ନୂଆଦିଲ୍ଲୀ: ଅଭିନେତାରୁ ନେତା ହୋଇଥିବା ସୁରେଶ ଗୋପି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କେରଳରେ ବିଜେପିର ଏକମାତ୍ର ଲୋକସଭା ସାଂସଦ ଏବଂ ମୋଦୀ ସରକାରରେ ପେଟ୍ରୋଲିୟମ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପି । ସେ କହିଛନ୍ତି, ଯଦି ତାଙ୍କୁ ମନ୍ତ୍ରୀପଦରୁ ମୁକ୍ତ କରିଦିଆଯାଏ ତେବେ ସେ ବହୁତ ଖୁସି ହେବେ । ଫିଲ୍ମ ତାଙ୍କର ନିଶା ଏବଂ ଅଭିନୟ ବିନା ସେ ମରିଯିବେ ବୋଲି କହିଛନ୍ତି । ତେବେ ସୁରେଶ ଗୋପି ପ୍ରଥମ ଥର ଏଭଳି ମନ୍ତବ୍ୟ ଦେଇନାହାନ୍ତି । ପୂର୍ବରୁ ତାଙ୍କର ଏଭଳି ମନ୍ତବ୍ୟ ବିଜେପି ଶିବିରରେ କମ୍ପନ ସୃଷ୍ଟି କରିଥିଲା । ଯେଉଁଦିନ ତାଙ୍କୁ ମନ୍ତ୍ରୀପଦ ଦିଆଗଲା ସେହିଦିନ ସେ ମନ୍ତ୍ରୀ ହେବାକୁ ଚାହୁଁନଥିବା ନେଇ ଖବର ପ୍ରକାଶ ପାଇଥିଲା ।
ବୁଧବାର ଫିଲ୍ମ ସଂପର୍କିତ ଏକ ବୈଠକରେ ସୁରେଶ ଗୋପି କହିଛନ୍ତି, ମନ୍ତ୍ରୀ ହେବା ପୂର୍ବରୁ ମୁଁ ମୋ ନେତାଙ୍କୁ କହିଥିଲି । ଅମିତ ଶାହଙ୍କୁ ସାକ୍ଷାତ କରିଥିଲି । ମୋ ପାଖରେ କେତୋଟି ଫିଲ୍ମର ଅଫର ଅଛି ବୋଲି ଶାହ ପଚାରିଥିଲେ । ୨୫ଟି ସ୍କ୍ରିପ୍ଟ ଏବଂ ୨୨ ଫିଲ୍ମ ପାଇଁ ଅଫର ଅଛି ବୋଲି କହିଥିଲି ।’ ଅଭିନୟ ଆରମ୍ଭ କରିବାକୁ ଅନୁମତି ଖୁବଶୀଘ୍ର ମିଳିବ ବୋଲି ଗୋପି ଆଶାବ୍ୟକ୍ତ କରିଛନ୍ତି । ଏପରିକି ସେପ୍ଟେମ୍ବର ୬ରୁ ସେ ଫିଲ୍ମ ‘ଓଟ୍ଟାକୋମ୍ବନ’ର ସୁଟିଂ ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି ସୁରେଶ ଗୋପି ।
ମନ୍ତ୍ରୀ ଭାବରେ ନିଜର ନିର୍ବାଚନ ମଣ୍ଡଳୀ ପାଇଁ ସମୟ ଦେଇ ପାରୁନାହାନ୍ତି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ‘ଯଦି ମୋତେ ମନ୍ତ୍ରୀପଦରୁ ମୁକ୍ତ କରିଦିଆଯାଏ ତେବେ ମୁଁ ଅଭିନୟ ପୁଣି ଥରେ ଆରମ୍ଭ କରିପାରିବି । ନିର୍ବାଚିତ କ୍ଷେତ୍ରର ଲୋକମାନଙ୍କ ସହ ରହିପାରିବି । ତେବେ ସୁରେଶ ଗୋପି ‘ମାଲାୟାଲମ ଆଙ୍ଗ୍ରି ୟଙ୍ଗ ମ୍ୟାନ୍’ ଭାବରେ ଜଣାଯାଆନ୍ତି । ସୁରେଶ ଗୋପି କେବେ ବି ମନ୍ତ୍ରୀ ହେବାକୁ ଚାହୁଁନଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଣ୍ଣୟ ଆଗରେ ମୁଣ୍ଡ ନଇଁଥିଲେ ବୋଲି କୁହନ୍ତି ସେ । ତ୍ରିଶୁର ଲୋକମାନଙ୍କ ପାଇଁ ଏହି ମନ୍ତ୍ରୀପଦ ଦିଆଯାଉଛି ବୋଲି ମୋଦୀ କହିଥିଲେ । ଏହା ପରେ ସେ ଅନିଚ୍ଛା ସତ୍ତ୍ବେ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ । କିନ୍ତୁ ଅଭିନୟ ବିନା ମରିଯିବି ବୋଲି କହିଛନ୍ତି ବିଜେପି ସାଂସଦ ସୁରେଶ ଗୋପି ।