ପ୍ରମୂଖ ଖବର
  • ଭୁବନେଶ୍ୱର : ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଜମି ଦେବା ନାଁରେ ଠକେଇ ଅଭିଯୋଗ
  • ||
  • କୋଣାର୍କ : ୨ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର
  • ||
  • ସାଧାରଣ ଲୋକଙ୍କ ସହ ପୂଜା ମଣ୍ଡପ ବୁଲିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ମା'ଙ୍କୁ ନେଇ ରାଜନୀତି ନକରିବାକୁ ପରାମର୍ଶ
  • ||
  • ସମ୍ୱଲପୁର : ପୋଲିସକୁ ଆକ୍ରମଣ କରି ହାତ ପାପୁଲି ଛିଣ୍ଡାଇଥିବା ଅଭିଯୁକ୍ତକୁ ଏନକାଉଣ୍ଡର, ପାଲଟା ଆକ୍ରମଣରେ ବୁର୍ଲା ଏସଆଇ ଆହତ
  • ||
  • ଗୋପ ବସ୍ତିରେ ଜମିଜମାକୁ ନେଇ ଦୁଇ ପରିବାର ଭିତରେ ହଣା କଟା, ୫ ଗୁରୁତର
  • ||
  • ଢେଙ୍କାନାଳ : ନିର୍ମାଣଧୀନ ହୋଟେଲ ଛାତ ଭୁଶୁଡିବା ଘଟଣା; ତଦନ୍ତ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ଟିମ ଗଠନ
  • ||
  • ଯାଜପୁର : ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ
  • ||
  • କଳାହାଣ୍ଡି :ନର୍ଲା ରେଞ୍ଜ ପରିତ୍ୟକ୍ତ କୂଅରେ ପଡ଼ିଲା ଦନ୍ତା ହାତୀ: ସୁରକ୍ଷିତ ଉଦ୍ଧାର କଲା ବନ ବିଭାଗ
  • ||
  • କେନ୍ଦ୍ରାପଡା : ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଟ୍ୟାଙ୍କର, ୨ ମୃତ
  • ||
  • ଆଜି ମହାମାୟାଙ୍କ ମହାସପ୍ତମୀ ପୂଜା, ପୂଜା ମଣ୍ଡପରେ ବ୍ୟାପକ ସୁରକ୍ଷା ଆୟୋଜନ
  • ||
  • ଗୁରୁବାର ଠାରୁ ହାଇକୋର୍ଟଙ୍କ ଦଶହରା ଅବକାଶ, ୨୧ ତାରିଖରେ ଖୋଲିବ କୋର୍ଟ
  • ||
  • ଆଉ ନାହାନ୍ତି ଶିଳ୍ପରତ୍ନ ରତନ ଟାଟା, ଶିଳ୍ପରତ୍ନଙ୍କୁ ହରାଇ ଦେଶ ଓ ଦେଶବାସୀ ସ୍ତବ୍ଧ
  • ||
  • ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜଙ୍ଗଲ ସଫାରୀ ପାଇଁ କରିବାକୁ ହେବ ପ୍ରି ବୁକିଙ୍ଗ
  • ||
  • ଭୁବନେଶ୍ୱର : ରାସ୍ତାରେ ବୁଲିଲା ୮ ଫୁଟର ଅଜଗର, ଲୋକେ ଆତଙ୍କିତ
