ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଶୀତଳ ଯୁଦ୍ଧ ସୁରକ୍ଷା ଚୁକ୍ତି ବାତିଲ, ଚୁକ୍ତିରୁ ଓହରିଥିବା ଘୋଷଣା କଲା ରୁଷ୍‌

ମସ୍କୋ, ୮।୧୧: ଶୀତଳ ଯୁଦ୍ଧ ପରେ ପୂର୍ବ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ସଂଘର୍ଷ ରୋକିବାକୁ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚୁକ୍ତିରୁ ରୁଷ୍‌ ମଙ୍ଗଳବାର ଓହରିଯାଇଛି । ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ର ଶୀତଳ ଯୁଦ୍ଧ ପରବର୍ତ୍ତୀ ଏହି ସୁରକ୍ଷା ଚୁକ୍ତିକୁ ଅଣଦେଖା କରିବା ଏବଂ ନାଟୋର ବିସ୍ତାର ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ରୁଷ୍‌ କହିଛି । ରୁଷ୍‌ ଏହି ଘୋଷଣା କରିବାର କିଛି ଘଣ୍ଟା ପରେ ନାଟୋ ଏହି ଚୁକ୍ତିକୁ ବାତିଲ କରିଛି । ବର୍ଲିନ୍‌ ୱାଲ୍‌ ପତନର ବର୍ଷକ ପରେ ୧୯୯୦ ମସିହାରେ କନଭେନ୍ସନାଲ ଆର୍ମଡ୍‌ ଫୋର୍ସେସ୍‌ ଇନ୍‌ ୟୁରୋପ(ସିଏଫଇ) ଚୁକ୍ତିନାମା ହୋଇଥିଲା । ଏଥିରେ ସଶସ୍ତ୍ର ସେନା, ପାରଦର୍ଶିତା ଏବଂ ଅନ୍ତର୍ଜାତୀୟ ଆଇନ ମାନିବା ଆଦିକୁ ସାମିଲ କରାଯାଇଥିଲା । ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ଏବଂ ତତ୍କାଳୀନ ୱାରସ୍‌ ପ୍ୟାକ୍ଟ ମଧ୍ୟରେ ସାମରିକ ସନ୍ତୁଳନ ରକ୍ଷା ଲାଗି ସାମରିକ ଉପକରଣ ନିୟୋଜନକୁ ନିୟନ୍ତ୍ରଣ ବା ଏହାର ନିର୍ଦ୍ଦିଷ୍ଟ ସୀମା ସ୍ଥିର କରିବା ଏହାର ଉଦ୍ଦେଶ୍ୟ ଥିଲା । ନାଟୋର ସମସ୍ତ ୩୧ ସଦସ୍ୟ ଏଥିରେ ସାମିଲ ଥିଲେ । ରୁଷ୍‌ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୨୦୦୭ରେ ହିଁ ରୁଷ୍‌ ଏହି ଚୁକ୍ତିରେ ଅଂଶଗ୍ରହଣ ନ କରି ଏଥିରୁ ଦୂରେଇ ଯାଇଥିଲା । ଏବେ ଏହି ଚୁକ୍ତି ରୁଷ୍‌ ପାଇଁ ଇତିହାସ ହୋଇଛି । 

