ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଶ୍ୱକପ୍‌ ଆଉ ୧୨ ଦିନ...ଅସ୍ଥାୟୀ ଷ୍ଟାଡିୟମରେ ଟି-ଟ୍ୱେଣ୍ଟି ବିଶ୍ୱକପ, ଏଥର ଭାଗ ନେବେ ୨୦ଟି ଦଳ

ନୂଆଦିଲ୍ଲୀ ୨୦/୦୫: ଜୁନ ୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଉଭୟ ୱେଷ୍ଟଇଣ୍ଡିଜ ଓ  ଆମେରିକାରେ ଆୟୋଜିତ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ନବମ ସଂସ୍କରଣ । ମୋଟ୍‌ ୨୦ଟି ଦଳ ଏଥର  ଭାଗ ନେଇଛନ୍ତି । ଯାହା ଟୁର୍ଣ୍ଣାମେଣ୍ଟକୁ  ଅଧିକ ରୋମାଞ୍ଚିତ କରିବ ବୋଲି ଆଶା କରାଯାଉଛି । ଆଇପିଏଲ୍‌ ଶେଷ ହୋଇ ନଥିବାରୁ ବିଶ୍ୱକପ୍‌କୁ  ନେଇ ଆଲୋଚନା ସେଭଳି ସରଗରମ ହୋଇ ନାହିଁ । ପ୍ରଥମ  ଥର ଅସ୍ଥାୟୀ ଷ୍ଟାଡିୟମରେ ବିଶ୍ୱ ଟି-ଟ୍ୱେଣ୍ଟିର ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ  ଆୟୋଜିତ ହେବାକୁ ଯାଉଛି ।

ପ୍ରଥମ ଥର ଆମେରିକାରେ ଆୟୋଜିତ  ହେବାକୁ ଯାଉଛି କ୍ରିକେଟର ମହାପର୍ବ  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ୨୦ଟି ଦଳ ଖେଳିବେ  ୫୫ଟି ମ୍ୟାଚ୍‌। ଟୁର୍ଣ୍ଣାମେଣ୍ଟ ଜୁନ ୧ରୁ ଆରମ୍ଭ  ହୋଇ ୨୯ ତାରିଖରେ ଶେଷ ହେବ । ୱେଷ୍ଟଇଣ୍ଡଜ ଓ ଆମେରିକା ମିଳିତ ଭାବେ  ନବମ ସଂସ୍କରଣର ଆୟୋଜନ କରୁଛନ୍ତି ।  

ଫୁଟବଲ୍‌, ବାସ୍କେଟ୍‌ବଲ୍‌, ବେସ୍‌ବଲ୍‌,  ଆମେରିକାନ ଫୁଟବଲ୍‌ ଓ ଆଇସ୍‌ ହକି ଭଳି  କ୍ରୀଡ଼ା ଆମେରିକାରେ ବେଶ ଲୋକପ୍ରିୟ ।  କ୍ରିକେଟର ଲୋକପ୍ରିୟତା ଅତି ନ୍ୟୂନ କହିଲେ  ଚଳେ । ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍‌  ସାମିଲ ରହିଛି । ତେଣୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌  ଆୟୋଜନ ନେଇ ଆଗ୍ରହ ପ୍ରକାଶ କରିଥିଲା  ଆମେରିକା । ଆଇସିସି ମଧ୍ୟ ସାରା ବିଶ୍ୱରେ  କ୍ରିକେଟ୍‌ର ବିକାଶ ଚାହୁଁଛି । ନବମ ସଂସ୍କରଣ  ଆୟୋଜନ ନେଇ ୱେଷ୍ଟଇଣ୍ଡିଜ ଓ ଆମେରିକା  ଯୁଗ୍ମ ଭାବେ ବିଡ୍‌ ଦାଖଲ କରିଥିଲେ ।  ୨୦୨୧ ନଭେମ୍ବର ମାସରେ ଆଇସିସି  ଉଭୟଙ୍କୁ ଆୟୋଜକ ଘୋଷଣା କରିଥିଲା । 

ୱେଷ୍ଟଇଣ୍ଡିଜରେ ଏବେ କ୍ରିକେଟ୍‌ର  ମାହୋଲ କିଛି ମାତ୍ରାରେ ଶିଥିଳ ପଡ଼ିଥିଲେ  ବି ଭିତ୍ତିଭୂମି ରହିଛି । କେବଳ କିଛି  ମାତ୍ରାରେ ପୁନରୁଦ୍ଧାରର ଆବଶ୍ୟକା  ରହିଥିଲା । କିନ୍ତୁ ଆମେରିକାରେ  ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ଭଳି  ଭିତ୍ତିଭୂମି ନଥିଲା । ଫ୍ଲୋରିଡା, ନ୍ୟୁୟର୍କ ଓ ଟେକ୍ସାସରେ ବିଶ୍ୱକପ୍‌ ଖେଳାଯିବ । କେବଳ  ଫ୍ଲୋରିଡାରେ କ୍ରିକେଟ୍‌ ଷ୍ଟାଡିୟମ ରହିଛି ।  ଟେକ୍ସାସରେ ବେସ୍‌ବଲ ଷ୍ଟାଡିୟମକୁ କ୍ରିକେଟ୍‌  ଷ୍ଟାଡିୟମର ରୂପ ଦିଆଯାଇଛି । ସେମିତି  ନ୍ୟୁୟର୍କରେ ସଂପୂର୍ଣ୍ଣ ଅସ୍ଥାୟୀ ଭାବରେ ଏକ  କ୍ରିକେଟ୍‌ ଷ୍ଟାଡିୟମ ତିଆରି କରାଯାଇଛି । 