  • ||

ପୁନର୍ଜନ୍ମ

ଆଜିର ଶିକ୍ଷିତ ପିଢ଼ି ପୁନର୍ଜନ୍ମ ଶବ୍ଦ ଶୁଣିଲେ  ହସରେ ଉଡ଼ାଇ ଦିଅନ୍ତି । ଗୋଟିଏ ଜୀବନ  ବଞ୍ଚିବା ଲାଗି ଏତେ ସଂଘର୍ଷ, ଏତେ ଯନ୍ତ୍ରଣା, ପୁଣି ସେହି ଯନ୍ତ୍ରଣା କାହିଁକି ପୁନରାବୃତ୍ତି ହେବ ଆଉ ଏକ  ଜୀବନରେ? ମୋର ବାହାଘର ବେଳେ ସାତଜନ୍ମ  ପାଇଁ ହାତଗଣ୍ଠି ପଡ଼ିଲା କଥା ଶୁଣି ମୁଁ ବି ହସିଥିଲି  ମନେମନେ । କିନ୍ତୁ ପୃଥିବୀର ଅନେକ ସଂସ୍କୃତିରେ  ପୁନର୍ଜନ୍ମ ଏକ ବଦ୍ଧମୂଳ ବିଶ୍ୱାସ । ଅବଶ୍ୟ ଏକ୍ରାହାମିକ  ଧର୍ମବିଶ୍ୱାସ (ଇସଲାମ, ଖ୍ରୀଷ୍ଟିଆନିଟି, ସେମିଟିଜମ)  ପୁନର୍ଜନ୍ମ କଥା ନାହିଁ । ଭାରତୀୟ ସନାତନ ସଂସ୍କୃତିରେ  ପୁନର୍ଜନ୍ମ ଏକ ଦୃଢ଼ବିଶ୍ୱାସ । ଏହାର କାରଣ ହେଲା କୌଣସି ବ୍ୟକ୍ତି ଗୋଟିଏ ଜୀବନରେ ନିଜକୁ ସଂପୂର୍ଣ୍ଣ  ବୋଲି ଭାବେନାହିଁ । ପରଦା ପଡ଼ିବା ପୂର୍ବରୁ କିଛି ସଂଳାପ  ନିଶ୍ଚୟ ବାକିରହେ । ତେଣୁ ମଣିଷ ଆରଜନ୍ମରେ ତାର  ଅଭିଳାଷ ଚରିତାର୍ଥ କରିବ ବୋଲି ଭାବେ । ଯେଉଁ  ପ୍ରେମୀଯୁଗଳ ବିରହ ଜ୍ୱାଳାରେ ପୀଡ଼ିତ ଏବଂ ମିଳନର  ସାମାଜିକ ସ୍ୱୀକୃତି ପାଇବାର ଆଶା ରଖନ୍ତିନାହିଁ, ସେମାନେ  କହନ୍ତି ମୁଁ ଶହେଜନ୍ମ ଅପେକ୍ଷା କରିବି  ତୁମକୁ ପାଇବା ପାଇଁ । ପୁନର୍ଜନ୍ମରେ  ବିଶ୍ୱାସ ଆମର ଶାସ୍ତ୍ର, ପୁରାଣ ଏବଂ  ସାଂସ୍କୃତିକ ଚେତନାରେ ସବୁବେଳେ ରହିଛି । 

ମହାଭାରତରେ ଭୀଷ୍ମ ପ୍ରତିଶୋଧ  ନେବାଲାଗି ତପସ୍ୟା, ଆତ୍ମହତ୍ୟା  ଓ ଦ୍ରୁପଦ ଦମ୍ପତିଙ୍କ ସନ୍ତାନ ଭାବେ  ପୁନର୍ଜନ୍ମ ପାଇଥିବା ଉଦାହରଣ ରହିଛି ।  ଅର୍ଜୁନ ରଥରେ ସେହି ଅମ୍ବାର ନୂତନ ରୂପ ଦେଖି  ଭୀଷ୍ମ ଅସ୍ତ୍ରତ୍ୟାଗ କରିଥିଲେ । ଭଗବତ ଗୀତାରେ କୃଷ୍ଣ  ପୁନର୍ଜନ୍ମର ସୂଚନା ଦେଇଛନ୍ତି । ମଣିଷର ଆତ୍ମା ଯେହେତୁ  ଅମର ସେ ବାରମ୍ବାର ଶରୀର ବଦଳାଏ । ଦେହଟା  କେବଳ ଏକ ଖୋଳ । ପୁରୁଣା ହେଇଗଲେ ଦେହ  ଅସାଡ଼ ହୁଏ ଏବଂ ଅନ୍ୟ ଶରୀରରେ ପ୍ରବେଶ କରେ ।  ମୋକ୍ଷପ୍ରାପ୍ତି ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଲାଗିରହେ । ବୁଦ୍ଧ  ହିନ୍ଦୁ ଧର୍ମର ବିରୋଧ କଲେ ମଧ୍ୟ ପୁନର୍ଜନ୍ମକୁ ଗ୍ରହଣ  କରିଥିଲେ । ଯେହେତୁ ମଣିଷ ସଂସାରଚକ୍ରରେ ବନ୍ଧା,  ଆଶା ପୂର୍ଣ୍ଣକରିବା ଲାଗି ସେ ବାରମ୍ବାର ଜନ୍ମହୁଏ ନିର୍ବାଣ  ପ୍ରାପ୍ତି ପର୍ଯ୍ୟନ୍ତ । ସନାତନ ମୋକ୍ଷ, ବୁଦ୍ଧଙ୍କର ନିର୍ବାଣ  ସହିତ ପ୍ରାୟ ଏକାତ୍ମ । ସଂସାରଚକ୍ର ମୁକ୍ତ ହେବାଲାଗି  କାମନାର ଅନ୍ତ ହେବାଲାଗି ମଣିଷ ଜନ୍ମନିଏ ବାରମ୍ବାର ।  

ଭାରତୀୟ କର୍ମତତ୍ତ୍ୱ ମଧ୍ୟ ପୁନର୍ଜନ୍ମ ବିଶ୍ୱାସକୁ ଦୃଢ଼ କରେ ।  କର୍ମତତ୍ତ୍ୱ ଏକ ଆଶାବାଦୀ ତତ୍ତ୍ୱ । ଏହି ତତ୍ତ୍ୱ ଉପସ୍ଥିତ  ଜୀବନର ରୋଗ, ଦାରିଦ୍ର‌୍ୟ ପାଇଁ ବ୍ୟକ୍ତିକୁ ଦୋଷୀ  କରେନାହିଁ । ପ୍ରାରବ୍ଧ ଯୋଗୁ ମଣିଷ ଏ ଜନ୍ମରେ ଦୁଃଖୀ ।  ଯଦି ଏ ଜନ୍ମରେ ପାପମୁକ୍ତ ଜୀବନ ବଞ୍ଚେ ଆରଜନ୍ମରେ  ସୁଖ ମିଳିବ । ଏହି ଆଶାବାଦୀ କର୍ମତତ୍ତ୍ୱ ପୁନର୍ଜନ୍ମ  ବିଶ୍ୱାସକୁ ଦୃଢ଼ୀଭୂତ କରେ । ଲକ୍ଷ୍ୟ କରିବାକୁ ହେବ  ଯେ କର୍ମତତ୍ତ୍ୱ ମଣିଷକୁ ଶୁଦ୍ଧପୂତ ଜୀବନ ବଞ୍ଚିବା ଲାଗି  ସୁଯୋଗ ଦିଏ । ମାନସିକ ସ୍ତରରେ ତାକୁ ତାର ଦାରିଦ୍ର‌୍ୟ,  ବ୍ୟାଧି ଓ ଅପାରଗ ସ୍ଥିତି ପାଇଁ ଦାୟୀ କରେନାହିଁ ।  ଏହି କର୍ମତତ୍ତ୍ୱ ପୁନର୍ଜନ୍ମ ଧାରଣାକୁ ଦୃଢ଼କରେ । କିନ୍ତୁ  ଭାରତୀୟ ମୁକ୍ତଚିନ୍ତନର ବହୁବିଧତା ଆମେ ଦେଖୁ  ଆମର ଉପନିଷଦ ଓ ପୁରାଣରେ । ଆମର ଷଡ଼ଦର୍ଶନ  ମଧ୍ୟରେ ଚାର୍ବାକ ମଧ୍ୟ ଏକ ଦର୍ଶନ ଯାହା ସୁଖଭୋଗ  ଉପରେ ଗୁରୁତ୍ୱ ଦିଏ । ଏହି ଦର୍ଶନ ପୁନର୍ଜନ୍ମକୁ ଅସ୍ୱୀକାର  କରେ- ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଃ ବ୍ରତଃ?  

