ନୂଆଦିଲ୍ଲୀ,୧୦।୯: ବାମପନ୍ଥୀ ଦଳ ସିପିଏମ୍ ନେତା ସୀତାରାମ ୟେଚୁରୀଙ୍କ ସ୍ଥିତି ଗୁରୁତର। ନିଶ୍ବାସ ନେବାରେ କଷ୍ଟ ଅନୁଭବ ପରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଦିଲ୍ଲୀ ଏମ୍ସରେ ଚାଲିଛି। ଏବେ ତାଙ୍କୁ ଆଇସିୟୁରେ ଭର୍ତ୍ତ କରାଯାଇଛି। ପାର୍ଟି ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଏକ ଡାକ୍ତରୀ ଟିମ୍ ୟେଚୁରୀଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ଏବଂ ୟେଚୁରୀଙ୍କ ସ୍ଥିତି ବର୍ତ୍ତମାନ ଗୁରୁତର ରହିଛି। ତାଙ୍କୁ ନିମୋନିଆ ଓ ଛାତିରେ ସଂକ୍ରମଣ ଚିକିତ୍ସା ପାଇଁ ୧୯ ଅଗଷ୍ଟରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ପୂର୍ବରୁ ତାଙ୍କର ମୋତିଆବିନ୍ଦୁ ସର୍ଜରୀ ମଧ୍ୟ ହୋଇଥିଲା।
ସିପିଏମ୍ ମହାସଚିବ ଗତ ତିନି ସପ୍ତାହରେ ଲଗାତାର ଏମ୍ସରେ ଆଡମିଟ୍ ହୋଇଛନ୍ତି। ତାଙ୍କର ସ୍ବାସ୍ଥ୍ୟ ଗତ ଏକ ସପ୍ତାହରେ ସୁଧାର ହୋଇଥିଲା, କିନ୍ତୁ ପୁଣିଥରେ ସମସ୍ୟା ବଢିଯାଇଛି। ୭୨ ବର୍ଷୀ ସୀତାରାମଙ୍କ ପକ୍ଷରୁ ହସ୍ପିଟାଲରେ ରହିବା ବେଳେ ୨୨ ଅଗଷ୍ଟରେ ଏକ ୬ ମିନିଟ୍ର ଭିଡିଓ ଜାରି କରାଯାଇଥିଲା। ଭିଡିଓରେ ସେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ ଉପରେ ଦୁଃଖ ପ୍ରକାଶ କରିଥିଲେ। ଏହାପରେ ୨୩ ତାରିଖରେ ସେ ଏକ ବାର୍ତ୍ତା କଂଗ୍ରେସ, ନ୍ୟାସନାଲ କନଫ୍ରେନ୍ସ ଓ ସିପିଏମ୍ ମଧ୍ୟରେ ଜମ୍ମୁ-କଶ୍ମୀରକୁ ଯୋଡିବାକୁ ନେଇ ଲେଖିଥିଲେ।
ସେ ନିଜର ପୁରୁଣା ସାଙ୍ଗ ଏଜି ନୁରାନିଙ୍କ ପରଲୋକ ଉପରେ ମଧ୍ୟ ୨୯ ଅଗଷ୍ଟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବାମପନ୍ଥୀ ଦଳକୁ ମେଣ୍ଟ ରାଜନୀତିରେ ପ୍ରାସଙ୍ଗିକତା ବଜାୟ ରଖିବାରେ ୟେଚୁରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା।୨୦୦୪ ରେ ତିଆରି ୟୁପିଏ ସରକାରର କମନ୍ ମିନିମମ୍ ପୋଗ୍ରାମ ପ୍ରସ୍ତୁତ କରାଯାଇଥିଲା। ସେଥିରେ ତାଙ୍କ ସହ ପି.ଚିଦାମ୍ବରମ୍ ମଧ୍ୟ ସାମିଲ ଥିଲେ। ୧୯୭୫ ରେ ଜରୁରୀକାଳୀନ ସମୟ ବେଳେ ୟେଚୁରୀଙ୍କୁ ଗିରଫ କରାଯାଇଥିଲା। ସେ ଜେଏନ୍ୟୁ ଛାତ୍ରସଂଘର ଅଧ୍ୟକ୍ଷ ମଧ୍ୟ ଥିଲେ।