କଲମ୍ବୋ,୦୪/୦୮: ରବିବାର ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ଖେଳାଯିବ । ପ୍ରଥମ ଦିନିକିଆ ‘ଟାଇ’ ହେବା ପରେ ବାକି ୨ଟି ଦିନିକିଆକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ଉତ୍ସୁକତା ବଢ଼ି ଯାଇଛି । ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବା ପାଇଁ ସଂଘର୍ଷ କରୁଥିବା ଶ୍ରୀଲଙ୍କା ଦଳ ଶକ୍ତିଶାଳୀ ଭାରତକୁ ବିଜୟରୁ ଅଟକାଇବା ପରେ ଦ୍ୱିତୀୟ ମୁକାବିଲାରେ ମଧ୍ୟ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି ।
ପ୍ରଥମ ଦିନିକିଆରେ ଭାରତ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ କରିଥିଲା । କେବଳ ରୋହିତ ଶର୍ମାଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଅର୍ଦ୍ଧଶତକ ଅର୍ଜନ କରିପାରି ନଥିଲେ । ମୂଳଦୁଆ ଦୃଢ଼ ହୋଇସାରିଥିବାରୁ ଯେକୌଣସି ଜଣେ ବ୍ୟାଟରଙ୍କୁ କ୍ରିଜ୍ରେ ଜମି ରହିଥିଲେ ବିଜୟ ସମ୍ଭବ ହୋଇପାରିଥାନ୍ତା । ମାତ୍ର ଶ୍ରୀଲଙ୍କାର କୁଶଳୀ ସ୍ପିନରଙ୍କ ବିପକ୍ଷରେ ବଡ଼ ସଟ୍ ଖେଳିବାକୁ ଯାଇ ସବୁ ବିଫଳ ହୋଇଥିଲେ। ସ୍କୋର ବରାବର ହେବା ପରେ ବଲ୍ ବାକି ଥାଇ ଅଲଆଉଟ୍ ହେବା ନିଶ୍ଚିତ ପକ୍ଷେ ଚିନ୍ତାର ବିଷୟ ।
ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ଶ୍ରେୟାସ ଆୟରଙ୍କ ଭଳି ପ୍ରସିଦ୍ଧ ବ୍ୟାଟରମାନେ ଥାଇ ମଧ୍ୟ ୨୩୧ ରନ୍ ସଂଗ୍ରହ କରିନପାରିବା ଭାରତୀୟ ଦଳ ପାଇଁ ଲଜ୍ଜାର ବିଷୟ କହିଲେ ଭୁଲ ହେବ ନାହିଁ । ଆସନ୍ତା କାଲି ଟି-ଟ୍ୱେଣ୍ଟି ଫର୍ମାଟ ମନୋଭାବ ପରିବର୍ତ୍ତନ କରି ଭାରତକୁ ପ୍ରଥମେ ବ୍ୟାଟିଂ ତ୍ରୁଟି ସୁଧାରିବାକୁ ହେବ ।
୫ଜଣ ପ୍ରମୁଖ ବୋଲରଙ୍କୁ ହରାଇବା ସତ୍ତେ୍ୱ ଶ୍ରୀଲଙ୍କା ଲଢେଇ କରି ମ୍ୟାଚ୍ ‘ଟାଇ’ ରଖିବା ମଧ୍ୟ ବିଜୟ ସହ ସମାନ । ଏହି ପ୍ରଦର୍ଶନ ଦଳର ମନୋବଳ ଦ୍ୱିଗୁଣା କରିଥିବ । ତଥାପି ଦଳ ବ୍ୟାଟିଂ ବିଭାଗର ତ୍ରୁଟିକୁ ସୁଧାରିବ । ବିଶେଷ କରି ମଧ୍ୟକ୍ରମ ବ୍ୟାଟିଂ ବିଭାଗକୁ ଉପଯୋଗୀ ଭାଗିଦାରୀ ଗଠନ କରିବାକୁ ହେବ ।
ଭାରତ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ପିଚ୍ ସ୍ପିନରଙ୍କୁ ସୁହାଉଥିବାରୁ ଶିବମ ଦୁବେଙ୍କ ସ୍ଥାନରେ ରିୟାନ ପରାଗଙ୍କୁ ବ୍ୟାଟିଂ ଅଲ୍ରାଉଣ୍ଡର ଭାବେ ଖେଳିବାକୁ ସୁଯୋଗ ମିଳିପାରେ । ଶ୍ରୀଲଙ୍କା ଏକାଦଶରେ ପରିବର୍ତ୍ତନ କରିବା ଏକ ପ୍ରକାର ନିଶ୍ଚିତ । ବ୍ୟାଟିଂ ବିଭାଗକୁ ଲମ୍ବା କରିବା ପାଇଁ ମହମ୍ମଦ ସିରାଜଙ୍କ ସ୍ଥାନରେ ଚାମିକା କରୁଣାରତ୍ନେ ଏକାଦଶରେ ସ୍ଥାନ ପାଇବେ । ଆର ପ୍ରେମଦାସା ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନକୂଳ ରହିବ । ମାତ୍ର ସ୍ପିନରମାନେ ଭରପୁର ଫାଇଦା ଇଠାଇ ପାରିବେ । ପ୍ରଥମ ଦିନିକିଆରେ ମଧ୍ୟ ପିଚ୍ରୁ ଉପଯୁକ୍ତ ଟର୍ଣ୍ଣ ଓ ବାଉନ୍ସ ଦେଖିବାକୁ ମିଳିଥିଲା । ଟସ୍ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । ସ୍ଥାନୀୟ ଜଳବାୟୁ ଅନୁଯାୟୀ ଅପରାହ୍ଣରେ କାକର ନଥିବାରୁ ବଲ୍ ଓଦା ହେଉନାହିଁ । ଫଳରେ ସ୍ପିନରମାନେ ଫାଇଦା ପାଉଛନ୍ତି ।
ସମ୍ଭାବ୍ୟ ଦଳ
ଶ୍ରୀଲଙ୍କା:ପଥୁମ ନିଶଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, କୁଶଲ ମେଣ୍ଡିସ୍, ସଦିରା ସମରବିକ୍ରମା, ଚରିଥ ଆଶାଲଙ୍କା(ଅଧିନାୟକ), ଜନିଥ ଲିୟାନେଜ, ଦୁନିଥ ୱେଲାଲଗେ, ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନେ/ମହମ୍ମଦ ସିରାଜ, ଅକିଳ ଧନଞ୍ଜୟ, ଆସିଥା ଫର୍ଣ୍ଣାଣ୍ଡୋ ।
ଭାରତ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ଶିବମ ଦୁବେ/ରିୟାନ ପରାଗ, ଅକ୍ଷର ପଟେଲ, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ ।