ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ସଞ୍ଜୟ ସିଂଙ୍କୁ ଜାମିନ ପ୍ରଦାନ ଆଦେଶରୁ ଓକିଲ ବନସୁରୀ ସ୍ୱରାଜଙ୍କ ନାମ ହଟାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଦାଲତକୁ କହିଛନ୍ତି ଯେ, ଏକ ଅଜଣାତ ଭୁଲ ଯୋଗୁଁ ବନସୁରୀ ସ୍ୱରାଜଙ୍କ ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।
ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ, ଠିକ ଅଛି, ଆମେ ଏହି ଆଦେଶରେ ସଂଶୋଧନ କରିବୁ । ଇଡି ପକ୍ଷରୁ ହାଜର ହୋଇଥିବା ଆଡଭୋକେଟ୍ ଜୋହେବ ହୁସେନ୍ କହିଛନ୍ତି ଯେ, ବନସୁରୀ ସ୍ୱରାଜ ଏହି ମାମଲାରେ ହାଜର ହୋଇ ନାହାଁନ୍ତି କିମ୍ବା ସେ ଏହି ମାମଲାରେ ଏଜେନ୍ସିର ପ୍ରତିନିଧିତ୍ୱ କରିନାହାଁନ୍ତି । ସେ କହିଛନ୍ତି ଯେ କିଛି ଅଜଣାତ ଭୁଲ ହେତୁ ତାଙ୍କ ନାମ ଏହି ତାଲିକାରେ ଦେଖାଯାଉଛି ।
ସୂଚନାଥାଉକି ଯେ, ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ବନସୁରୀ ସ୍ୱରାଜ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଅଟନ୍ତି। ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମଙ୍ଗଳବାର ଦିନ ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି ।