ଭୁବନେଶ୍ଵର, ୨୨।୦୮ : ସିମବକ୍ସ ଜବତ ଘଟଣାରେ ବାଂଲାଦେଶୀ କାର୍ପଟଦାର ଅସାଦ୍ଦୁର ଜମାନର ଫଟୋ ଜାରି କଲା କମିଶନରେଟ ପୋଲିସ। ସିମ୍ ବକ୍ସ ମାମଲାରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା। ଢ଼ାକାରେ ବସି ସିମ୍ ବକ୍ସ ନେଟଓ୍ବାର୍କ ଅପରେଟ୍ କରୁଥିଲା ଅସାଦ୍ଦୁର। ଢାକାରେ ବସି ସ୍ମାର୍ଟ ସୁଇଚ୍ରେ କରୁଥିଲା ଅପରେଟ। ସେଠାରେ ଏକ ସପ୍ଟଓୟାର କମ୍ପାନୀ ମଧ୍ୟ ଚଳାଇଥିଲା। ନିଜେ କମ୍ପାନୀ ତିଆରି କରିବା ସହ ଏହାକୁ ପରିଚାଳନା ବି କରୁଥିଲା। ଭୁବନେଶ୍ଵର ଓ ରାଞ୍ଚି ସିମ୍ ବକ୍ସ ସେଣ୍ଟରକୁ ସ୍ମାର୍ଟ ସୁଇଚ୍ ଲଗାଇ ଢାକାରେ ବସି ଡାଇରେକ୍ଟ ଅପରେଟ କରୁଥିଲା। ସେପଟେ ରାଜୁ ମଣ୍ଡଳକୁ ଏନ୍ଆଇଏ ଟିମ୍ ଜେରା କରିଛି। ଆହୁରି ୭ ଦିନ ରିମାଣ୍ଡରେ ଆଣି ଜେରା କରିପାରେ। ଏଥିପାଇଁ ଆବେଦନ କରିବ ଏନଆଇଏ।
ସିମ୍ ବକ୍ସ କାରବାରରେ ଅଭିଯୁକ୍ତ ରାଜୁ ମଣ୍ଡଳ ଭଳି ଆହୁରି ୨ଜଣ ବଙ୍ଗୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ରହିଛି। ବାଂଲାଦେଶୀ କାର୍ପଟଦାର ଅସାଦ୍ଦୁର ଜମାନ ଅକ୍ଟୋବରରେ ଭାରତ ଆସିଥିବା ବେଳେ ୨ ଏଜେଣ୍ଟଙ୍କୁ ପଶ୍ଚିମବଙ୍ଗରେ ଭେଟିଥିଲା। ଖୋଦ୍ ରାଜୁ ସେମାନଙ୍କୁ ଅସାଦ୍ଦୁର ସହ ଭେଟାଇବାର ଦାୟିତ୍ୱ ନେଇଥିଲା। ତା’ପରେ ଉଭୟେ ଓଡ଼ିଶା ଆସିଥିଲେ। ବହୁଚର୍ଚ୍ଚିତ ସିମ୍ ବକ୍ସ ରାକେଟ୍ରେ ସମ୍ପୃକ୍ତ ରାଜୁକୁ ଜେରା ବେଳେ ଏଭଳି ସାଂଘାତିକ ତଥ୍ୟ ଉଗାରିଛି ରାଷ୍ଟ୍ରୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) । ଅନୁମାନ କରାଯାଉଛି, ୨ ବଙ୍ଗୀୟ ଏଜେଣ୍ଟ ପଶ୍ଚିମବଙ୍ଗରେ ବିଭିନ୍ନ ଜାଗାରେ ସିମ୍ ବକ୍ସ ଖଞ୍ଜିଥାଇ ପାରନ୍ତି। ରାଜୁ ଗିରଫଦାରି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉଭୟେ ଗାଏବ୍ ହୋଇଯାଇଛନ୍ତି ।