ଏହି ପ୍ରଶ୍ନ ଅନ୍ୟ ଦର୍ଶନ, ଆତ୍ମାର ଅମରତ୍ୱ ଇତ୍ୟାଦିକୁ  ଆହ୍ୱାନ ଦିଏ । ଉପସ୍ଥିତ ଜନ୍ମ ହିଁ ଏକମାତ୍ର ଜନ୍ମ ତେଣୁ  ଉପଭୋଗ କର । ଋଣ କୃତ୍ୱା ସୁଖଂ ଜୀବେତ- ଯାହା ଆଜି  ପୁଞ୍ଜିବାଦୀ ସଭ୍ୟତାର ମନ୍ତ୍ର । ଋଣ କରି ବିକାଶ କର ।  କିନ୍ତୁ ଏହାର ପ୍ରଭାବ ବୈଦିକ ଯୁଗ ଏବଂ ୧୯ଶ ଶତାବ୍ଦୀ  ପର୍ଯ୍ୟନ୍ତ ପ୍ରାୟ ପଡ଼ିନଥିଲା । କାରଣ ଦାରିଦ୍ର‌୍ୟ, ରୋଗ  ମଣିଷକୁ ଆଶାବାଦୀ ବା ଆତ୍ମବିଶ୍ୱାସୀ କରିପାରିନଥିଲା ।  ମାନସିକ, ଅସହାୟତା ପୁନର୍ଜନ୍ମକୁ ଗ୍ରହଣ କରିଥିଲା ।  ଆଜିର ଭାରତରେ ଦାରିଦ୍ର‌୍ୟ, ହତାଶା କମ୍‌ ହୋଇଥିଲେ  ମଧ୍ୟ ପୁନର୍ଜନ୍ମ ବିଶ୍ୱାସ କର୍ମ ନାହିଁ, କାରଣ ଆଜିର ମଣିଷ  ମହତ୍ତ୍ୱାକାଂକ୍ଷୀ । ସେ ଭାବେ ଏ ଜନ୍ମରେ ଇନ୍ସପେକ୍ଟର  ହେଇ ଅବସର ନେଇ ଆରଜନ୍ମରେ ଆଇପିଏସ ହେବି  କିମ୍ବା ଆଉ କିଛି ବଡ଼ ହେବି । ଅମ୍ବାନୀ ବାହାଘରର  ବିଳାସିତା ଓ ଚାକଚକ୍ୟ ଦେଖିଲା ପରେ ଅନେକ ନିଜକୁ  ପ୍ରତିଶ୍ରୁତି ଦିଅନ୍ତି- ଆର ଜନ୍ମରେ ମୁଁ ଅମ୍ବାନୀକୁ ମୋର  ପ୍ରାଚୁର୍ଯ୍ୟରେ ଲଜ୍ଜିତ କରିବି । ଯେଉଁମାନେ ଆମର ଜଗନ୍ନାଥଙ୍କୁ ସବୁ ଜୀବନ  ବିଭବର ସ୍ରୋତ ଭାବେ ଗ୍ରହଣ କରନ୍ତି ସେମାନେ ବି  ଚାକ୍ଷୁସ ପ୍ରମାଣ ପାଆନ୍ତି ପୁନର୍ଜନ୍ମର । 

ଜଗନ୍ନାଥ ପ୍ରତିବର୍ଷ  ଏକ ନୂଆ ଜୀବନକୁ ଗତି କରନ୍ତି । ଚାପଖେଳ, ଅଣସର,  ନବଯୌବନ ପ୍ରତିବର୍ଷ ବିଶ୍ୱ ସମ୍ମୁଖରେ ଜୀବନ ନାଟକର  ମହାଦୃଶ୍ୟ ଭାବେ ଅନୁଷ୍ଠିତ ହୁଏ । ଜଗନ୍ନାଥ ରୋଗପୀଡ଼ିତ  ହେଇ ମୃତ୍ୟୁବରଣ କରନ୍ତି, ଅଙ୍ଗରେ ନୂଆରଙ୍ଗ ଲାଗେ,  ନୂଆବସ୍ତ୍ର ଅଳଙ୍କାରରେ ସଜ୍ଜିତ ହେଇ ସେ ଯାତ୍ରା କରନ୍ତି  ଗୁଣ୍ଡିଚା ମନ୍ଦିରକୁ । ମାଉସୀ ଘରକୁ । ଭାଇ ଭଉଣୀଙ୍କୁ  ସଙ୍ଗରେ ନେଇ ଆଷାଢ଼ ଦ୍ୱିତୀୟ ଦିନରେ, ଶୁକ୍ଳପକ୍ଷ  ବିଶ୍ୱ ସମ୍ମୁଖରେ ଦିବ୍ୟ ରଥରେ ବସି ଯାତ୍ରା କରନ୍ତି ।  ଭାରତବାସୀଙ୍କୁ ସୂଚାଇ ଦିଅନ୍ତି ବର୍ଷା ଆସିଗଲା କର୍ମ  କର । କ୍ଷେତବାଡ଼ିରେ ଲାଗିଯାଅ । କୌଣସି ବାଧାବିଘ୍ନରେ  ନଅଟକି, ଶରଧାବାଲି ଡେଇଁ ଗନ୍ତବ୍ୟସ୍ଥଳକୁ ଯାଅ । ନିଜ  ନିଜର ଯାତ୍ରାମୁଖର, ଆନନ୍ଦମୟ, କର୍ତ୍ତବ୍ୟ ସଚେତନ  କର । ଏହା ହିଁ ରଥଯାତ୍ରାର ଆହ୍ୱାନ । ଜଗନ୍ନାଥ ମଣିଷର  ଜନ୍ମ ମୃତ୍ୟୁ ପୁନର୍ଜନ୍ମ ମାଧ୍ୟମରେ ଜୀବନର ଜୟଯାତ୍ରାର  ସୂଚନା ପ୍ରତୀକାତ୍ମକ ଭାବେ ଦିଅନ୍ତି । ଆନନ୍ଦ, ସଙ୍ଗୀତ,  ଖାନାପିନାର ଧୂମଧାମ ମଉଜ କର, କିନ୍ତୁ କର୍ମ କର ।  

