ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ନ୍ୟୁୟର୍କରେ ଦ.ଆଫ୍ରିକାକୁ ଭେଟିବ ଶ୍ରୀଲଙ୍କା

ନ୍ୟୁୟର୍କ,୦୩/୦୬: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୋମବାର ରାତି ମ୍ୟାଚ୍‌ରେ ଗ୍ରୁପ୍‌-ଡି’ର ଦୁଇ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସାମ୍ନାସାମ୍ନି ହେବେ । ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ୍‌ କ୍ରିକେଟ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଉଭୟ ଦଳ ପ୍ରଥମ ଥର ନ୍ୟୁୟର୍କରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । 

ଟି-ଟ୍ୱେଣ୍ଟି ଫର୍ମାଟରେ ଉଭୟ ଦଳ ୧୭ଥର ସାମ୍ନାସାମ୍ନି ହୋଇଛି । ଏଥିରେ ଦକ୍ଷିଣ ଆଫ୍ରିକା ୧୨ଟି ମ୍ୟାଚ୍‌ ଜିତିଥିବାବେଳେ ଶ୍ରୀଲଙ୍କା ୫ଟିରେ ବିଜୟ ହାସଲ କରିଛି । ବିଶ୍ୱକପ୍‌ରେ ଉଭୟ ଦଳ ମଧ୍ୟରେ ହୋଇଥିବା ୪ଥର ଭେଟ ମଧ୍ୟରୁ ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚ୍‌ ଜିତିଛି । ଏପରିକି ଶ୍ରୀଲଙ୍କା ବିପକ୍ଷରେ ଶେଷ ୭ଟି ମ୍ୟାଚ୍‌ରେ ଦଳ ଅପରାଜେୟ ରହିଛି । ଦକ୍ଷିଣ ଆଫ୍ରିକା ବିଜୟଧାରା ଜାରି ରଖିବାକୁ ପ୍ରୟାସ କରିବ। ୨୦୨୧ ବିଶ୍ୱକପ୍‌ରେ ଦଳ ୪ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାଜିତ କରିଥିଲା ।  ମାତ୍ର୨୦୨୨ ବିଶ୍ୱକପ୍‌ରେ ଉଭୟ ଦଳ ଭିନ୍ନ ଗ୍ରୁପ୍‌ରେ ସାମିଲ୍‌ ରହିଥିଲେ ।  

ବିଶ୍ୱକପ୍‌ ପାଇଁ ଦକ୍ଷିଣ ଆଫ୍ରିକା ଏକ ସନ୍ତୁଳିତ ଦଳ ଗଠନ  କରିଛି । ଏଥର ଦଳ ଟାଇଟଲ୍‌ ଦାବିଦାରଙ୍କମଧ୍ୟରେ ସାମିଲ ରହିଛି ।  ଆଡେନ ମାରକ୍ରମ ଦଳର ନେତୃତ୍ୱ ନେବେ । ଗତ ଆଇପିଏଲ୍‌ରେ  ଦୁର୍ଦ୍ଧର୍ଷ ବ୍ୟାଟିଂ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ହେନରିକ୍‌ କ୍ଲାସେନ  ଓ ଟ୍ରିଷ୍ଟନ ଷ୍ଟବ୍ସଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାଗିସୋ ରାବାଡ଼ା, ଆନରିଚ୍‌ ନର୍ଜ, ଗେରାଲ୍ଡ କୋଏଜି ପେସ୍‌ ବିଭାଗ ଏବଂ  ତାବ୍ରେଜ ସାମସି ଓ କେଶବ ମହାରାଜ ସ୍ପିନ ବିଭାଗ ସମ୍ଭାଳିବେ । 

ଶ୍ରୀଲଙ୍କା ୨୦୧୪ସଂସ୍କରଣରେ ଚାମ୍ପିଅନ୍‌ ହୋଇଥିବାବେଳେ ୨୦୦୯  ଏବଂ ୨୦୧୨ରେ ରନର୍ସ ଅପ୍‌ ହୋଇଥିଲା । ଗତ ସଂସ୍କରଣରେ ଦଳ  ସୁପର-୧୨ରୁ ବିଦାୟ ନେଇଥିଲା । ଏଥର ୱାନିଣ୍ଡୁ ହସରଙ୍ଗାଙ୍କ ନେତୃତ୍ୱରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦେବା ନେଇ ଦୃଢ଼ ମନୋବଳରେ ରହିଛି । ଦଳରେ  ଅଭିଜ୍ଞ ଅଲରାଉଣ୍ଡ୍‌ର ଆଞ୍ଜେଲୋ ମାଥ୍ୟୁସ, ଧନଞ୍ଜୟ ଡି ସିଲ୍‌ଭା ଚରିଥ ଆଶାଲଙ୍କାଙ୍କ ଭଳି ତାରକା ଖେଳାଳି ରହିଛନ୍ତି । ଯୁବ ସ୍ପିନର ଦୁନିଥ ୱେଲାଲାଗେ ଓ ମହେଶ ତୀକ୍ଷଣାଙ୍କ ଉପରେ ସମସ୍ତଙ୍କ ନଜର ରହିବ । 

ନାସାଓ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ପୂର୍ବରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଏକ ଅଭ୍ୟାସ ମ୍ୟାଚ୍‌ ଖେଳାଯାଇଥିଲା । ଏଥିରେ ଭାରତ ୬୦ରନ୍‌ରେ ବିଜୟ ହାସଲ କରିଥିଲା । ପିଚ୍‌ ଉଭୟ ବ୍ୟାଟର ଓ ବୋଲରଙ୍କୁ ସହାୟତା  କରିଥିଲା । ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବା ଫଳପ୍ରଦ ହେବ । 

ସମ୍ଭାବ୍ୟ ଏକାଦଶ 

ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ୍‌,  କାମିଣ୍ଡୁ ମେଣ୍ଡିସ୍‌, ସଦିରା ସମରବିକ୍ରମା, ଚରିତ ଆଶାଲଙ୍କା,  ଆଞ୍ଜେଲୋ ମାଥ୍ୟୁସ, ୱାନିଣ୍ଡୁ ହସରଙ୍ଗା, ଡାସୁନ ଶଣକା, ମହେଶ  ତୀକ୍ଷଣା/ଦିଲସାନ ମଦୁଶଙ୍କା, ଦୁଷ୍ମନ୍ତ ଚାମୀରା, ମଥିଶା ପତିରଣା । 

ଦ.ଆଫ୍ରିକା: କ୍ୱିଣ୍ଟନ ଡି’କକ୍‌, ରିଜା ହେଣ୍ଡ୍ରିକ୍ସ, ଆଡେନ ମାରକ୍ରମ, ହେନରିକ  କ୍ଲାସେନ, ଡେଭିଡ୍‌ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ମାର୍କୋ ଜାନସେନ, କେଶବ ମହାରାଜ,  ବିୟର୍ଣ୍ଣ ଫର୍ଟାନ, କାଗିସୋ ରାବାଡ଼ା/ଆନରିଚ ନର୍ଜ, ଓଟନିଲ ବାର୍ଟମାନ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.