ନୂଆଦିଲ୍ଲୀ – ରୁଷ୍ର ସଂଘୀୟ ସୁରକ୍ଷା ସେବା ଶୁକ୍ରବାର ( ୧୩ ସେପ୍ଟେମ୍ୱର ୨୦୨୪) ୬ ଜଣ ବ୍ରିଟିଶ କୂଟନୀତିଜ୍ଞଙ୍କ ନାଁରେ ଗୁଇନ୍ଦାଗିରି କରିବାର ଅଭିଯୋଗ ଆଣିଛି। ଏହାସହ ସେମାନଙ୍କୁ ଦେଶରୁ ବାହାର କରି ଦେଇଛି। ରୁଷୀୟ ରାଜ୍ୟ ଟିଭି ଅନୁସାରେ, ରୁଷ୍ର ଏଫଏସବି ସୁରକ୍ଷା ସେବା ଦାବି କରିଛି ଯେ, ଏହି କୂଟନୀତିଜ୍ଞଙ୍କ ପାଖରୁ ଅନେକ ଏମିତି କାଗଜପତ୍ର ମିଳିଛି, ଯେଉଁଥିରେ ଏହା ସ୍ପଷ୍ଟ ହୋଇଛି ଯେ , ଗୁଇନ୍ଦା ସୂଚନା ସଂଗ୍ରହ କରିବା ସହ ଗୁଇନ୍ଦାଗିରି କରୁଥିଲେ। ଏବେ ଏହା ଉପରେ ବ୍ରିଟେନର ବିଦେଶ କାର୍ଯ୍ୟାଳୟ ବୟାନ ଜାରି କରି ରୁଷ୍ର ଏଫଏସବି ସୁରକ୍ଷା ସେବା ପକ୍ଷରୁ ତାଙ୍କର କର୍ମଚାରୀଙ୍କ ବିରୋଧରେ ଲଗାଯାଇ ଥିବା ଅଭିଯୋଗକୁ ସଂପୂର୍ଣ୍ଣ ରୂପେ ଭିତ୍ତିହୀନ କହିଛନ୍ତି।
ବ୍ରିଟେନ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ୟୁରୋପ ଓ ୟୁକେରେ ରୁଷ୍ ପକ୍ଷରୁ ନିର୍ଦ୍ଦେଶିତ ଗତିବିଧିର ଜବାବରେ ୟୁକେ ସରକାରଙ୍କର କାର୍ଯ୍ୟାନୁଷ୍ଠାନ ପରେ , ରୁଷ୍ ଗତ ମାସରେ ୟୁକେର ୬ଜଣ କୂଟନୀତିଜ୍ଞଙ୍କ ମାନ୍ୟତାକୁ ରଦ୍ଦ କରି ଦେଇଥିଲା। ବ୍ରିଟେନ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ , ସେ ନିଜର ରାଷ୍ଟ୍ରୀୟ ହିତର ସୁରକ୍ଷା ପ୍ରତି ସତର୍କ ଅଛି। ଆମେରିକା ଓ ବ୍ରିଟେନ ପକ୍ଷରୁ ୟୁକ୍ରେନକୁ ପାଖାପାଖି ୧.୫ ବିଲିୟନ ଡଲାରର ସହାୟତା ଦେବାର ପ୍ରତିଶ୍ରୁତି ପରେ ରୁଷ୍ର ଏହି ପଦକ୍ଷେପ ଉଠାଇଛି।
କହି ରଖୁଛୁ କି , ଏହି ଘଟଣାର ସୂତ୍ରପାତ ଏମିତି ସମୟରେ ହୋଇଛି, ଯେତେବେଳେ ରୁଷ୍ ଓ ବ୍ରିଟେନ ମଧ୍ୟରେ ଉତ୍ତେଜନା ବଢି ଚାଲିଛି। ୟୁକେର ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର ୟୁକ୍ରେନରେ ଯୁଦ୍ଧକୁ ନେଇ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିବାକୁ ଆମେରିକା ଗସ୍ତରେ ଅଛନ୍ତି।