ଋତୁଚକ୍ର ଜୀବନକୁ ସମତାଳିକ କରି ଆନନ୍ଦମୁଖର  ଜୀବନଯାତ୍ରା କର । ଏହି ଦିବ୍ୟଦର୍ଶନ ଓ ତାର ନାଟକୀୟ  ପରିଶେଷରେ ପୁନର୍ଜନ୍ମକୁ ଏକ ଆଧ୍ୟାତ୍ମିକ, ଐଶ୍ୱରିକ  ସ୍ୱାକ୍ଷର ଦିଏ । ଏହି ସାଂସ୍କୃତିକ ବିଶ୍ୱାସ ଅନେକ ସମୟରେ  ଆଜିର ବୈଜ୍ଞାନିକ ଧାରଣା ରଖିଥିବା ପିଢ଼ିକୁ ଦ୍ୱନ୍ଦ୍ୱରେ  ପକାଏ, ଯେତେବେଳେ ଖବର ପ୍ରଚାରିତ ହୁଏ ଯେ  ଜଣେ ପୁଅ ବା ଝିଅ ଗତ ଜନ୍ମରେ କେଉଁଠି କାହା  ଘରେ ଜନ୍ମ ହେଇଥିଲା । ତାହା କହେ ଏବଂ ସେ ସହର  ଘର ପିତାମାତାଙ୍କୁ ଚିହ୍ନିପାରେ । ବିଭିନ୍ନ ଉଚ୍ଚମାନର  ବିଶ୍ୱବିଦ୍ୟାଳୟରେ ପାରାସାଇକୋଲଜି ବିଭାଗରେ ଏ  ସଂପର୍କରେ ସନ୍ଦର୍ଭ ଲେଖାଯାଏ ଏବଂ ଚହଳ ସୃଷ୍ଟିହୁଏ  ଆଜିର ପିଢ଼ି ଦାରିଦ୍ର‌୍ୟ ଆଗପରି ଭୋଗେନାହିଁ । ପ୍ରାୟ  ସବୁ ପୁଅଝିଅ ପାଠ ପଢ଼ିବାର ସୁଯୋଗ ପାଆନ୍ତି ଯଦିଓ  ସମସ୍ତେ ସମାନ ସୁଯୋଗ ପାଇନଥାନ୍ତି । ଆଧୁନିକ  ଜୀବନଶୈଳୀ ବ୍ୟବହାର କରି ଫିଙ୍ଗିଦିଅ, ମାନସିକତା  ପ୍ରାୟ ସମସ୍ତଙ୍କୁ ମୁହୂର୍ତ୍ତବିଭୋର କରି ରଖିଛି । ଏଇ  ମୁହୂର୍ତ୍ତ ହିଁ ସବୁ ତେଣୁ ଉପଭୋଗ କର । ସଂଚୟ  କରିବା ମନୋବୃତ୍ତି ମଧ୍ୟ ନାହିଁ । ସବୁ ଧନ ନିଜେ  ଉପାର୍ଜନ କରି ଖର୍ଚ୍ଚ କର, କାରଣ କାଲି ବୋଲି କିଛି  ନାହିଁ । ସବୁ ଏଇଠି ଏବଂ ଏବେ, ଆସନ୍ତାକାଲି ଆଜି  ହୋଇ ଆସେ । ଅତୀତ ବର୍ତ୍ତମାନ ଭବିଷ୍ୟତ ଅଲଗା  ଅଲଗା ସ୍ମୃତି କୋଠରି ନୁହେଁ । ସମୟ ଏକ ଅସରନ୍ତି  ଆଜି । ପ୍ରତ୍ୟେକ ବ୍ୟକ୍ତିର ଆଜି ଅଲଗା। ଆରଜନ୍ମ  ବୋଲି କିଛି ନାହିଁ । ସମଗ୍ର ବିଶ୍ୱରେ ନୂଆ ପିଢ଼ିମାନେ  ଏହି ଗୋଟିଏ ଜୀବନ କେମିତି ଉପଭୋଗ୍ୟ ହେବ  ସେହି ଚିନ୍ତାରେ ମଗ୍ନ । ଆଜିର ବିଶ୍ୱରେ ମଣିଷର ବିଭିନ୍ନ  ପ୍ରତିଭା ବିକାଶର ଯେଉଁ ବିସ୍ତୀର୍ଣ୍ଣ ସୁଯୋଗ ପ୍ରାନ୍ତର  ରହିଛି ଆଗରୁ ନଥିଲା । 

