ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ, ଆବ୍ରାମ୍‌ ଟ୍ୟାଙ୍କ୍‌କୁ ଚାଲେଞ୍ଜ ଦେଉଛି ଶସ୍ତା ଡ୍ରୋନ୍‌

ନୂଆଦିଲ୍ଲୀ ୨୫/୦୩: ରୁଷ୍‌-ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ୨ ବର୍ଷ ହେଲା ଯୁଦ୍ଧ ଜାରିରହିଛି । ଯୁଦ୍ଧରେ ଏବେ ଖୁବ୍‌ କମ୍‌ ମୂଲ୍ୟ ବିନିମୟରେ ନିର୍ମିତ ରୁଷ୍‌ର ଡ୍ରୋନ୍‌ଗୁଡ଼ିକ ଆମେରିକାର ଦାମୀ ଆବ୍ରାମ୍‌ ଟ୍ୟାଙ୍କ୍‌କୁ କଡ଼ା ଚାଲେଞ୍ଜ ଦେଉଥିବା ଜଣାପଡ଼ିଛି । ସେଥିଯୋଗୁ ୟୁକ୍ରେନ୍‌ ପକ୍ଷରୁ ଅନେକଗୁଡି଼ଏ ଜବାବୀ ଆକ୍ରମଣ କରାଯାଉଥିବାବେଳେ ରୋବୋଟାଇନ୍‌ ଭଳି କିଛି ଅଞ୍ଚଳକୁ ଛାଡ଼ିଦେଲେ ରୁଷ୍‌ ନିୟନ୍ତ୍ରଣରେ ଥିବା ଅନ୍ୟ ଅଞ୍ଚଳଗୁଡି଼କୁ ପୁନଃଦଖଲ କରିବା ଲାଗି ୟୁକ୍ରେନ୍‌ର ଅଧିକାଂଶ ପ୍ରୟାସ ସଫଳ ହୋଇନାହିଁ । 

ରିପୋର୍ଟ ଅନୁସାରେ, ଡ୍ରୋନ୍‌ ଏବେ ଆଧନିକ ଯୁଦ୍ଧକୁ ବଦଳାଇ ଦେଇଛି । ସେଗୁଡ଼ିକ ଉଭୟ ସର୍ଭିଲାନ୍ସ କ୍ଷମତା ସହିତ ସିଧାସଳଖ ଆକ୍ରମଣର ବିକଳ୍ପ ଦେଉଛନ୍ତି । ସବୁଠୁ ଘାତକ ଭାବେ ସେଗୁଡ଼ିକୁ ‘କାମିକାଜ ଡ୍ରୋନ୍‌’ରେ ପରିଣତ କରାଯାଉଛି ଯାହାକି ଇରାନ୍‌ର ଶହିଦ୍‌ ମଡେଲ୍‌ ଭଳି ସିଧାସଳଖ ଟାର୍ଗେଟ୍‌କୁ ଧ୍ୱଂସ କରିଥାଏ । ଗୋଟିଏ ଛୋଟ କାର୍‌ର ମୂଲ୍ୟ ସହିତ ସମାନ ହୋଇଥିବା ଏହି ଡ୍ରୋନ୍‌ଗୁଡ଼ିକୁ ରୁଷ୍‌ ବ୍ୟାପକ ଭାବେ ୟୁକ୍ରେନ୍‌ ବିରୋଧରେ ବ୍ୟବହାର କରୁଛି । ଇରାନ୍‌ ନିକଟରୁ ରୁଷ୍‌ ଏଭଳି ୨୦୦୦ଟି ଡ୍ରୋନ୍‌ କିଣିଥିବା କୁହାଯାଉଛି ।

ନିକଟରେ ଆମେରିକାର ଜଣେ ବରିଷ୍ଠ ସାମରିକ ଅଧିକାରୀ ଦେଶର କଂଗ୍ରେସରେ ସୂଚନା ଦେଇଥିଲେ ଯେ, ଇରାନ୍‌ର ଡିଜାଇନ୍‌କୁ ଭିତ୍ତି କରି ରୁଷ୍‌ ୟୁକ୍ରେନ୍‌ ସଂଘର୍ଷରେ ବ୍ୟବହାର କରିବା ଲାଗି ପ୍ରତି ସପ୍ତାହରେ ୧୦୦ରୁ ଅଧିକ ଡ୍ରୋନ୍‌ ନିର୍ମାଣ କରୁଛି । ଏହି ବିକାଶ ସମକାଳୀନ ବୈଶ୍ୱିକ ଯୁଦ୍ଧ ପରିପ୍ରେକ୍ଷୀରେ ଛୋଟ ଡ୍ରୋନ୍‌ର ମହତ୍ତ୍ୱପୂର୍ଣ୍ଣ ପ୍ରଭାବକୁ ଦର୍ଶାଉଛି । ମୁଖ୍ୟତଃ କ୍ଷେପଣାସ୍ତ୍ର ବିପଦର ମୁକାବିଲା ଲାଗି ଡିଜାଇନ୍‌ ହୋଇଥିବା ମୂଲ୍ୟବାନ୍‌ ପ୍ରତିରକ୍ଷା ଉପକରଣଗୁଡ଼ିକ ଏହି ଶସ୍ତା ଡ୍ରୋନ୍‌ଗୁଡ଼ିକର ମୁକାବିଲା କରିବାରେ ପ୍ରଭାବଶାଳୀ ହୋଇପାରୁନାହିଁ । 

ଏସିଆନ୍‌ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଫେବ୍ରୁଆରୀ ମାସର ଶେଷଠାରୁ ଆଣ୍ଟି ଟ୍ୟାଙ୍କ୍‌ ମିସାଇଲ୍‌ ଓ ବିସ୍ଫୋରକଭର୍ତ୍ତି ଶସ୍ତା ଡ୍ରୋନ୍‌ ବ୍ୟବହାର କରି ରୁଷ୍‌ର ସେନା ଆମେରିକାର ୩ଟି ଆବ୍ରାମ ଟ୍ୟାଙ୍କ୍‌କୁ ନଷ୍ଟ କରିସାରିଲାଣି । ରୁଷ୍‌ର ଏହି ‘ଘାଉଲ୍‌’ ଡ୍ରୋନ୍‌ଗୁଡି଼କର ଦାମ୍‌ ମାତ୍ର ୫୦୦ ଡଲାର । କିନ୍ତୁ ଏହା ପ୍ରଯୁକ୍ତିଗତ ଭାବେ ତା’ଠାରୁ କାହିଁ କେତେଗୁଣରେ ଉନ୍ନତ ତଥା ବ୍ୟୟବହୁଳ ଆବ୍ରାମ ଟ୍ୟାଙ୍କ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି । ଗୋଟିଏ ଆବ୍ରାମ ଟ୍ୟାଙ୍କ୍‌ର ମୂଲ୍ୟ ୧୦ ନିୟତ ଡଲାରରୁ ବି ଅଧିକ । ଏଭଳିକ୍ଷେତ୍ରରେ ନୂଆ ପ୍ରତିରକ୍ଷା ରଣନୀତିରେ ଏବେ ଆଡ୍‌ଭାନ୍ସଡ୍‌ ଡିଟେକ୍ସନ୍‌ ସେନସର ଓ ଏଆଇ ପରିଚାଳିତ ଟ୍ରାକିଂ ସଫ୍ଟୱେରଯୁକ୍ତ ସ୍ୱତନ୍ତ୍ର ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଉପରେ ଗୁରୁତ୍ୱ ଦିଆଯାଉଛି । ଡ୍ରୋନ୍‌ ଆକ୍ରମଣକୁ ପ୍ରତିହତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.