ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି, ଗୁରୁବାର ହେବ ନନ୍ଦୋତ୍ସବ

ପୁରୀ, ୬/୯ : ଆଜି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନୀତି। ଜନ୍ମନୀତି କ୍ରମରେ ଭାଦ୍ର କୃଷ୍ଣ ସପ୍ତମୀ ତିଥିରେ ସନ୍ଧ୍ୟାଧୂପ ବଢ଼ିବା ପରେ ଜୟ ବିଜୟ ଦ୍ୱାର ବନ୍ଦ କରିଦିଆଯାଇ ଭିତର କାଠ ନିକଟରେ ଟେରା (ସିଂହାସନସ୍ଥ ଠାକୁରମାନଙ୍କ ସମ୍ମୁଖରେ ବନ୍ଧା ଯାଉଥିବା ବସ୍ତ୍ର) ବନ୍ଧାଯାଇ ଅଣସର ପିଣ୍ଡିକୁ ଜେଉଟ ଭୋଗ ଛେକରେ ଅଣାଯାଏ । ସୁଖ ପ୍ରସବ ପାଇଁ ଜେଉଟ ହେଉଛି ଏକପ୍ରକାର ଖଟା ଭୋଗ । ଭୋଗ ପରେ ତିନି ଠାକୁରଙ୍କ ଠାରେ ବନ୍ଦାପନା ହୁଏ ଓ ମହାପ୍ରଭୁଙ୍କର ସୁଖ ପ୍ରସବ ପାଇଁ ଅଧିକ ଗୋଟିଏ ବନ୍ଦାପନା ହୋଇଥାଏ । ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ନୀତି ସମାପ୍ତିରେ ଜୟ ବିଜୟ ଦ୍ୱାର ବନ୍ଦ କରାଯାଇ ଭଣ୍ଡାର ଘର ଦ୍ୱାର ଠାରେ ଶ୍ରୀକୃଷ୍ଣ ଜନ୍ମନୀତି ଆରମ୍ଭ ହୁଏ । ଭିତରେ ପାଣି ପଡ଼ି ପୋଛାଯାଇ ପରିଷ୍କାର କରାଯିବା ପରେ ପୂଜାପଣ୍ଡା ସେଠାରେ ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତୋଭଦ୍ର ମଣ୍ଡଳ କରନ୍ତି । ପୂଜାପଣ୍ଡା, ପତିମହାପାତ୍ର ଏବଂ ମୁଦିରସ୍ତ ସେବକ ଜନ୍ମ ଚକଡ଼ାରେ ବସି ସଂକଳ୍ପ ପାଠପୂର୍ବକ ବରୁଣ ପୂଜା କରନ୍ତି । କୃଷ୍ଣଜନ୍ମପଟି ଓ ରୁପା ପଦ୍ମପାଖୁଡ଼ା ଏହି ମଣ୍ଡଳ ଉପରେ ରଖାଯାଏ । ଏଥିରେ ଥିବା ୯ଟି ପାଖୁଡ଼ାରେ ୮ ମୂର୍ତ୍ତି ଯଥା– ଦେବକୀ, ବାସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର ଓ ଗାର୍ଗବ ଋଷି ଲେଖାଥାଏ । ନବମ ମଣ୍ଡଳ ଉପରେ ଏକ ସ୍ୱର୍ଣ୍ଣନିର୍ମିତ କୃଷ୍ଣମୂର୍ତ୍ତି ରଖାଯାଏ । ଏହି ମଣ୍ଡଳ ଉପରେ ଚିତ୍ରକର ଦେଇଥିବା କୃଷ୍ଣଜନ୍ମପଟି ସଂସ୍କାର ପୂର୍ବକ ସ୍ଥାପନା କରାଯାଏ।