ଏବେ ଅଖ୍ୟାତ ଗାଁର ଅପାଠୁଆ  ନାରୀ ମଧ୍ୟ ଡ୍ରୋନ ଚଳାଉଛି । ଜୀବନର ସାର୍ଥକତା ଲାଗି  ଗୁଡ଼ାଏ ଜନ୍ମର ଆବଶ୍ୟକତା ନାହିଁ । ସିନେମା, ଥିଏଟର,  ଟିଭି ସିରିଏଲ ଓ ଆଜିର ସଂଗଠନରେ ସେଇ ଆଜିର  ଜୟଗାନ । ଯାହା ସେକସପିୟର କହିଥିଲେ- ବିଳମ୍ବରେ  କୌଣସି ପ୍ରାଚୁର୍ଯ୍ୟ ନାହିଁ । ଯୌବନ ଅସ୍ଥାୟୀ ତେଣୁ  ଆସ ମଧୁର ଚୁମ୍ବନ କର- ଅର୍ଥାତ୍‌ ଉପସ୍ଥିତ ମୁହୂର୍ତ୍ତକୁ  ଉପଭୋଗ କର । ଏହି ମନସ୍ଥିତି ପରିବର୍ତ୍ତନର କାରଣ  ହେଲା ଗଣତନ୍ତ୍ର, ସୁଯୋଗ ପ୍ରାଚୁର୍ଯ୍ୟ ଶିକ୍ଷାବିସ୍ତାର ଓ  ଉପାର୍ଜନ ବିଭିନ୍ନତା । ତେଣୁ ପ୍ରତ୍ୟେକ ବ୍ୟକ୍ତି ବିବାଦ  ସଂସାର ଅପେକ୍ଷା ବ୍ୟକ୍ତିଗତ ସଫଳତା ପାଇଁ ପରିବାର  ତ୍ୟାଗ କରିବା ଲାଗି ମଧ୍ୟ ପ୍ରସ୍ତୁତ । କ୍ୟାରିୟର ପାଇଁ  ବିବାହ କରିବା ଲାଗି ମଧ୍ୟ ଝିଅମାନେ ପ୍ରସ୍ତୁତ ନୁହଁନ୍ତି ।  ମାତୃତ୍ୱର ଗୌରବ ମଧ୍ୟ ଅନେକ ଶିକ୍ଷିତ ଝିଅ ଚାହାଁନ୍ତି  ନାହିଁ । ଏପରି ମନସ୍ଥିତିରେ ଜନ୍ମ ଛଡ଼ା ପରଜନ୍ମ  ପୁନର୍ଜନ୍ମର ସ୍ଥାନ ନାହିଁ । କିନ୍ତୁ ପୁନର୍ଜନ୍ମ ଅଛି, ମୋ ବିଶ୍ୱାସରେ ପ୍ରତ୍ୟେକ  ଜନ୍ମରେ । ବ୍ୟକ୍ତି ପ୍ରତି ସୂର୍ଯ୍ୟୋଦୟରେ ଏକ ନୂଆ ଜନ୍ମ  ପାଏ । ଜଣେ ଭଲ ମାର୍କ ନରଖିଲେ ପରୀକ୍ଷା ପାଇଁ  ଅପେକ୍ଷା ନକରି ଖେଳ, କସରତ କିମ୍ବା ସିନେମା,  ଟିଭିରେ ମନନିବେଶ କରେ । କାରଣ ଆଜିର  ସିନେତାରକା ଓ କ୍ରିକେଟ, ଫୁଟବଲ ଖେଳାଳି, କୁସ୍ତି,  ବକସିଂବାଲା ନାମଯଶ ସହିତ ଅମାପ ଧନ ଉପାର୍ଜନ  କରନ୍ତି । ସେଇମାନେ ଆଜିର ନୂଆ ଦେବଦେବୀ ।  

ସେମାନଙ୍କର ଫଟ ଅନେକ ଘରେ ପୂଜାପାଏ । ତେଣୁ  ପାଠ ନହେଲା ଠିକ୍‌ ଅଛି, ଅନ୍ତତଃ ଆଇପିଏଲ  ଖେଳିପାରିଲେ କୋଟିପତି ହେବି ୨ବର୍ଷରେ । ଏହାହିଁ  ପୁନର୍ଜନ୍ମ, କାରଣ ଗୋଟିଏ ଜନ୍ମର ବିଫଳତାର ଉତ୍ତରଣ  ପାଇଁ ଅନ୍ୟ ଏକ ଜନ୍ମର କାମନା ନାହିଁ । ପୁଣ୍ୟ ଅର୍ଜନର  ଅର୍ଥ ଧନଯଶ ଅର୍ଜନ । ଗୋଟିଏ ରାସ୍ତା ବନ୍ଦ ହେଲେ  ଅନ୍ୟ ରାସ୍ତା ନିଜେ ସୃଷ୍ଟିକରି ନୂଆଜନ୍ମ ପାଏ ଆଜିର  ମଣିଷ । ଗଣତନ୍ତ୍ରରେ ବ୍ୟକ୍ତି ଏକ ନୂଆ ଅଧିକାର  ପାଏ । ସେ ବିନା ବାଧାରେ ପ୍ରତିବାଦ କରିପାରେ ।  