ଢାକା,୫।୮: ପଡୋଶୀ ଦେଶ ବାଂଲାଦେଶରେ ହିଂସାର ନିଆଁ। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଦେଇଛନ୍ତି ଇସ୍ତଫା । ଏହାପରେ ସେ ଦେଶ ଛାଡି ସ୍ବତନ୍ତ୍ର ବିମାନ ଯୋଗେ ବାଂଲାଦେଶରୁ ଆସି ଭାରତରେ ପହଁଞ୍ଚିଛନ୍ତି । ସେପଟେ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ଓ୍ବାକର-ଉଜ୍-ଜମାନ୍ କହିଛନ୍ତି, ଦେଶରେ ଅନ୍ତରୀଣ ସରକାର ଗଠନ କରାଯାଉଛି।
ବାଂଲାଦେଶର ପ୍ରମୁଖ ଖବର କାଗଜ ‘ଢାକା ଟ୍ରିବ୍ୟୁନ୍’ର ରିପୋର୍ଟ ଅନୁସାରେ, ଶେଖ୍ ହସିନା ତାଙ୍କ ସାନ ଭଉଣୀ ଶେଖ୍ ରିହାନାଙ୍କ ସହ ଭାରତରେ ପହଁଞ୍ଚି ଯାଇଛନ୍ତି।ସେନା ହେଲିକପ୍ଟରରେ ହସିନା ମଧ୍ୟାହ୍ନ ୨ଟା ୩୦ ମିନିଟ୍ରେ ନିଜ ଭଉଣୀଙ୍କ ସହ ଭାରତ ଅଭିମୁଖେ ବାହାରିଥିଲେ।ହସିନା ଦେଶ ଛାଡିବା ପୂର୍ବରୁ ଏକ ବିଦାୟୀ ଭାଷଣ ରେକର୍ଡ କରିବାକୁ ଚାହୁଁଥିଲେ। ତେବେ ସ୍ଥିତି ଏତେ ଗୁରୁତର ହୋଇ ପଡିଥିଲା ଯେ, ଭାଷଣ ପ୍ରସ୍ତୁତି ଅଧାରେ ରଖି ଦେଶ ଛାଡି ପଳାୟନ କରିବାକୁ ପଡିଥିଲା। କୁହାଯାଉଛି ଯେ, ହସିନାଙ୍କୁ ସେନା ଦେଶ ଛାଡିବାକୁ ୪୫ ମିନିଟ୍ର ନୋଟିସ୍ ଦେଇଥିଲା।
ଏହା ମଧ୍ୟରେ ସେନା ମୁଖ୍ୟ ଦେଶକୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ବୋଧନରେ ସେ ହିଂସା ରୋକିବାକୁ କହିଛନ୍ତି। ଏହା ସହ ହିଂସାରେ ମୃତକଙ୍କୁ ନ୍ୟାୟ ଦିଆଯିବାର ପ୍ରତିଶୃତି ଦେଇଛନ୍ତି। ସେ ପ୍ରଦର୍ଶନକାରୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ କରିବା ସହ କହିଛନ୍ତି, ‘ଆମେ ଆପଣଙ୍କ ଦାବି ପୂରଣ କରିବୁ, ସଂଘର୍ଷଠାରୁ ଦୂରେଇ ରୁହନ୍ତି। ଆମେ ଆଜି ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛୁ।’