ନଅଗୋଟି ବିଗ୍ରହଙ୍କ ଠାରେ ନଅଗୋଟି ପନ୍ତି ଭୋଗ କରାଯାଏ ଓ ଅନ୍ୟାନ୍ୟ ବିଧି ସଂପନ୍ନ ହେବା ପରେ ଦକ୍ଷିଣ ଘରୁ ବିଜେ ପ୍ରତିମା ମଦନମୋହନଙ୍କୁ ‘ସଂପୂର୍ଣ୍ଣ ବିବସ୍ତ୍ର’ କରାଯାଇ (ସଦ୍ୟ ଜନ୍ମିତ ଶିଶୁ ଜ୍ଞାନରେ) ରତ୍ନସିଂହାସନରେ ବିଜେ କରାଯାଏ ।ଆଜ୍ଞାମାଳ ପ୍ରାପ୍ତି ପରେ ମହାଜନ ସେବକମାନେ ଠାକୁରଙ୍କୁ ଜନ୍ମ ଚକଡ଼ାରେ (ଭିତର କାଠ ସମ୍ମୁଖ ଭାଗ) ବିଜେ କରାନ୍ତି । ଏହି ସ୍ଥାନରେ ପ୍ରତିମାକୁ ଦେବକୀଙ୍କ ଗର୍ଭସ୍ଥ ଶ୍ରୀକୃଷ୍ଣ କଳ୍ପନା କରାଯାଇ ତାଙ୍କ ନିକଟରେ ଷୋଡ଼ଶୋପଚାର ବିଧିରେ ଶୀତଳ ଭୋଗ (ନିଶଙ୍ଖୁଡି ଅରନ୍ଧା ଫଳ) ମଣୋହି କରାଯାଇଥାଏ । ଦୁଇଜଣ ମହାଜନ ସେବକ (ବିଜେ ଠାକୁରଙ୍କୁ ହାତରେ ବିଜେ କରାଇ ନୀତି ସଂପନ୍ନ କରାଉଥିବା ସେବକ) ଦେବକୀ ଓ ବସୁଦେବ ରୂପରେ ଲୁଗା ଘୋଡ଼ିହୋଇ ଜନ୍ମଚକଡ଼ାରେ ଜନ୍ମବିଧି ସଂପାଦନ କରନ୍ତି । 

ଏହାପରେ ନବଜାତକଙ୍କୁ ପ୍ରସାଦ ଲାଗି କରାଯାଇ ଦୁଧ, ଲହୁଣୀ ଓ ଗଣ୍ଡୁଷ (ଜନ୍ମବିଧି ପାଇଁ ଗୋଲମରିଚ, ଜିରା, ଅଦା ଓ ଚିନିରେ ପ୍ରସ୍ତୁତ ନୈବେଦ୍ୟ) ମସଲା ସମର୍ପଣ କରାଯାଏ । କର୍ପୂର ଆଳତି ପରେ ମଦନମୋହନ ଏକ ରୁପା ଥାଳିରେ ଶୟନପୂର୍ବକ ମହାଜନଙ୍କ ହାତରେ ବିଜେ ହୋଇ ବିନା ଘଣ୍ଟ, ଛତା, କାହାଳୀ ଓ ବାଜାରେ ସରସ୍ୱତୀଙ୍କ ମନ୍ଦିର ଆଡ଼କୁ ଯାତ୍ରା କରନ୍ତି ।ଦୁଇଜଣ ସେବକ ଦେବକୀ ଓ ବସୁଦେବ ବେଶରେ ନବଜାତକ ସହିତ ଯାତ୍ରା କରିଥାନ୍ତି । ସରସ୍ୱତୀ ମନ୍ଦିର ନିକଟକୁ ଯମୁନା ନଦୀ କୁହାଯାଇଥାଏ । ବେହେରା ଖୁଣ୍ଟିଆ ସେବକ ଠାକୁରଙ୍କ ମସ୍ତକ ଉପରେ ସପ୍ତଫେଣା ବାସୁକୀର ପ୍ରତିମୂର୍ତ୍ତି ଧରି ଚାଲିଥାଏ । 

ବାଟରେ ଉଗ୍ରସେନ ବେଶରେ ଅନ୍ୟ ଜଣେ ପୂଜାପଣ୍ଡା ସେବକ ଠାକୁରଙ୍କ ନିକଟରେ ଦଣ୍ଡ ପ୍ରଣାମ କରନ୍ତି । ସରସ୍ୱତୀଙ୍କ ମନ୍ଦିର ନିକଟରେ ପ୍ରସାଦଲାଗି ଓ ବନ୍ଦାପନା ପରେ ଘଣ୍ଟ, ଛତା ଓ ବାଜା ପଟୁଆର ସହିତ ବିଜେ ଠାକୁର ନାଭିକଟା ମଣ୍ଡପରେ ବିଜେ କରନ୍ତି । ସେତିକିବେଳେ ଦକ୍ଷିଣ ଘରୁ ରାମ ଓ କୃଷ୍ଣଙ୍କୁ ନନ୍ଦ ଓ ଉପନନ୍ଦ ଜ୍ଞାନରେ ଶେଯରେ ବିଜେ କରାଯାଏ । ସେଠାରେ ନବଜାତକ(ଶ୍ରୀକୃଷ୍ଣ)ଙ୍କ ନାଭି ଛେଦନ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକର୍ମ ଓ ଶେଷରେ ଯଜେ୍ଞାପବୀତ ଗ୍ରହଣ ପର୍ଯ୍ୟନ୍ତ ସକଳ ନୀତି ବିଧିବିଧାନ ଅନୁସାରେ ମାନବୀୟ ଲୀଳା କ୍ରମରେ ସଂପନ୍ନ ହୁଏ । 

