ପୁରୀ, ୦୩/୦୯ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଖୋର୍ଦ୍ଧା ଜିଲ୍ଲାରେ ଥିବା ପଥର ଖଣିରୁ ମନଇଛା ପଥର ଖନନ କରିନେଇଥିବା ୧୯ ଲିଜ୍ଧାରୀଙ୍କ ମଧ୍ୟରୁ ଜରିମାନା ଦାଖଲ କରି ନଥିବା ୬ ଲିଜ୍ଧାରୀଙ୍କୁ କଳା ତାଲିକାଭୁକ୍ତ କରିଛି ଶ୍ରୀମନ୍ଦିର ପ୍ରଶାସନ । ସେମାନେ ହେଲେ ଜଗଦୀଶ ବରାଳ, ନରେନ୍ଦ୍ର ଭଉଲ, ଦିଲ୍ଲୀପ କୁମାର ଜେନା, ଦେବସ୍ମିତା ସାମନ୍ତରାୟ, ଦେବରାଜ ପ୍ରହରାଜ ଓ ଅଜୟ ଅଗ୍ରୱାଲ । ସେମାନେ ଭବିଷ୍ୟତରେ ଶ୍ରୀମନ୍ଦିର ପ୍ରଶାସନର କୌଣସି ଟେଣ୍ଡରରେ ଭାଗ ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି । ଓପିଡିଆର ଆକ୍ଟରେ ସେମାନଙ୍କଠାରୁ ମନଇଛା ଖଣି ଉତ୍ତୋଳନ ବାବଦ ଅର୍ଥ ଆଦାୟ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏବାବଦରେ ଖୋର୍ଦ୍ଧାର ଖଣି ରହିଥିବା ନିକଟସ୍ଥ ଥାନାରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏତଲା ମଧ୍ୟ ହୋଇଛି ।
ସେହିପରି ଅନ୍ୟ ୧୩ ଜଣ ପ୍ରାୟ ୬ କୋଟି ଟଙ୍କା ଜରିମାନା ଦାଖଲ କରିଛନ୍ତି । ଜରିମାନା ପରିମାଣ କମାଇବାକୁ ଲିଜଧାରୀମାନେ କରିଥିବା ଆବେଦନକୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ସେମାନେ ଜରିମାନା ଅର୍ଥ ଦାଖଲ କରିଛନ୍ତି । ପ୍ରାୟ ୨୨ କୋଟି ଟଙ୍କାକୁ ହ୍ରାସ କରାଯାଇ ୧୨ କୋଟି କରାଯାଇଛି । ୨୦୨୧-୨୨ ଓ ୨୦୨୨- ୨୩ ଆର୍ଥିକ ବର୍ଷରେ ଖଣି ଉତ୍ତୋଳନ ପରିମାଣକୁ ପୁନଃ ସମୀକ୍ଷା କରାଯାଇ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ସେହିପରି ଚଳିତ ଆର୍ଥିକ ବର୍ଷ ପରଠାରୁ ଷ୍ଟିଲ୍ସ ଆଣ୍ଡ ମାଇନିଂ ବିଭାଗ ଜରିଆରେ ଶ୍ରୀମନ୍ଦିର ପ୍ରଶାସନ ଖୋର୍ଦ୍ଧାରେ ଥିବା ମହାପ୍ରଭୁଙ୍କ ୨୨ଟି ମାଙ୍କଡ଼ା ପଥର ଖଣି ଓ ୧୬ଟି ଘର ନିର୍ମାଣ ପଥର ଖଣିକୁ ନିଲାମ କରିବ ବୋଲି ନିଷ୍ପତ୍ତି ନେଇଛି । ୧୬ଟି ନିର୍ମାଣ ତିଆରି ପଥର ଖଣି ନିଲାମ ହେଲେ ଏଥିରୁ ଶ୍ରୀମନ୍ଦିର ପ୍ରଶାସନ ବାର୍ଷିକ ପ୍ରାୟ ୫୦ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରୁଛି । ଶ୍ରୀମନ୍ଦିର ପ୍ରଶାସନର ନିଜସ୍ୱ ରାଜସ୍ୱ ଆୟ ଖଣି ସୂତ୍ରରୁ ବଢ଼ିଛି । ତେଣୁ ଏହା ଉପରେ ବିଶେଷ ଫୋକସ୍ ଦିଆଯାଉଛି ।