ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ସାର୍ବଜନୀନ ହେବନି ବୁଥୱାରି ଭୋଟିଂ ତଥ୍ୟ, ଇସିଙ୍କୁ ନିର୍ଦ୍ଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୫।୫: ଦେଶରେ ପ୍ରତି ବୁଥରେ ହେଉଥିବା ଭୋଟିଂ ତଥ୍ୟ ସାର୍ବଜନୀନ ହେବ ନାହିଁ । ମତଦାନର ୪୮ ଘଣ୍ଟା ଭିତରେ ବୁଥୱାରି ଚୂଡ଼ାନ୍ତ ଭୋଟିଂ ତଥ୍ୟ (ଫର୍ମ ୧୭-ସି ତଥ୍ୟ) ନିଜ ୱେବସାଇଟ୍‌ରେ ଅପଲୋଡ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗିି ଶୁକ୍ରବାର ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । କହିଛନ୍ତି ଏ ସଂକ୍ରାନ୍ତରେ ଏକ ପିଟିସନ ୨୦୧୯ରୁ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ପରବର୍ତ୍ତୀ ସମୟରେ ତା ସହ ଏହି ମାମଲାର ଏକାଠି ଶୁଣାଣି କରାଯିବ । ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ର, କଂଗ୍ରେସ ନେତା ପୱନ ଖେଡା ଓ ସ୍ୱେଚ୍ଛାସେବୀ ସଙ୍ଗଠନ ଏଡିଆର ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଥିଲା । ବିଚାରପତି ଦୀପଙ୍କର ଦତ୍ତା ଓ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଅବକାଶ ଖଣ୍ଡପୀଠ କହିଛନ୍ତି ଲୋକସଭା ନିର୍ବାଚନର ୫ଟି ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଲାଣି । ଅବଶିଷ୍ଟ ୨ଟି ପର୍ଯ୍ୟାୟ ବାକି ରହିଛି । ତଥ୍ୟ ଅପଲୋଡ କରିବା ଲାଗି ଲୋକବଳର ଆବଶ୍ୟକତା ରହିଛି । 

କିନ୍ତୁ ବର୍ତ୍ତମାନ ସମୟରେ ନିର୍ବାଚନ କମିଶନ ଲୋକ ଯୋଗାଡ଼ କରିବା ସମ୍ଭବ ନୁହେଁ । ତେବେ ନିର୍ବାଚନ ପରେ ନିୟମିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯିବ । ପୂର୍ବରୁ ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ, ବିଚାରପତି ଜେ.ବି ପାରଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମତଦାନର ୪୮ ଘଣ୍ଟା ଭିତରେ କାହିଁକି ବୁଥୱାରି ତଥ୍ୟ ଅପଲୋଡ କରାଯାଇପାରିବ ନାହିଁ ଏବଂ ଏଥିରେ ଅସୁବିଧା କ’ଣ ବୋଲି ନିର୍ବାଚନ କମିଶନଙ୍କୁ ପଚାରିଥିଲେ । ନିର୍ବାଚନ କମିଶନଙ୍କ ପକ୍ଷରୁ ବୁଧବାର ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରାଯାଇଥିଲା । ସେଥିରେ କମିଶନ ମତଦାନର ୪୮ ଘଣ୍ଟା ଭିତରେ ବୁଥୱାରି ତଥ୍ୟ ସାର୍ବଜନୀନ କରିବା ଦାବିକୁ ବିରୋଧ କରିଥିଲେ । କହିଥିଲେ ଫର୍ମ ୧୭-ସି (ପ୍ରତ୍ୟେକ ବୁଥରେ ମତଦାନ କରାଯାଇଥିବା ରେକର୍ଡ) ଆଧାରରେ ଭୋଟିଂ ତଥ୍ୟ ସାର୍ବଜନୀନ କରିବା ଫଳରେ ମତଦାତାଙ୍କ ଭିତରେ ଭ୍ରମ ସୃଷ୍ଟି ହେବ । 

କମିଶନ ଦର୍ଶାଇଥିଲେ ଏଭଳି କୌଣସି ଆଇନ ନାହିଁ, ଯାହାକୁ ଆଧାର କରି ସବୁ ବୁଥର ଚୂଡାନ୍ତ ଭୋଟିଂ ତଥ୍ୟ ଜାରି କରିବା ଲାଗି କୁହାଯିବ । ଫର୍ମ ୧୭-ସି କେବଳ ପୋଲିଂ ଏଜେଣ୍ଟଙ୍କୁ ଦିଆଯାଇପାରିବ । ତାକୁ ଅନ୍ୟ କୌଣସି ବ୍ୟକ୍ତି ବା ସଂସ୍ଥାକୁ ଦିଆଯିବାର ଅନୁମତି ନାହିଁ । ସାଧାରଣ ଭୋଟର ଫର୍ମ ୧୭-ସି ଅନୁସାରେ ବୁଥରେ ପଡିଥିବା ଭୋଟ ଏବଂ ବାଲଟ ପେପରକୁ ସହଜରେ ବୁଝିପାରିବେ ନାହିଁ । ଏହାର ବ୍ୟବହାର ଭୁଲ ବାଟରେ ନିର୍ବାଚନ ପ୍ରକ୍ରିୟାରେ କଳଙ୍କ ଲଗାଇବା ଲାଗି କରାଯାଇପାରେ । ଯାହାଫଳରେ ବର୍ତ୍ତମାନ ଚାଲିଥିବା ନିର୍ବାଚନ ପ୍ରକ୍ରିୟାରେ ଅବ୍ୟବସ୍ଥା ସୃଷ୍ଟି କରିବ । ଏଡିଆର ସୁପ୍ରିମକୋର୍ଟରେ ଏକ ପିଟିସନ ଫାଇଲ କରି ମତଦାନର ୪୮ ଘଣ୍ଟା ଭିତରେ ନିର୍ବାଚନ କମିଶନ ସବୁ ବୁଥୱାରିର ଚୂଡାନ୍ତ ଭୋଟିଂ ତଥ୍ୟ ନିଜ ୱେବସାଇଟ୍‌ରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେବା ଲାଗି ଅପିଲ କରିଥିଲା । 

ଏଡିଆର କହିଥିଲା କି ବର୍ତ୍ତମାନ ଚାଲିଥିବା ଲୋକସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ମତଦାନ ହାର ଘୋଷଣା କରାଯିବାର ବହୁ ବିଳମ୍ବରେ ନିର୍ବାଚନ କମିଶନ ଚୂଡାନ୍ତ ହାର ଜାରି କରିଥିଲେ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯ରେ ହୋଇଥିଲା । କିନ୍ତୁ ଏହାର ୧୧ ଦିନ ପରେ ନିର୍ବାଚନ କମିଶନ ଚୂଡାନ୍ତ ଭୋଟ ହାର ଜାରି କରିଥିଲେ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬ରେ ହୋଇଥିଲା ବେଳେ ଏହାର ୪ ଦିନ ପରେ କମିଶନ ଚୂଡାନ୍ତ ଭୋଟ ହାର ତଥ୍ୟ ଦେଇଥିଲେ । ମତଦାନ ଦିନ ମିଳିଥିବା ଭୋଟ ହାର ତଥ୍ୟ ତୁଳନାରେ ଚୂଡାନ୍ତ ଭୋଟିଂ ହାର ତଥ୍ୟରେ ୫-୬ ପ୍ରତିଶତ ଅଧିକ ରହିଥିଲା । ଯାହା ସାଧାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । କେବଳ ଏଡିଆର ନୁହେଁ, ବିଭିନ୍ନ ନେତା ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.