ପରଦିନ ଶ୍ରୀମନ୍ଦିରରେ ନନ୍ଦୋତ୍ସବ ଲୀଳା ପାଳିତ ହୁଏ । ଉତ୍ସବର ଅଂଶସ୍ୱରୂପ ରାମ, କୃଷ୍ଣ ଓ ମଦନମୋହନ ଦୋଳିକୁ ବିଜେ ହେବା ପରେ ଷଷ୍ଠୀ ମାର୍କଣ୍ଡି ପୂଜା ହୋଇ ଛେକ ଆସି ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୁଏ । ପରେ ପରେ ସାତ ପାହାଚ ଠାରେ ‘ବିଜୁଳି କନ୍ୟା’ ନୀତି ସଂପନ୍ନ କରାଯାଏ । କେତେକ ବିଧି ସମାପ୍ତିରେ ସରସ୍ୱତୀଙ୍କ ମନ୍ଦିର ନିକଟରେ ନନ୍ଦରାଜାଙ୍କ ଦ୍ୱାରା ଗୋଦୋହନ ନୀତି ହୁଏ । ଉକ୍ତଦିନ ନିକଟସ୍ଥ ମଙ୍ଗଳା ନଦୀକୁ ଯମୁନା ଜ୍ଞାନ କରାଯାଇ ସେଠାରେ ଯମୁନା ଗାଧୁଆ, ମେଳା ଓ ମେଣ୍ଢା ଲଢ଼େଇ ଆଦି ଆନନ୍ଦ ଉତ୍ସବ ଅନୁଷ୍ଠିତ ହୁଏ । 

ଶ୍ରୀକୃଷ୍ଣ ଅବତାରର ଲୀଳା ଓ ବେଶ ଆଦି ଶ୍ରୀମନ୍ଦିରରେ ଭାଦ୍ର କୃଷ୍ଣ ସପ୍ତମୀ ଠାରୁ ଆରମ୍ଭ କରି ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ଶ୍ରାବଣ କୃଷ୍ଣ ସପ୍ତମୀ ଦିନ ଜେଉଟଭୋଗ, ଅଷ୍ଟମୀରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ, ନବମୀରେ ନନ୍ଦୋତ୍ସବ, ଦଶମୀରେ ତିନି ଠାକୁରଙ୍କର ବଣଭୋଜି ବେଶ, କୋଳିବିକା, ବକାସୁର ବଧ ଓ ଅର୍ଘାସୁର ବଧ, ଏକାଦଶୀ ଦିନ ଶ୍ରୀଜିଉଙ୍କର କାଳୀୟଦଳନ ବେଶ, ମାର୍କଣ୍ଡରେ କାଳୀୟଦଳନ ଓ ଧେନୁକାସୁର ବଧ ନୀତି, ଦ୍ୱାଦଶୀ ଦିନ ଠାକୁରମାନଙ୍କର ପ୍ରଳମ୍ବାସୁର ବଧ ବେଶ ଓ ନୀତି, ତ୍ରୟୋଦଶୀ କୃଷ୍ଣ ବଳରାମ ବେଶ, ଅମାବାସ୍ୟା ଦିନ ବସ୍ତ୍ରହରଣ ନୀତି, ପ୍ରତିପଦାରେ ଦାବାଗ୍ନି, ଦ୍ୱିତୀୟା ନିକୁଞ୍ଜ, ତୃତୀୟାରେ ଅନ୍ଧଲୀଳା, ପଞ୍ଚମୀରେ ଦାହଲୀଳା, ଷଷ୍ଠୀ ଦିନ ବିମ୍ବାସୁର ବଧ, ସପ୍ତମୀ ଦିନ କେଶୀ ବଧ, ଭାଦ୍ରବ ଶୁକ୍ଳ ଦଶମୀ ତିଥିରେ ଲବଣିଖିଆ, ମଥୁରାହାଟ ଯୁର ଓ କଂସ ବଧ ଆଦି ନୀତି ଓ ବେଶ ପାରମ୍ପରିକ ରୀତିରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ । ଏହିସବୁ ଅଭିନୟ ଓ ପ୍ରସ୍ତାବ ଆଦି ଶ୍ରୀକ୍ଷେତ୍ରର ବିଭିନ୍ନ ସାହି କମିଟି ତରଫରୁ ଆୟୋଜିତ ହୋଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏହି ଅପୂର୍ବ ବେଶ ଓ ଲୀଳା ଅଭିନୟ ଦେଖିବାପାଇଁ ଏହି ଦିନମାନଙ୍କରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହୋଇଥାଏ।

PrameyaOdia
prameyanews
prameya

Copyright © 2022 - Summa Real Media Private Limited. All Rights Reserved.