ଦାବି ପୂରଣ କରିବାପାଇଁ କହିପାରେ । ଏଣୁ ଏହି ନୂଆ  ମଣିଷ ପ୍ରତ୍ୟେକ ଜୀବନ ମୋଡ଼ରେ ନୂଆଜନ୍ମ ପାଏ ।  ଆଜି ଯେତେ କଠିନ ରୋଗ ହେଲେ ମଧ୍ୟ ଡାକ୍ତରମାନେ  ରୋଗୀକୁ ବଞ୍ଚାଇବାର ଆପ୍ରାଣ ଚେଷ୍ଟା କରନ୍ତି ।  

ଡାକ୍ତରଖାନାରୁ ମଣିଷ ନୂଆଜନ୍ମ ପାଇ ଫେରିଆସେ ତାର  କର୍ମପଥକୁ । ଏସବୁ ସାଧାରଣ ମଣିଷର ଅଙ୍ଗେନିଭା  ଅନୁଭୂତି । କିନ୍ତୁ ଏହା ମଧ୍ୟ ଏକପ୍ରକାର ନୂଆ ଜନ୍ମ । କିନ୍ତୁ  ବୈଜ୍ଞାନିକ, ସାହିତ୍ୟିକ, ଗବେଷକ ଅନେକ ସମୟରେ  ମଣିଷକୁ ନୂଆଜନ୍ମର ଅନୁଭବ ଦିଅନ୍ତି । କିନ୍ତୁ ଜଣେ  ଚିନ୍ତାଶୀଳ ବ୍ୟକ୍ତିର ନିତ୍ୟ ନବୀକରଣ ହୁଏ । ନିତ୍ୟ ନବୀକରଣର ଚେତନା ହୁଏତ ସମସ୍ତଙ୍କର  ନଥାଏ । ଯେଉଁ ବ୍ୟକ୍ତି ଚିନ୍ତନ, ଜୀବନ ନିରୀକ୍ଷକ, ସେହି  ବ୍ୟକ୍ତି ହିଁ ନିଜକୁ ନୂଆ କରିପାରେ । ଯଦି ଜଣେ ଶିକ୍ଷକ  ଦେଖେ ପିଲାମାନେ ତା’ ପାଠପଢ଼ା ବେଳେ ଅନ୍ୟମନସ୍କ  ରହୁଚନ୍ତି ତାର ଦୁଇଟି ପ୍ରତିକ୍ରିୟା ଆସିପାରେ । ସେ  ବେଖାତିର କରି ଚିନ୍ତା କରିପାରେ- ନଶୁଣନ୍ତୁ ମୋର କଣ  ଅଛି, ମୋର ପଢ଼ାଇବା କଥା, ମୋର ଡ୍ୟୁଟି ମୁଁ କରିଛି ।  

ଏପରି ବ୍ୟକ୍ତିର ନବୀକରଣ ହୁଏନାହିଁ । ଯଦି ସେ ଶିକ୍ଷକ  ଚିନ୍ତାକରେ କଣ କଲେ ଏ ପିଲାଙ୍କ ଦୃଷ୍ଟି ଏବଂ ଏକାଗ୍ରତା  ମୋ ଉପରେ ନିବଦ୍ଧ ରହିବ, ସେ ବ୍ୟକ୍ତିର ନବୀକରଣ  ହେଇପାରେ। ସେ ନିଜ ପଢ଼ାଇବା ଶୈଳୀର ପରିବର୍ତ୍ତନ  କରିବ । ରାତି ଅନିଦ୍ରା ହେଇ ନୂଆ ନୂଆ ବହି ପଢ଼ିବ,  କାରଣ ପରପିଢ଼ିକୁ ଉନ୍ନତ ଜୀବନ ନେବାପାଇଁ ତାକୁ  ମାଧ୍ୟମ କରାଯାଇଛି । ଏହି ଚେତନା ପରିବର୍ତ୍ତନ ବା  ଜାଗରଣ ଯାହାର ଆସେ ସେ ନୂଆଜନ୍ମ ପାଏ । ଡାକ୍ତର,  ପ୍ରଶାସକ, ପ୍ରଚାରକ, ନେତା ଓ ପ୍ରତ୍ୟେକ ବ୍ୟକ୍ତି ନିଜକୁ  ନୂଆ ଚେତନା ପଲଟ ଦେଇପାରେ, ଯଦି ସେ କାର୍ଯ୍ୟ  ବା କର୍ମକୁ କେବଳ ଅର୍ଥାଗମ ମାର୍ଗଭାବେ ଗ୍ରହଣ  ନକରି ତା’ ନିଜ ଜୀବନର ମୋକ୍ଷମାର୍ଗ ବୋଲି ଗ୍ରହଣ  କରେ । ସେପରି ବ୍ୟକ୍ତି ଗୋଟିଏ ଜନ୍ମରେ ଆରଜନ୍ମର  ନୂଆ ମଣିଷ, ନୂଆ କର୍ମ ଦେଖେ ।