ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମଫେଡ୍ ଘିଅ
  • ||
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ସ୍ମାର୍ଟ ସିଟି ରାସ୍ତାଘାଟ ଖାଲଖମାରେ ଭର୍ତ୍ତି, ଦେଖିକି ଚାଲ ମାରିଦେବ ଏ ରାସ୍ତା...

ଭୁବନେଶ୍ୱର,୧୩/୦୯: ସ୍ମାର୍ଟ ହେବ ଭୁବନେଶ୍ୱର । ରାଜଧାନୀର ସ୍ମାର୍ଟନେସ୍‌ ପାଇଁ ପାଣି ଭଳି ଖର୍ଚ୍ଚ ହୋଇଛି  ପାଣ୍ଠି । ପୂର୍ବ ସରକାର ଚିକିମିକିଆ ରାଜଧାନୀ  ପାଇଁ ଆଣ୍ଠୁଗଣ୍ଠି ଛିଡାଇ ପକାଇଥିଲେ । ନୂଆ  ସରକାର ବି ଶାସନ ଭାର ସମ୍ଭାଳିବାର ୧୦୦ ଦିନ  ପୂରିଲାଣି । ମାତ୍ର ରାଜଧାନୀର ଏ ସ୍ମାର୍ଟନେସ୍‌  ଦିନକୁ ଦିନ ମଳିନ ପଡ଼ିବାରେ ଲାଗିଛି । ରାସ୍ତାର  ଅବସ୍ଥା ଦେଖି ହାଇକୋର୍ଟ ଉଦ୍‌ବେଗ ପ୍ରକାଶ  କରିଛନ୍ତି। ସଫେଇ ହେଉ ବା ରାସ୍ତାଘାଟର  ଦୁରବସ୍ଥା, ସବୁକିଛି ସରକାରୀ କଳର  ପାରିବାପଣିଆର ଧଜିଆ ଉଡାଇବାରେ ଲାଗିଛି...

ସ୍ଥିତି ସାଂଘାତିକ ।  ଯୁଆଡ଼େ ଯିବ, ସିଆଡ଼େ ଖାଲଖମା । ରାସ୍ତାରୁ  ପିଚୁ ଉଠିଗଲାଣି । ଗୋଡ଼ି ବିଛାଇ ହୋଇ ପଡ଼ିଛି।  କେଉଁଠି କାଦୁଅ, ଆଉ କେଉଁଠି ପାଣି । ଟିକିଏ ନଜର  ହଟିଲେ, ଦୁର୍ଘଟଣା ହେବା ଥୟ । କେତେବେଳେ  ଯେ ଏ ରାସ୍ତା ମାରିଦେବ, କହି ହେବନି । ସ୍ମାର୍ଟ ସିଟି  ଭୁବନେଶ୍ୱରର ରାସ୍ତାଘାଟ ଅବସ୍ଥା ଏମିତି ବିପଜ୍ଜନକ  ଅବସ୍ଥାରେ ରହିଛି । 

ଭୁବନେଶ୍ୱରର ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ,  ଯେଉଁଆଡ଼େ ଯିବେ ତ୍ରାହି ମିଳିବନି ରାସ୍ତା ସମସ୍ୟାରୁ ।  ସବୁଠି ଆଁ ମେଲାଇ ଚାହିଁଛି ଖାଲଖମା ରାସ୍ତା । ସ୍ଥିତି  ଏତେ ଉଦବେଗଜନକ ଯେ ଲୋକେ ତ୍ରାହି ତ୍ରାହି  ଡାକିଲେଣି । ଚିନ୍ତାର ବିଷୟ ହେଲା, ପ୍ରତିବର୍ଷ ଅନ୍ୟୁନ  ଥରେ କିମ୍ବା ଦୁଇ ଥର ପ୍ରତି ରାସ୍ତା ମରାମତି ହେଉଛି ।  କେଉଁଠି ତାଳି ପକା ପିଚୁ ଢଳା ଯାଉଛି, ଆଉ କେଉଁଠି  ପୂରା ନୂଆ କାମ ହେଉଛି । ହେଲେ ୪ ମାସ ବି ଯାଉନି,  ପୁଣି ପିଚୁ ଛେଲା ଉଡ଼ିଯାଉଛି । ପୂର୍ତ୍ତ ମନ୍ତ୍ରୀ ଶୁକ୍ରବାର  ଜରୁରୀ ବୈଠକ ଡାକିଛନ୍ତି ସ୍ଥିତି ସମୀକ୍ଷା କରିବା ପାଇଁ ।

