ପ୍ରମୁଖ ଖବର
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଓଡ଼ିଶାର ୧ କୋଟି ପିଲାଙ୍କ ଭବିଷ୍ୟତକୁ ଗଢିବା ଆମ ସମସ୍ତଙ୍କ ଦାୟିତ୍ୱ : ଧର୍ମେନ୍ଦ୍ର ପ୍ରଧାନ

 ଭୁବନେଶ୍ୱର, ୧୯।୧୧- ଓଡ଼ିଶାର ପ୍ରାୟ ୧ କୋଟି ପିଲାଙ୍କ ଭଭିଷ୍ୟତକୁ ଗଢିବା ସହ ତାଙ୍କ ମନରେ ବଢୁଥିବା ଆତ୍ମବିଶ୍ୱାସ ଶିଖରକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ । ରବିବାର ଭୁବନେଶ୍ୱର ଠାରେ ଓଡ଼ିଶାର ୬୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତ୍ୱକାଂକ୍ଷୀ ପିଏମ ଶ୍ରୀ ଯୋଜନାକୁ ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।    

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟବରାଦରେ ସମଗ୍ର ଦେଶରେ ୧୪ ହଜାର ୫୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ବା ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ୨୦୨୨ ସେପ୍ଟେମ୍ବର ୭ରେ ପିଏମ ଶ୍ରୀ ଯୋଜନାର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସାଢେ ୬ ହଜାର ସ୍କୁଲର ଚୟନ ସରିଛି ଏବଂ ଖୁବ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୪ ହଜାର ସ୍କୁଲକୁ ଚୟନ କରାଯିବ ।   ଓଡ଼ିଶାରେ ଥିବା ୯୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରୁ ପ୍ରାୟ ୬୩ଟି ତଥା ୩୭ କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟକୁ ଆଜି ଠାରୁ ପିଏମ – ଶ୍ରୀ ସ୍କୁଲ ଭାବେ ଅନ୍ତର୍ଭୁକ୍ତ କରାଯାଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ସ୍କୁଲ ପାଇଁ ପାଖାପାଖି ୫୦.୮ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ସେଥିମଧ୍ୟରୁ ୧୨.୭ କୋଟି ଟଙ୍କା ଏହି ବିଦ୍ୟାଳୟଗୁଡ଼ିକୁ ପ୍ରଥମ କିସ୍ତିରେ ପ୍ରଦାନ କରାଯାଇଛି । ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ  ମୋଟ ୭.୨୭ କୋଟି ଟଙ୍କା ଏବଂ ୨୬ଟି ନବୋଦୟ ବିଦ୍ୟାଳୟ ପାଇଁ ୫.୪୩ କୋଟି ଟଙ୍କା ବ୍ୟୟ କରାଯାଇ ସ୍କୁଲର ଉନ୍ନତିକରଣ ଆରମ୍ଭ କରାଯିବ ।

 ପିଲା ମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କର ବୈଜ୍ଞାନିକ ମନୋଭାବକୁ ବଢାଇବା ପାଇଁ ଏବଂ କଳା, ସାହିତ୍ୟ ବିଜ୍ଞାନରେ ସୃଜନଶୀଳତା ବଢାଇବା ସହ ସବୁ ଦୃଷ୍ଟିରୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବଢାଇବା ଦିଗରେ ପିଏମ ଶ୍ରୀର ଯୋଜନା । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠପଢାର ପଦ୍ଧତି, ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତାକୁ ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ । 

 ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସର୍ବମୋଟ ୬୨, ୨୯୧ ସ୍କୁଲ ଥିବା ବେଳେ ମୋଟ ଛାତ୍ରଛାତ୍ରୀ ସଂଖ୍ୟା ହେଉଛି ୭୬ ଲକ୍ଷ । ସରକାରୀ ସ୍କୁଲ ୪୯,୦୭୨ଟି ଥିବା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି  ୫୩ ଲକ୍ଷ । ଉଚ୍ଚ ଶିକ୍ଷାରେ ପଢୁଥିବା ଛାତ୍ରଛାତ୍ରୀ ସଂଖ୍ୟା ୧୧ ଲକ୍ଷ । ସାମଗ୍ରିକ ଭାବେ ଓଡିଆ ପିଲା ମାନଙ୍କୁ ବୈଶ୍ୱିକ ନେତୃତ୍ୱ ଦେବା ପାଇଁ ପ୍ରସ୍ତୁତ କରାଇବାକୁ ହେବ ।   ଓଡିଶାରୁ ବିଶ୍ୱକୁ ବିଜୟ କଲା ଭଳି ପିଲା ତିଆରି ହେବେ । ୧ କୋଟି ଓଡ଼ିଆ ପିଲା ମାନଙ୍କୁ ତାଙ୍କ ଭବିଷ୍ୟତ ତିଆରି କରିବା ପାଇଁ ସମସ୍ତଙ୍କୁ ଦାୟିତ୍ଵ ନେବାର ଆବଶ୍ୟକତା ଅଛି । 

 ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଆମର ଶିକ୍ଷା କ୍ଷେତ୍ରକୁ ଆଗକୁ ନେବା ପାଇଁ ପଡିବ । ବିଶେଷ ଭାବରେ ଗ୍ରାମାଞ୍ଚଳର ପିଲା ମାନଙ୍କୁ ଏକବିଂଶ ଶତାବ୍ଦୀରେ ଉଚ୍ଚଶିକ୍ଷିତ କରି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ହେବ । ଜାତୀୟ ଶିକ୍ଷା ନୀତିର ବିଚାରରେ ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରାଯିବ, ଯେଉଁମାନେ ମାନବତାର କଲ୍ୟାଣ ପାଇଁ ବୈଶ୍ୱିକ ସମସ୍ୟାର ସମାଧାନର ସୂତ୍ର ବାହାର କରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.