୨୦୨୩ ମେ’ରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଭିତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ । ୟୁରୋପ-ଆଟ୍‌ଲାଣ୍ଟିକ୍‌ ସୁରକ୍ଷାକୁ ଅଣଦେଖା କରାଯାଉଥିବାରୁ ନାଟୋ ଏହାର ନିନ୍ଦା କରୁବୋଲି ଉକ୍ତ ଘୋଷଣାନାମାରେ ପୁଟିନ୍‌ ଦାବି କରିଥିଲେ । ରୁଷ୍‌ର ଅଭିଯୋଗ ହେଉଛି, ନାଟୋର ବିସ୍ତାର ପାଇଁ ଆମେରିକାର ପ୍ରୋତ୍ସାହନ ଏହି ଚୁକ୍ତିର ଖୋଲାଖୋଲି ଉଲ୍ଲଂଘନ କରିଛି । ପାଶ୍ଚାତ୍ୟ ଦେଶଗୁଡ଼ିକ ଏହି ଚୁକ୍ତିନାମାକୁ ପାଳନ କରୁନାହାନ୍ତି । ନାଟୋରେ ଫିନ୍‌ଲାଣ୍ଡ୍‌କୁ ସାମିଲ କରାଯିବା ଏବଂ ଏହି ସାମରିକ ମେଣ୍ଟରେ ସୁଇଡେନ୍‌ର ଆବେଦନକୁ ଗ୍ରହଣ କରାଯିବା ପରଠାରୁ ଉକ୍ତ ଚୁକ୍ତିର ଆଉ କିଛି ବି ଗୁରୁତ୍ୱ ନାହିଁ । ଏପରିକି ରୁଷ୍‌ର ମୌଳିକ ସୁରକ୍ଷା ସ୍ୱାର୍ଥ ଦୃଷ୍ଟିରୁ ସିଏଫ୍‌ଇ ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବେ ରଖାଯିବା ମଧ୍ୟ ଗ୍ରହଣୀୟ ନୁହେଁ । ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ରମାନେ ୧୯୯୯ରେ ସିଏଫ୍‌ଇରେ ହୋଇଥିବା ଅପ୍‌ଡେଟକୁ ମଧ୍ୟ ଅନୁମୋଦନ କରି ନ ଥିବା ରୁଷ୍‌ ପକ୍ଷରୁ କୁହାଯାଇଛି । ସିଏଫ୍‌ଇରୁ ରୁଷ୍‌ ଓହରିଯିବା ନିଷ୍ପତ୍ତିକୁ ନାଟୋ ନିନ୍ଦା କରିଛି । ଏହା ୟୁରୋ-ଆଟ୍‌ଲାଣ୍ଟିକ୍‌ ନିରାପତ୍ତାର ଅଣଦେଖା ବୋଲି ନାଟୋ କହିଛି । 

ଏହି ଚୁକ୍ତିର ମୂଳ ଉଦ୍ଦେଶ୍ୟ ଥିଲା ଶୀତଳ ଯୁଦ୍ଧବେଳେ ଯେଉଁ ଦେଶଗୁଡ଼ିକ ମଧ୍ୟରେ ବିବାଦ ରହିଥିଲା ସେମାନେ ନିଜ ନିଜର ସୀମା ନିର୍ଦ୍ଧାରିତ କରିବେ ଏବଂ ଭବିଷ୍ୟତରେ ଯେପରି ସେମାନଙ୍କ ମଧ୍ୟରେ ସଶସ୍ତ୍ର ସଂଘର୍ଷ ନ ହୁଏ ତାହାକୁ ରୋକାଯିବ । ହେଲେ ଏହି ଚୁକ୍ତିରେ ଥିବା କେତେକ ପ୍ରାବଧାନକୁ ନେଇ ରୁଷ୍‌ ଅସନ୍ତୁଷ୍ଟ ଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହୋଇପାରି ନ ଥିଲା । ଦେଖିବାକୁ ଗଲେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରେ ଏହି ଚୁକ୍ତିର କିଛି ଅସ୍ତିତ୍ୱ ନ ଥିଲା । ତେଣୁ ରୁଷ୍‌ ଔପଚାରିକ ଭାବେ ଏଥିରୁ ଓହରିଥିବା ନେଇ ମଙ୍ଗଳବାର ଘୋଷଣା କରିଥିଲା । ଏହି ଚୁକ୍ତି ବାତିଲ ହେବା ପରେ ୟୁକ୍ରେନ୍‌କୁ ଲାଭ ହୋଇପାରେ । କାରଣ ରୁଷ୍‌ର ପଡ଼ୋଶୀ ଦେଶଗୁଡ଼ିକରେ ଏବେ ଆମେରିକା ଏବଂ ନାଟୋ ପ୍ରତ୍ୟକ୍ଷଭାବେ ନିଜ ସାମରିକ ଉପସ୍ଥିତି ଜାହିର କରିପାରିବେ । ଚୁକ୍ତିରୁ ଓହରି ଯାଇଥିବାରୁ ରୁଷ୍‌ ମଧ୍ୟ ଏଥିରେ ହସ୍ତକ୍ଷେପ କରିବା କଷ୍ଟକର ହେବ ।

Copyright © 2022 - Summa Real Media Private Limited. All Rights Reserved.