ନଜର ପକାନ୍ତୁ ସ୍ମାର୍ଟ ସିଟିର ସ୍ମାର୍ଟ ଜନପଥ  ଉପରେ । ବାଣୀବିହାରରୁ ସତ୍ୟନଗର ରାସ୍ତାରୁ ପିଚୁ  ଉଠିଗଲାଣି । ରାସ୍ତାରେ ଗୋଡ଼ି ବିଛାଇ ହୋଇ ପଡ଼ିଛି ।  ରାଜମହଲ ଛକ ଉପରେ ଖାଲ ଏତେ ଯେ ବର୍ଷା  ହେଲେ ପାଣି ଜମୁଛି । ଏଜିରୁ ରାଜମହଲ ରାସ୍ତାରେ  ବି ସମାନ ସ୍ଥିତି ।  ଭୁବନେଶ୍ୱରର ପ୍ରବେଶ ପଥ ରସୁଲଗଡ଼ ଛକ । ରସୁଲଗଡ଼ ଓଭରବ୍ରିଜ ତଳେ ବିରାଟ ଖାଲ । ବର୍ଷା  ହେଲେ ଗାଡ଼ି ପଡ଼ିଯାଉଛି ଏ ଖାଲରେ। ଲୋକେ  ରାସ୍ତା ପାର ପାଇଁ ନାକେଦମ ହେଉଛନ୍ତି । ଭିଏସ୍‌ଏସ୍‌  ନଗର-ଚକେଇସିଆଣୀ ରାସ୍ତା ସାରା ଖାଲି କାଦୁଅ ।  ଭିଏସଏସନଗର ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌  ତଳେ ପଚପଚ କାଦୁଅ ଆଉ ପାଣି । ଦେଖିଲେ  ଲାଗିବ କେଉଁ ଦୁର୍ଗମ ପାହାଡ଼ି ଅଞ୍ଚଳ ।  

ପୁରୁଣା ଭୁବନେଶ୍ୱର ବିବେକାନନ୍ଦ ମାର୍ଗରେ  ଗଲେ ସାନିଟାରୀ ଛକରେ ଗାଡ଼ିମଟର ଧଡ଼ଧଡ଼  ହେବ । ରାସ୍ତାରୁ ପିଚୁ ଉଠିପଡିଛି । ସବୁଠି ଠାଏଠାଏ  ପାଣି ଜମିଛି । ସୁନ୍ଦରପଦା ଗୋଲେଇ ଛକରେ ମଧ୍ୟ  ରାସ୍ତାରୁ ପିଚୁ ଉଠିଗଲାଣି । ପ୍ରତିଦିନ ସେଇଠି ଲୋକେ  ପଡ଼ୁଛନ୍ତି । କପିଳେଶ୍ୱର ରାସ୍ତା ଅବସ୍ଥା ବି ଶୋଚନୀୟ ।  

ଖଣ୍ଡଗିରି-ଜାଗମରା ଓ ଗଣ୍ଡମୁଣ୍ଡା-ପୋଖରୀପୁଟ  ସାରା ଏତେ ଖାଲ ଯେ ଗଣିବା ମୁସ୍କିଲ । ଶିରିପୁର- ସିଟି  ମହିଳା କଲେଜ ରାସ୍ତା ସୁଧୁରୁ ନାହିଁ । ଜାଗମରାସୌଭାଗ୍ୟନଗର ରାସ୍ତାରେ ବି ପିଚୁ ଉଠିଗଲାଣି ।  ଜୟଦେବ ବିହାର- ବିଜୁ ପଟ୍ଟନାୟକ କଲେଜ ରାସ୍ତା,  ଷ୍ଟିୱାର୍ଟ ସ୍କୁଲ- ଡେଲ୍‌ଟା, ନନ୍ଦନକାନନ- ଆଚାର୍ଯ୍ୟବିହାର  ରାସ୍ତା, ଡୁମୁଡୁମା, ପାତ୍ରପଡ଼ା, କଳ୍ପନା ଛକ-କଟକ  ରୋଡ, ବମିଖାଲ ରାସ୍ତା ବି ନିତି କନ୍ଦାଉଛି ।  

କଳିଙ୍ଗ ଷ୍ଟୁଡିଓ ଛକରୁ ରେଣ୍ଟାଲକୁ ଲମ୍ବିଥିବା ରାସ୍ତା  କିଛି ମାସ ତଳେ ହୋଇଥିଲା । ଏବେ ଦୟନୀୟ ।  ସେହିପରି ଶାମପୁର- ମେଣ୍ଢାଶାଳ ରାସ୍ତା ବି ମରାମତି  ହେଉନି । ଏସବୁ ମୁଖ୍ୟ ରାସ୍ତା ଅବସ୍ଥା ଏମିତି  ହୋଇଥିବାବେଳେ ଗଳିକନ୍ଦି କଥା ନ କହିବା ଭଲ ।  

ପ୍ରତି ବର୍ଷ ପୂର୍ତ୍ତ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା  ଖର୍ଚ୍ଚ ହେଉଛି । ମାତ୍ର ବିଡ଼ମ୍ବନା, କୌଣସି ଗୋଟିଏ  ରାସ୍ତାର ଆୟୁଷ ମାତ୍ର ବର୍ଷେ ଯାଉନି । ବର୍ଷକ ଭିତରେ  ରାସ୍ତା ପୂରା ଛେଲି ହୋଇଯାଉଛି । ଲାଗୁଛି ଯେମିତି କେହି  ଏସ୍କାଭେଟର ଧରି ରାସ୍ତାକୁ ଖୋଳି ତାଡ଼ି ପକାଇଛି । 

ରାସ୍ତାର ଦୁରାବସ୍ଥା ନେଇ ପ୍ରମେୟ ପକ୍ଷରୁ  ଖବର ପ୍ରକାଶ କରିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ  ବିଭିନ୍ନ ସ୍ଥାନରେ ମରାମତି ଆରମ୍ଭ ହୋଇଛି। ବିଭିନ୍ନ  ସ୍ଥାନରେ ରାସ୍ତାରେ ବଜୁରୀ ପକାଯାଉଛି । ହେଲେ  ଏହା ଦିନକରେ ଉଠିଯାଉଛି । ତାଳିପକା କାମ ଏତେ  ଖରାପ ହେଉଛି ଯେ ଏହା ସ୍ମାର୍ଟ ସିଟି ସ୍ମର୍ଟନେସର  ଧଜିଆ ଉଡାଇ ଦେଉଛି ।  

ପିଚୁ ରାସ୍ତା ସ୍ଥିତି ଏଭଳି ହୋଇଥିବାବେଳେ  ପୂର୍ତ୍ତ ଓ ବିଏମ୍‌ସି ପକ୍ଷରୁ ବିଛାଯାଇଥିବା ପେଭର  ବ୍ଲକ ରାସ୍ତା କଥା ଆହୁରି ଦୟନୀୟ । ପ୍ରାୟ ସବୁଠି  ପେଭର ଉଠିଗଲାଣି । ଏମିତି ବିଛାଇ ହୋଇ ପଡ଼ୁଛି  ଯେ ଗାଡ଼ିମୋଟର ଚଳାଇବା ବି ବିପଦଜନକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.