ଏନ୍ଆଇଏ ଓଡି଼ଶା ଶାଖାର ୨ ବରିଷ୍ଠ ଅଧିକାରୀ ବୁଧବାର ପୂର୍ବାହ୍ନରେ ପୁଲିସ ସେବା ଭବନରେ ପହଞ୍ଚିଥିଲେ । ଉଭୟେ ପ୍ରଥମେ ପୁଲିସ ଆୟୁକ୍ତ ସଞ୍ଜୀବ ପଣ୍ଡାଙ୍କୁ ଭେଟିଥିଲେ । ଜବତ ହୋଇଥିବା ୧୭ଟି ସିମ୍ ବକ୍ସଗୁଡି଼କୁ ପରଖିଥିଲେ ଉଭୟ ଅଧିକାରୀ । କେଉଁ କେଉଁ ଦେଶରୁ ଅଧିକ ଫୋନ୍ କଲ୍ କରାଯାଇଛି ? ଏନେଇ ମଗାଯାଇଥିବା ତାଲିକାକୁ ତର୍ଜମା କରିଥିଲେ । ଅପରାହ୍ଣରେ ୨ ଅଧିକାରୀ ଚନ୍ଦକା ଥାନାରେ ପହଞ୍ଚି ରାଜୁ ମଣ୍ଡଳକୁ ବିଳମ୍ବିତ ସନ୍ଧ୍ୟା ଯାଏଁ ଜେରା କରିଥିଲେ । ଜେରା ବେଳେ ବାଂଲାଦେଶରେ ବିଛାଇଥିବା ନେଟୱର୍କକୁ ଗୁରୁତ୍ୱ ଦେଇଥିଲା ଏନ୍ଆଇଏ । ବାଂଲାଦେଶରେ କେତେଥର ଅସାଦ୍ଦୁରକୁ ଭେଟିଛି ? ଭେଟିବା ବେଳେ ଅସାଦ୍ଦୁର ସହ ଆଉ କିଏ ଥିଲା କି ? କିଛି ବନ୍ଧୁକଧାରୀ ଗୁଇନ୍ଦାଙ୍କୁ ସେଠାରେ ଭେଟିଛି କି ? ପଶ୍ଚିମବଙ୍ଗରେ କେଉଁଠି ୨ ବଙ୍ଗୀୟ ଏଜେଣ୍ଟକୁ ଅସାଦ୍ଦୁର ସହ ମିଶାଇଥିଲା ? ଅସାଦ୍ଦୁର ୨ ଏଜେଣ୍ଟଙ୍କୁ କେତୋଟି ସିମ୍ ବକ୍ସ ଯୋଗାଇଛି ? କେଉଁ କେଉଁ ସହରରେ ଖଞ୍ଜାଯାଇଛି ? ରାଜୁକୁ ଏଭଳି ପ୍ରଶ୍ନରେ ଛନ୍ଦିଥିଲେ ୨ ଅଧିକାରୀ । କମିଶନରେଟ ପୁଲିସ ସାମ୍ନାରେ ଅନର୍ଗଳ ତଥ୍ୟ ଉଗାରୁଥିବା ରାଜୁ କିନ୍ତୁ ଏନ୍ଆଇଏ ଅଧିକାରୀଙ୍କୁ ମାପିଚୁପି ଉତ୍ତର ଦେଇଥିବା ଜଣାପଡ଼ିଛି ।୨ ବଙ୍ଗୀୟ ଏଜେଣ୍ଟ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଅଞ୍ଚଳର ବୋଲି ସୂଚାଇଥିଲା । କିନ୍ତୁ ସେମାନଙ୍କ ବିଷୟରେ ଅଧିକ ତଥ୍ୟ ଦେବାରେ କୁଣ୍ଠାବୋଧ କରିଥିଲା । ସେହିପରି ସିମ୍ ବକ୍ସ ସମ୍ପର୍କରେ ମଧ୍ୟ ସେ ବେଶୀ କିଛି ତଥ୍ୟ ଦେଇନାହିଁ ।