କଣାସ,୩୦/୦୩: ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ସତ୍ୟବାଦୀ ଆସନରୁ ଛିଡ଼ା କରାଇଛି ଦଳ । ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରୁ ଭାଗ୍ୟ ପରୀକ୍ଷା କରିବେ । ପ୍ରାର୍ଥୀ ଘୋଷଣା ପରେ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି । ମଇଦାନକୁ ଓହ୍ଲାଇଲେଣି ନେତା । ହେଲେ ଏହି ରେସ୍ରେ ବିଜେପି ଓ କଂଗ୍ରେସ ପଛେଇ ଯାଇଥିବା ଚର୍ଚ୍ଚା ହେଉଛି । ବିଜେପିରେ ଏକାଧିକ ଆଶାୟୀ ଚିନ୍ତା ବଢ଼ାଇଥିବାବେଳେ ନିଷ୍ପତ୍ତି ନେଇପାରୁନାହାନ୍ତି ଦଳୀୟ କର୍ମକର୍ତ୍ତା ।
ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ରେସ୍ରେ ଅଛନ୍ତି ଗତଥରର ପରାଜିତ ପ୍ରାର୍ଥୀ ଓମ୍ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ ଓ ଯୁବନେତା କାମାକ୍ଷା ପ୍ରସାଦ ପ୍ରଧାନ । ଗତ ନିର୍ବାଚନରେ ଏହି ଆସନ ପଡ଼ିଥିଲା ବିଜେଡି ଖାତାରେ । ଉମାକାନ୍ତ ସାମନ୍ତରାୟ ୮୦ ହଜାରରୁ ଊଦ୍ଧ୍ୱର୍ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ଓମ୍ପ୍ରକାଶ ଶାସକ ଦଳକୁ କଡ଼ା ଟକ୍କର ଦେଇଥିଲେ ହେଁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କୁ ୬୨ ହଜାର ୫୦୦ରୁ ଅଧିକ ଭୋଟ ମିଳିଥିଲା । କଂଗ୍ରେସର ହେଭିୱେଟ ପ୍ରସାଦ ହରିଚନ୍ଦନ ମାତ୍ର ୧୧ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଗତ ନିର୍ବାଚନରେ ଅସନ୍ତୁଷ୍ଟ ଗୋଷ୍ଠୀ ବିଜେଡିର ଚିନ୍ତା ବଢ଼ାଇଥିଲେ । ଏହାର ଫାଇଦା ନେଇଥିଲେ ଓମ୍ପ୍ରକାଶ । ହେଲେ ଚଳିତଥର ସ୍ଥିତି ବଦଳିଯାଇଛି । ଗତଥର ଯେଉଁମାନଙ୍କ ଭରସାରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସେମାନେ ଏବେ ବିଜେଡିରେ । ବ୍ଲକ ଅଧ୍ୟକ୍ଷାଙ୍କ ସମେତ ସତ୍ୟବାଦୀ ଓ କଣାସର ପ୍ରାୟ ୧୫ ସରପଞ୍ଚ, ୧୪ ସମିତିସଭ୍ୟଙ୍କ ସମେତ ଆଗଧାଡ଼ିର ନେତା ଓମ୍ପ୍ରକାଶଙ୍କ ହାତ ଛାଡ଼ି ଦେଇଛନ୍ତି । ତୃଣମୂଳରେ ବିଜେପି ସଙ୍ଗଠନ ପୂର୍ବାପେକ୍ଷା ଦୁର୍ବଳ ହୋଇଯାଇଛି । ତଥାପି ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ଦଳ ରଣନୀତି ପ୍ରସ୍ତୁତ କରୁଛି ।
ସେପଟେ ରମାରଞ୍ଜନ ତାଙ୍କ ପୁଅଙ୍କୁ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ କରି ମାତ୍ର ୨୦୦ ଭୋଟରେ ହାରିଥିଲେ । ନିର୍ବାଚନ ମଣ୍ଡଳୀର ପୁରୁଣା ସଙ୍ଗଠନକୁ ଧରି ସେ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡ଼ିଛନ୍ତି । ଦୁଇ ନେତାଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଯୁବନେତା କାମାକ୍ଷା ପ୍ରାର୍ଥୀ ଦୌଡ଼ରେ ସାମିଲ ହୋଇଛନ୍ତି । ଗତ ଦୁଇବର୍ଷ ହେଲା ସେ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଭାଗ ନେଉଛନ୍ତି । ପରିବର୍ତ୍ତନ ଶୋଭାଯାତ୍ରା, ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଘରକୁ ଘର ବୁଲି ଲୋକଙ୍କୁ ଭେଟି ଆଶୀର୍ବାଦ ଲୋଡୁଛନ୍ତି । କାମାକ୍ଷାଙ୍କ ପ୍ରାର୍ଥୀ ହେବା ଦୃଢ଼ୋକ୍ତି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ଚିନ୍ତା ବଢ଼ାଇଛି । ଯଦି ଜଣକୁ ପ୍ରାର୍ଥୀ କରାଯାଏ, ତେବେ ବିଦ୍ରୋହ ଆଶଙ୍କକୁ ଏଡ଼ାଇ ଦିଆଯାଇପାରୁନାହିଁ । ଏଭଳି ଦ୍ୱନ୍ଦ୍ୱ ମଧ୍ୟରେ ସମସ୍ତଙ୍କ ନଜର ଅଟକିଛି ପ୍ରାର୍ଥୀ ଚୟନ ଉପରେ ।