ଅନୁଗୁଳ, ୧୪/୦୮ : ଜନବସତିକୁ ହାତୀ ଆସିଲେ ବାଜିବ ସାଇରନ୍ । ଏକ କିଲୋମିଟର ପର୍ଯ୍ୟନ୍ତ ଶୁଭିବ ସାଇରନ୍ର ଶବ୍ଦ । ଲୋକ ସତର୍କ ହେବେ, ହାତୀ ହାବୁଡ଼ରୁ ସୁରକ୍ଷିତ ରହିବେ । ହାତୀଙ୍କ ଗତିବିଧିକୁ ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ସତର୍କ କରାଇବା ପାଇଁ ଅନୁଗୁଳ ବନଖଣ୍ଡ ଅଧୀନ ବନ୍ତଳା ବନାଞ୍ଚଳର ହାତୀ ଉପଦ୍ରୁତ ଗାଁ’ମାନଙ୍କରେ ବର୍ଷେ ତଳେ ସାଇରନ୍ ଖଞ୍ଜିଥିଲା ବନ ବିଭାଗ । ମାତ୍ର ପରିଚାଳନାଗତ ତ୍ରୁଟି ପାଇଁ ମାତ୍ର ବର୍ଷକ ମଧ୍ୟରେ ଆଣ୍ଠେଇଲାଣି ଏହି ଯୋଜନା । ଏହି ଯନ୍ତ୍ର ଖଞ୍ଜିବା ବେଳେ ବନ ବିଭାଗ ଯେଉଁ ତତ୍ପରତା ଦେଖାଉଥିଲା, ଦିନ ଗଡିବା ପରେ ଆଉ ଦେଖିବାକୁ ମିଳୁନି । ଜନବସତିରେ ହାତୀ ଚଳପ୍ରଚଳ ସତ୍ତ୍ଵେ ସାଇରନ୍ ବାଜୁନି । ଫଳରେ ଲୋକ ହାତୀଙ୍କ ଉପସ୍ଥିତି ଜାଣିନପାରି ନାନା ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି ।
ବନ୍ତଳା ବନାଞ୍ଚଳ ହମାମିରା ଗ୍ରାମରେ ସାଇରନ୍ ଖଞ୍ଜିଛି ବନ ବିଭାଗ । ମାତ୍ର ଏହି ଯନ୍ତ୍ର ଦୀର୍ଘ ମାସ ହେଲା ଆଉ ଲୋକଙ୍କୁ ସତର୍କ କରାଉନି । ଗାଁ ମୁଣ୍ଡ ଓ ବିଲବାଡ଼ିରେ ହାତୀଙ୍କ ଉପଦ୍ରବ ଜାରି ରହିଥିବା ବେଳେ ସାଇରନ୍ କୌଣସି କାମରେ ଆସୁନି । କେବଳ ହମାମିରା ନୁହଁ, ବନ ବିଭାଗ ସାଇରନ୍ ଖଞ୍ଜିଥିବା ଅଧିକାଂଶ ଗାଁ’ରେ ସ୍ଥିତି ଏମିତି । ବନ୍ତଳା ବନାଞ୍ଚଳରେ ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇ ଦେଇଛି । ଜନବସତିରେ ବେଧଡ଼କ ଚଳପ୍ରଚଳ କରୁଥିବା ହାତୀପଲ ଫସଲପାତି ନଷ୍ଟ କରିଚାଲିଛନ୍ତି ।
ବନ ବିଭାଗର ସୂଚନା ମୁତାବକ, ବନ୍ତଳା ବନାଞ୍ଚଳରେ ଏବେ ୧୯ଟି ହାତୀ ରହିଛନ୍ତି । ଏହି ହାତୀପଲ ତଳଗଡ଼ରୁ ନୂଆକ୍ଷେତା, କଞ୍ଜାରୁ ବସଲା ପଞ୍ଚାୟତ ମଧ୍ୟରେ ଘୂରାଫେରା କରୁଛନ୍ତି । ହାତୀ ଉପରେ ବନ ବିଭାଗ ନଜର ରଖିଥିବା କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା । ହାତୀ ଜନବସତିରେ ରହୁଥିଲେ ହେଁ ସ୍ଥାନୀୟ ଲୋକମାନଙ୍କୁ ସଚେତନ କରାଯାଉନଥିବା ଅଭିଯୋଗ ହୋଇଛି । ବେଉଷଣ ଯୋଗୁଁ ଚାଷୀ ଚାଷକାର୍ଯ୍ୟରେ ମାତିଥିବା ବେଳେ ପାଦେ ପାଦେ ହାତୀ ଭୟ ରହିଛି । ଦେଢ଼ ବର୍ଷ ତଳେ ହାତୀ-ମଣିଷ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ୭୦ରୁ ଅଧିକ ହାତୀ କେବଳ ବ୍ୟାପକ କ୍ଷୟକ୍ଷତି କରିନଥିଲେ, ବର୍ଷକ ମଧ୍ୟରେ ୩୦ରୁ ଅଧିକ ଜୀବନ ନେଇଥିଲେ । ହାତୀ ଉପଦ୍ରବ କମାଇବା ପାଇଁ ସରକାର ପ୍ରାୟ ୪ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ଏହି ଟଙ୍କାରେ ସୌରବାଡ଼ଠାରୁ ଆରମ୍ଭ କରି ହାଇମାକ୍ସ ଲାଇଟ୍, ସାଇରନ୍ ଆଦି ଖଞ୍ଜାଯାଇଥିଲା ।
ଗତବର୍ଷ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ବନ୍ତଳା ବନାଞ୍ଚଳରେ ଦୁଇଟି ପର୍ଯ୍ୟାୟରେ ମୋଟ୍ ୩୭ଟି ସାଇରନ୍ ଖଞ୍ଜାଯାଇଛି । ଏହି ଯନ୍ତ୍ର ନେଟୱାକ୍ର୍ ଓ ସିମ୍ ଦ୍ୱାରା ପରିଚାଳିତ ହୋଇଥାଏ । ହାତୀର ଗତିବିଧି ଦେଖିବା କ୍ଷଣି ସ୍ଥାନୀୟ ବନ କର୍ମଚାରୀ ବନ ବିଭାଗକୁ କାର୍ଯ୍ୟାଳୟକୁ ଜଣାଇବେ । ଫଳରେ ଏହି ଯନ୍ତ୍ରରେ ଥିବା ସିମ୍କୁ କଲ୍ କଲେ ସାଇରନ୍ ବାଜି ଉଠିଥାଏ । ଆରମ୍ଭରୁ କିଛି ମାସ ବନ ବିଭାଗକୁ ଏହାକୁ ଗୁରୁତ୍ୱର ସହ ନେଇ ପରିଚାଳନା କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ବନ ବିଭାଗର ଅବହେଳା ଓ ପରିଚାଳନାଗତ ତ୍ରୁଟି ପାଇଁ ଅଧିଂକାଶ ସାଇରନ୍ ଆଉ କାମ କରୁନାହିଁ ।
ସେହିପରି ଅଧିକାଂଶ ଅଞ୍ଚଳରେ ସୌରବାଡ଼ ଭାଙ୍ଗିରୁଜି ଗଲାଣି । କେଉଁଠି ଲୋକ ତାର କାଟି ନେଇଗଲେଣି ତ ଆଉ କେଉଁଠି ଧରାଶାୟୀ ହୋଇଥିଲେ ହେଁ ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ । ଏ ସଂକ୍ରାନ୍ତରେ ବନ୍ତଳା ବନାଞ୍ଚଳ ଅଧିକାରୀ ନୀଳାଦ୍ରି ସାହୁଙ୍କ ସହ ଯୋଗାଯୋଗ କରିବାରୁ ଅଧିକାଂଶ ସାଇରନ୍ ବାଜୁନଥିବା ସେ ସ୍ୱୀକାର କରିଛନ୍ତି । ସୋଲାର ସିଷ୍ଟମ୍ରେ ଏହି ଯନ୍ତ୍ର ଚାର୍ଜ ହେଉଛି । ମାତ୍ର ଅଧିକାଂଶ ସମୟରେ ବ୍ୟାଟେରୀ ଡାଉନ୍ ଓ ଅନ୍ୟାନ୍ୟ ଯାନ୍ତ୍ରିକ ତ୍ରୁଟି ପାଇଁ ସାଇରନ୍ ବାଜୁନାହିଁ । ପୂର୍ବରୁ ୩୭ଟି ସାଇରନ୍ ଲାଗିଥିବା ବେଳେ ଆଉ କିଛି ଗାଁରେ ଏହି ଯନ୍ତ୍ର ଖଞ୍ଜିବାକୁ ପ୍ରସ୍ତାବ ଦିଆଯାଇଛି । ହାତୀ ଗତିବିଧି ଉପରେ ବନ ବିଭାଗ ନଜର ରଖିଥିବା ସେ ପ୍ରକାଶ କରିଛନ୍ତି ।