ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ଯେତେ ଅଧିକ ଗରମ ବଢିବ, ସେତେ ଅଧିକ ଭୂମିକମ୍ପ ଆସିବ... ଜଳବାୟୁ ପରିବର୍ତ୍ତନ ନେଇ ଭୂବିଜ୍ଞାନୀଙ୍କ ଚେତାବନୀ କଲା ଭୟଭୀତ

ନୂଆଦିଲ୍ଲୀ,୧୧।୭: ଭୂମିକମ୍ପ ଏଭଳି ପ୍ରାକୃତିକ ବିପଦ, ଯାହାର ଭବିଷ୍ୟବାଣୀ କରିବା ଖୁବ୍ କଷ୍ଟକର। ଭୂମିକମ୍ପ ଆସିବା କାରଣରୁ ନିଆଁ ଲାଗିଥାଏ, ଭୂସ୍ଖଳନ ହୁଏ, ସୁନାମୀ ଆସେ। କିନ୍ତୁ କ’ଣ ଜଳବାୟୁ ପରିବର୍ତ୍ତନ ବା ତାପମାତ୍ରା ବଢିବା କାରଣରୁ ଭୂମିକମ୍ପ ଆସିପାରେ ?  ବିଭିନ୍ନ ଦେଶର ଭୂବିଜ୍ଞାନୀଙ୍କ ମତରେ ହଁ ଏଭଳି ହୋଇପାରେ। ସବୁଠାରୁ ବିପଦଜନକ ଭୂମିକମ୍ପ ତାହା ହୋଇଥାଏ, ଯାହାକି‌ ଟେକ୍ଟୋନିକ୍ ପ୍ଲେଟ କାରଣରୁ ଆସିଥାଏ।

ଏହି ଟେକ୍ଟୋନିକ୍ ପ୍ଲେଟ ପୃଥିବୀର ଉପର ଲେୟାର କ୍ରଷ୍ଟ ଓ ଏହାର ତଳ ଲେୟାର ମାଣ୍ଟେଲରୁ ତିଆରି ହୋଇଥାଏ। ପୃଥିବୀର କେନ୍ଦ୍ରରୁ ବାହାରୁଥିବା ଉତ୍ତାପ ଏହି ପ୍ଲେଟ୍‌କୁ ହଲାଇ ଦେଇଥାଏ। ଅତିକମ୍‌ରେ ବର୍ଷକ ଭିତରେ ଅଧା ଇଞ୍ଚ ପର୍ଯ୍ୟନ୍ତ ଦୋହଲାଇ ଦିଏ। ଏହି ପ୍ଲେଟ୍ ପରସ୍ପର ସହିତ ମାଡ଼ ହୋଇଥାଏ, ଉପରେ ଚଢିଥାଏ କିମ୍ବା ତଳେ ଧସିଥାଏ। ଏଥିରେ ଏତେ ପ୍ରେସର ଥାଏ ଯେ, ତାହା ରିଲିଜ୍ ହେବା ମାତ୍ରେ ଭୂମିକମ୍ପ ହୁଏ।ଏଥିପାଇଁ ଜାଣିବା କଷ୍ଟକର ଯେ, ଭୂମିକମ୍ପ କେବେ ଆସିବ ? ତେଣୁ ଏହି ବିପତ୍ତିକୁ ନେଇ ପୂର୍ବରୁ କେହି ବି ପ୍ରସ୍ତୁତ ନଥାନ୍ତି। 

ଜିଓଲୋଜିକାଲ ସର୍ଭେ ଅଫ୍ କାନାଡା ଓ ୟୁନିଭର୍ସିଟି ଅଫ୍ ଭିକ୍ଟୋରିଆର ଭୂକମ୍ପ ବିଜ୍ଞାନୀ ଜନ୍ କୋସିଡି ଏହାର ଉତ୍ତର ରଖିଛନ୍ତି। ସେ କହିଛନ୍ତି ଜଳବାୟୁ ପରିବର୍ତ୍ତନ  ଓ ବଢୁଥିବା ତାପମାତ୍ରା ଭୂକମ୍ପର ସଂଖ୍ୟା ଓ ତୀବ୍ରତା ବଢାଇପାରେ।ତାପାମାତ୍ରା ବଢିବା ଫଳରେ ଗ୍ଲାସିୟର ତରଳିବ । ସେଥିରୁ ବାହାରୁଥିବା ପାଣି ସମୁଦ୍ରକୁ ଯିବ। ଏହାଦ୍ବାରା ସମୁଦ୍ରର ଜଳସ୍ତର ବଢିବ । ଏହି ପ୍ରେସର କାରଣରୁ ଟେକ୍ଟୋନିକ୍ ପ୍ଲେଟ ହଲିଥାଏ। ପ୍ରେସର ରିଲିଜ୍ କରିବା ମାତ୍ରେ, ହୋଇଥାଏ ଭୂମିକମ୍ପ। 

ଜର୍ମାନର ଭୂବିଜ୍ଞାନୀଙ୍କ କହିବା ଅନୁସାରେ, ଯେତେ ଅଧିକ ସମୁଦ୍ରର ଜଳସ୍ତର ବଢିବ, ଟେକ୍ଟୋନିକ୍ ପ୍ଲେଟରେ ସେତେ ଚାପ ବଢିବ। ଏହି ଚାପ ଫଲ୍ଟ ଲାଇନ୍ ଉପରେ ପଡିବ। ଚାପ ଯେତେ ବଢିବ ଭୂକମ୍ପ ଆସିବାର ବିପଦ ସେତେ ଅଧିକ। ସାନ୍ ଫ୍ରାନ୍ସିସ୍କୋ ଓ ଲସ୍ ଆଞ୍ଜେଲସ୍‌ରେ ଏଭଳି ଭୂକମ୍ପ ଆସିବାର ସମ୍ଭାବନା ରହିଛି। ତେବେ କେବେ ଆସିବ ତାହା କହିହେବନି। ଆଗାମୀ କିଛି ଦଶକରେ ଏଭଳି ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସମୟରେ ଯେତିକି ପରିମାଣର ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହେଉଛି, ତା ହିସାବରେ ଏକ ହଜାର ବର୍ଷ ପର୍ଯ୍ୟନ୍ତ ସମୁଦ୍ରର ଜଳସ୍ତର ବଢିବାକୁ କେହି ରୋକିପାରିବେନି। ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂମିକମ୍ପ ଆସିବାର ତୀବ୍ରତା ଓ ସଂଖ୍ୟା ବଢିଯିବ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.