ପୁନେ,୧୬।୧୧: ମହାରାଷ୍ଟ୍ର ରାଜନୀତିରେ ଗତ କିଛି ସମୟ ହେବ ଭୟଙ୍କର ସ୍ତରରେ ବିବାଦ ଦେଖିବାକୁ ମିଳିଛି। ପ୍ରଥମେ ଶିବସେନା ଦୁଇ ଗୋଷ୍ଠୀ ହେଲା ଆଉ ତା ପରେ ଏନସିପିରେ ଅଜିତ ପାଓ୍ବାରଙ୍କ ବିଦ୍ରୋହ। ତେବେ ଏହି ଦୁଇ ବିଦ୍ରୋହ ଭିତରେ ବଡ ଫରକ୍ ରହିଛି। ଗୋଟିଏ ପଟେ ଶିବସେନାର ଶିନ୍ଦେ ଗୋଷ୍ଠୀ ଓ ଉଦ୍ଧବ ଗୋଷ୍ଠୀ ପରସ୍ପରକୁ ସମୟ ସମୟରେ ସମାଲୋଚନା କରୁଥିବାର ଦେଖୁଥିବେ, କିନ୍ତୁ ଏନସିପିର ଶରଦ ଗୋଷ୍ଠୀ ଓ ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଭିତରେ ପୂର୍ବଭଳି ଭଲ ସମ୍ପର୍କ ରହିଛି। ଏଭଳି ଏକ ଦୃଶ୍ୟ ଭାଉବିଜ୍ ପର୍ବରେ ଦେଖିବାକୁ ମିଳିଛି।
#WATCH | NCP MP Supriya Sule celebrated Bhaubeej with Maharashtra Deputy CM and her cousin Ajit Pawar yesterday, 15th November.
— ANI (@ANI) November 16, 2023
(Video: Supriya Sule social media) pic.twitter.com/TwyEuXsEM6
ମହାରାଷ୍ଟ୍ରରେ ଭାଉବିଜ ପର୍ବ ଅବସରରେ ଏନ୍ସିପି(ଶରଦ ଗୋଷ୍ଠୀ)ର ସାଂସଦ ସୁପ୍ରିୟା ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସୁପ୍ରିୟା ସୁଲେ ଅଜିତ ପାଓ୍ବାରଙ୍କ ସହିତ ପର୍ବ ପାଳନ କରୁଥିବାର ଦେଖା ଯାଉଛନ୍ତି।ପ୍ରଥମେ ସୁଲେ ତାଙ୍କ ବଡ ଭାଇ ଅଜିତଙ୍କୁ ତିଳକ ଲଗାଉଛନ୍ତି, ତା ପରେ ତାଙ୍କର ଆରତୀ କରୁଛନ୍ତି ଓ ପରେ ଅଜିତଙ୍କ ପାଦ ଛୁଇଁ ଆର୍ଶୀବାଦ ନେଉଛନ୍ତି। ଏହି ଭିଡିଓ ଭାଇରାଲ ପରେ ଲୋକ ଏହାକୁ ପାରିବାରିକ ସମ୍ପର୍କର ଆଦର୍ଶ ଏବଂ ମର୍ଯ୍ୟାଦା ବୋଲି କହି ପ୍ରଶଂସା କରୁଛନ୍ତି।
ଦୀପାବଳିରେ ମଧ୍ୟ ଏନସିପି ମୁଖ୍ୟ ଶରଦ ପାଓ୍ବାର, ସାଂସଦ ସୁପ୍ରିୟା ସୁଲେ, ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ପୁଣେରେ ଶରଦ ପାଓ୍ବାରଙ୍କ ଭାଇ ପ୍ରତାପ ରାୟ ପାଓ୍ବାରଙ୍କ ବାସଭବନରେ ଏକାଠି ହୋଇଥିଲେ। ଏହି ସମୟରେ ଅଜିତଙ୍କ ପତ୍ନୀ ସୁନେତ୍ରା ପାଓ୍ବାର ଓ ଶରଦ ପାଓ୍ବାରଙ୍କ ପତ୍ନୀ ପ୍ରତିଭା ପାଓ୍ବାର ମଧ୍ୟ ଉପସ୍ଥିତ ଥିଲେ। ଏହାପରେ ଅଜିତ ଦିଲ୍ଲୀ ବାହାରି ପଡିଥିଲେ। ସେଭଳି ମନ୍ତ୍ରୀ ଦିଲ୍ଲୀପ ଭଲସେ ପାଟିଲ ମଧ୍ୟ ପାଓ୍ବାରଙ୍କୁ ଭେଟିବାକୁ ପହଞ୍ଚିଥିଲେ।
କିଛି ଦିନ ପୂର୍ବେ ପୁନେର ଏକ ସ୍କୁଲର ବିଲ୍ଡିଂ ଉଦାଘାଟନ ସମାରୋହରେ ଭାଗ ନେବା ପାଇଁ ଶରଦ ପାଓ୍ବାର ଓ ଅଜିତ ପାଓ୍ବାର ପହଁଞ୍ଚିଥିଲେ। ଏହି ସାକ୍ଷାତକୁ ନେଇ ସୁପ୍ରିୟା କହିଥିଲେ, ଆମର ରାଜନୀତିରେ ଭୂମିକା ଅଲଗା, କିନ୍ତୁ ପାରିବାରିକ ସମ୍ପର୍କ କେବେ ବି କଟୁତା ଆଣିନି। ଏହାକୁ ବୈଚାରିକ ପରିପକ୍ବତା କୁହାଯାଏ। ଆମ ଭିତରେ ମତାନ୍ତର ରହିଛି, କିନ୍ତୁ ତାହା ମନାନ୍ତର ନୁହେଁ।’