କିନ୍ତୁ ଯଦି ପୁନର୍ଜନ୍ମ  ବାସ୍ତବରେ ଅଛି, କ୍ଷତି କଣ? ଯଦି ବ୍ୟକ୍ତିକୁ ଆଉ  ଗୋଟିଏ ସୁଯୋଗ ମିଳେ ତାର ଦକ୍ଷତା, ଯୋଗ୍ୟତା,  ସ୍ୱପ୍ନ, ଅଭିଳାଷ ସାର୍ଥକ କରିବାପାଇଁ ସେଥିରେ କୌଣସି  କ୍ଷତି କାହାର ହେବନାହିଁ । 

ଭାରତୀୟ ସନାତନୀ କର୍ମତତ୍ତ୍ୱ ଏକ ଆହ୍ୱାନ ।  ଉପସ୍ଥିତ ଜନ୍ମକୁ ସାର୍ଥକ କରିବା ଲାଗି ଏକ ପ୍ରେରଣା ।  ଯେଉଁ ଜନ୍ମ ମୁଁ ପାଇଛି ସେଥିରେ ମୋର ଦୁଃଖ,  ହତାଶା, ବିଫଳତା ରହିଛି । କିନ୍ତୁ ମୁଁ ପରାଜୟ ସ୍ୱୀକାର  କରିବି ନାହିଁ । ବାରମ୍ବାର ଚେଷ୍ଟା କରିବି ବିଫଳତାକୁ  ଲଜ୍ଜିତ କରିବା ପାଇଁ । ଏ ଜନ୍ମରେ ମୋର ପ୍ରେମ ମୁଁ  ପାଇଲିନାହିଁ, ଠିକ୍‌ ଅଛି । ମୁଁ ବିରହସାଧନା କରି ମୋର  ବିଫଳପ୍ରେମକୁ ଉଜ୍ୱଳ କରିବା ପାଇଁ ପ୍ରେମିକାର ଚିତ୍ର  ଆଙ୍କିବି- ଏପରି ଚିତ୍ର ଯାହା ବଟସେଲୀ, ରାଫେଲ, ମାଇକେଲ ଏଞ୍ଜେଲୋ ଓ ଏମ ଏଫ ହୁସେନ ବା ସତିଶ  ଗୁଜରାଲଙ୍କ ଚିତ୍ର ଲୋକଙ୍କ ମନରୁ ଦୂରେଇ ଦେବ ବିଫଳତା ଏକ ନୂତନ ସଫଳ ମାର୍ଗ ଖୋଲେ ଯଦି  ବ୍ୟକ୍ତି ସଚେତନ ଭାବେ ଜୀବନ ଧର୍ମ ପାଳନ କରେ ।  ଯଦି କହେ ଦିନେ ଆସିଲି, ଦିନେ ଯିବି, ବାକି ସବୁ  ମାୟା । ସେ ବ୍ୟକ୍ତି ଅନ୍ଧାରରେ ବସି କେବଳ ହାତଯୋଡ଼ି  ମନବୋଧ ଚଉତିଶା ଗାଇବ ବିକୃତ ସ୍ୱରରେ । ପ୍ରତ୍ୟେକ  ଜନ୍ମ ଏ ସୁନ୍ଦର ପୃଥିବୀରେ ନିଜ ବ୍ୟକ୍ତିତ୍ୱର ଚିହ୍ନ ଛାଡ଼ିବା  ଲାଗି ଏକ ନିମନ୍ତ୍ରଣ । ତେଣୁ ଜୀବନକୁ ସ୍ୱୀକାର କରି  ସବୁ ଆହ୍ୱାନର ମୁକାବିଲା କରି ବଞ୍ଚିବାକୁ ହେବ । ଯଦି  ପୁନର୍ଜନ୍ମ ଥାଏ, ସେ ଜନ୍ମରେ ପରିବେଶ ଆଉରି ବିରାଟ  ହେବ ଏବଂ ମଣିଷର କର୍ମପଥ ବିସ୍ତାରିଯିବ ଜନ୍ମ ମୃତ୍ୟୁ ଡେଇଁ ଅମୃତ ଅନ୍ତରୀକ୍ଷକୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.