । ଏପଟେ ଲକ୍‌ଜ୍ୟୁରୀ ପ୍ରପର୍ଟି ସମ୍ପର୍କିତ ପ୍ରକଳ୍ପ ଅଧିକ ସଂଖ୍ୟାରେ ଆସୁଛି । ୮୦ ଲକ୍ଷରୁ ୧.୧ କୋଟିର ପ୍ରକଳ୍ପଗୁଡିକ ଆବଶ୍ୟକ ଥିବା ବେଳେ ଏ କ୍ଷେତ୍ରରେ ସେତେଟା ପ୍ରକଳ୍ପ ଆସୁନି । ଏନ୍‌ଆର୍‌ଆଇ, ଡାକ୍ତର, ଆଇଟି କର୍ମଚାରୀ ଏବଂ ବିଜ୍‌ନେସ ଓନର ଲଜ୍‌ଜରୀ ବର୍ଗର ପ୍ରପର୍ଟି ବେଶି କ୍ରୟ କରୁଛନ୍ତି । ମୋଟ ଘରର ୫୦% ଅଂଶ ଏହି ବର୍ଗ ହାସଲ କଲାଣି । ବିଶେଷ କରି ବିଜ୍‌ନେସ କ୍ଲାସରୁ ଲୋକ ଏହି ବର୍ଗର ଘର କିଣାକୁ ପ୍ରାଥମିକତା ଦେଉଥିବା ଶିଳ୍ପ ପକ୍ଷରୁ ସୂଚନା ମିଳିଛି ।

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.