ମାଲକାନଗିରି,୨୯/୪ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡାରେରେ ଆଜି ୨୩ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଲୋନ୍ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଏହି ୨୩ ମାଓବାଦୀ ଆତ୍ମସମର୍ପଣ କରିଥିବା ପୁଲିସ କହିଛି । ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ଛତିଶଗଡ ଓ ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିବା ଭୈରମଗଡ ମାଓ କ୍ଷେତ୍ର କମିଟିରେ ଏହି ୨୩ ମାଓବାଦୀ କାର୍ଯ୍ୟରତ ଥିଲେ ।
ତେବେ ଏହି ମାଓବାଦୀମାନେ ସଙ୍ଗଠନରେ ରହି ବିଭିନ୍ନ ହିଂସାତ୍ମକ କାର୍ଯ୍ୟ କଳାପରେ ସାମିଲ ରହିବା ସହ ରାସ୍ତା ଖୋଳିବା, ଗଛ କାଟିବା, ବୋମା ଖଞ୍ଜିବା ଏବଂ ମାଓ ବ୍ୟାନର ପୋଷ୍ଟର ଲଗାଇବା ଭଳି ଘଟଣାରେ ଜଡିତ ଥିଲେ । ତେବେ ମାଓ ସଙ୍ଗଠନ ଦିନକୁ ଦିନ ଭୁଶୁଡିବାରେ ଲାଗିଥିବା ବେଳେ ନିରହି ଲୋକଙ୍କ ଉପରେ ମାଓବାଦୀ ମାନଙ୍କ ଅତ୍ୟାଚାର ଏବଂ ବିକାଶ ବିରୋଧଭାବ ଯୋଗୁଁ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇ ଦନ୍ତେୱାଡା ଏସପି ଗୌରଭ ରାୟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ଆତ୍ମସମର୍ପଣ କାରୀ ମାଓବାଦୀ ମାନଙ୍କୁ ସରକରୀ ନୀତି ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।