ଚନ୍ଦାହାଣ୍ଡି ୪।୮ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଦଳବେଡା ପଂଚାୟତ ସଦର ଗ୍ରାମର ମାଛ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ଓଁମ ସାଇ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା । ମାଛ ଚାଷ କରି ସ୍ୱାବଲମ୍ବି ହୋଇ ଏଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ପାଇଁ ଉଦାହରଣ ସାଜିଛନ୍ତି l
ଦଳବେଡା ଓମ ସାଇ ଗୋଷ୍ଠୀ ୧୦ ଜଣ ସଦସ୍ୟା କୁ ନେଇ ଗଠନ କରାଯାଇଛି l ସମସ୍ତ ସଦସ୍ୟା ଚାଷୀ ପରିବାରର ହୋଇ ଥିବା ସହ ନିଜେ ରୋଜଗାର କରି ସ୍ୱାବଲମ୍ବି ହେବା ପାଇଁ ସେମାନେ ଉଦ୍ୟମ ଜାରି ରଖିଛନ୍ତି l ମିଶନ ଶକ୍ତି ଏବଂ ବ୍ୟାଙ୍କରୁ ଋଣ ନେଇ ମକା ପନିପରିବା ଚାଷ କରି ସେମାନେ ଭଲ ରୋଜଗାରକ୍ଷମ ହୋଇ ପାରିଥିଲେ l ଏହା ପରେ ଅଧିକା ରୋଜଗାର କରିବା ପାଇଁ ଓ଼ମ ସାଇ ସ୍ୱୟଂ ସହାୟିକା ଗୋଷ୍ଠୀ ଗ୍ରାମ ପଞ୍ଚାୟତରୁ ୪ଟି ବନ୍ଧ କୁ ନିଲାମ ନେଇ ଦୁଇ ବର୍ଷ ତଳେ ସେମାନେ ମାଛ ଚାଷ ଆରମ୍ଭ କରି ଥିବା ନେଇ ସଭାନେତ୍ରୀ ଗଜମତୀ ମାଝି ପ୍ରକାଶ କରିଛନ୍ତି l ପ୍ରଥମ ବର୍ଷ ସେମାନେ ୫୦ ହଜାର ଟଙ୍କା ଆୟ କରି ଥିବା ବେଳେ ଗତ ବର୍ଷ ଏକ ଲକ୍ଷ ଟଙ୍କା ରୋଜଗାର କରି ଥିଲେ l
ଚଳିତ ବର୍ଷ ସେମାନେ ୪ ଟି ବନ୍ଧ ରେ ରୋହି, ଭାକୁର, ସିଲଭର, ଗ୍ରାସକଫ, ମିରିକାଳ, ପେଟି ଭାକୁର, ପରି ସ୍ୱାଦିଷ୍ଟ ୫୦ କେଜି ଯାଆଁଳା ମାଛ ବିହନ ଛାଡି ଥିବା ନେଇ ସୂଚନା ଦେଇଛନ୍ତି l ପ୍ରଶାସନ ତରଫରୁ ରିହାତି ଦର ରେ ମାଛ ବିହନ ଯୋଗାଇ ଦେବା ସହ ମାଛ ଖାଦ୍ୟ ଏବଂ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ସହ ପୋଖରୀର ପୁନଃ ଉଦ୍ଧାର କରାଗଲେ ସେମାନେ ଆହୁରି ଅଧିକା ଲାଭବାନ ହୋଇ ପାରିବେ ବୋଲି ପ୍ରକାଶ କରିଛନ୍ତି l ଏଠାରେ ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରତି ପଞ୍ଚାୟତରେ ରହି ଥିବା ସରକାରୀ ବନ୍ଧକୁ ଲିଜ ନେଇ ମାଛ ଚାଷ କରି ସ୍ୱାବଲମ୍ବି ହେବା ସହ ଲୋକେ ଯେପରି ଆନ୍ଧ୍ର, ଛତିଶଗଡ ବରଫ ମାଛ ଉପରେ ଭରସା ନ କରିବେ ଏଥିପାଇଁ ବ୍ଲକ ମିଶନ ଶକ୍ତି ମହାସଂଘ ସବୁବେଳେ ଉଦ୍ୟମ ଜାରି ରଖିବ ବୋଲି ମହାସଂଘ ସମ୍ପାଦିକା ପ୍ରତିମା ଦାସ, ବି ଏଲ ଏଫ କୌଶଲ୍ୟା ପାଣ୍ଡେ, ମୁକ୍ତା ବିଶି ପ୍ରମୁଖ କହିଛନ୍ତି।
ଏ ସମ୍ପର୍କରେ ଚନ୍ଦାହାଣ୍ଡି ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ଭାବଗ୍ରାହୀ ନାୟକଙ୍କୁ ପଚାରିବାରୁ ଭଲ ମାଛ ଉତ୍ପାଦନ ପାଇଁ ଉପଯୁକ୍ତ ତାଲିମ ପ୍ରଦାନ ସହ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି କହିଛନ୍ତି। ସମସ୍ତ ସରକାରୀ ବନ୍ଧ ମାଛ ଚାଷ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଲିଜ ଦେବାକୁ ଚେଷ୍ଟା କରାଯିବ ବୋଲି ଜିପିଡିଓ ବାନାମ୍ବର ଦାଶ ସୂଚନା ଦେଇଛନ୍ତି l