ବରଫାବୃତ ପାର୍କରୁ ବିଶ୍ୱକପ୍‌ ଷ୍ଟାଡିୟମ ବିଶ୍ୱକପ୍‌ କ୍ରିକେଟ୍‌ସୂଚୀ ଘୋଷଣା ହେବା  ପର୍ଯ୍ୟନ୍ତ ନ୍ୟୁୟର୍କରେ ଷ୍ଟାଡିୟମର କିଛି ଚିହ୍ନ ବର୍ଣ୍ଣ  ନଥିଲା । କିନ୍ତୁ ଷ୍ଟାଡିୟମର ନାମ ରଖାଯାଇଥିଲା  ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍‌  ଷ୍ଟାଡିୟମ । ଯାହାର ଦର୍ଶକ ଧାରଣ କ୍ଷମତା ୩୪୦୦୦ । ସ୍ଥାନଟି ବରଫରେ ଆବୃତ ରହିଥିଲା । 

ଗତ ଜାନୁଆରୀ ୧୨ ତାରିଖରୁ ସେହି  ସ୍ଥାନରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ  ହୋଇଥିଲା । ଏକ ବରଫ ଆବୃତ  ପାର୍କକୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମର  ରୂପ ଦିଆଯାଇଥିଲା । ବିଶ୍ୱକପ୍‌ର  ୮ଟି ମ୍ୟାଚ୍‌ ଏଠାରେ ଖେଳାଯିବ ।  ଇତିମଧ୍ୟରେ ଷ୍ଟାଡିୟମର କାର୍ଯ୍ୟ ସମ୍ପନ୍ନ ହୋଇଛି । ବିଶ୍ୱକପ୍‌ରେ ଏହି ଷ୍ଟାଡିୟମ ଉପରେ  ସମସ୍ତଙ୍କ ନଜର ରହିବ । କାରଣ ଟୁର୍ଣ୍ଣାମେଣ୍ଟର  ସବୁଠୁ ବଡ଼ ମୁକାବିଲା ଜୁନ ୯ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଏଠାରେ ଖେଳାଯିବ ।  

ଷ୍ଟାଡିୟମଟି ସଂପୂର୍ଣ୍ଣ ଷ୍ଟିଲ୍‌ରେ ନିର୍ମାଣ  ହୋଇଛି । ପୁଣି ଅସ୍ଥାୟୀ ଭାବରେ । ଗ୍ୟାଲେରୀ  ପାଇଁ ଲାସ୍‌ ଭେଗାସର ଫର୍ମୁଲା-୧ ସର୍କିଟରେ ଥିବା ଭ୍ରାମ୍ୟମାଣ ଭିତ୍ତିଭୂମିକୁ ବ୍ୟବହାର  କରାଯାଇଛି । ବିଶ୍ୱକପ୍‌ ଶେଷ ହେବା  ପରେ ପୁଣି ବିଭିନ୍ନ ଯନ୍ତ୍ରଣାଂଶ ଖୋଲି  ମୂଳ ସ୍ଥାନକୁ ବୋହି ନିଆଯାଇ ପାରିବ ।ସେମିତି ମ୍ୟାଚ୍‌ରେ ଯେଉଁ ପିଚ ବ୍ୟବହାର  ହେବ ତାହା ଅଷ୍ଟ୍ରେଲିଆର ଆଡିଲେଡରୁ  ଆସିଛି। ଯାହାକୁ ଉଠା ପିଚ କୁହାଯାଉଛି ।   

ଗ୍ରୁପ୍‌ ଏ’ରେ ଆୟୋଜକ ଆମେରିକା  ସମେତ ଭାରତ, ପାକିସ୍ତାନ, ଆୟର୍ଲାଣ୍ଡ ଓ  କାନାଡ଼ା ରହିଛନ୍ତି । ଭାରତ ନ୍ୟୁୟର୍କରେ ଜୁନ  ୫ରେ ଆୟର୍ଲାଣ୍ଡକୁ, ୯ରେ ପାକିସ୍ତାନକୁ ଏବଂ  ୧୨ରେ ଆମେରିକାକୁ ଭେଟିବାର ସୂଚୀ ରହିଛି ।  

ଆଡିଲେଡ୍‌ରୁ ଆସିଛି କ୍ରିକେଟ୍‌ ପିଚ୍‌ ଉଠା କ୍ରିକେଟ୍‌ ପିଚ ବା ଭ୍ରାମ୍ୟମାଣ ପିଚରେ  ଏଥର ବିଶ୍ୱକପ୍‌ ଖେଳାଯିବ । ହୁଏତ ଏ କଥା  ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ କଥାଟି ସତ ।  ଆମେରିକାରେ ଯେଉଁ ୩ଟି ଷ୍ଟାଡିୟମରେ  (ନ୍ୟୁୟର୍କ, ଫ୍ଲୋରିଡା, ଟେକ୍ସାସ) ୧୬ଟି ମ୍ୟାଚ୍‌ ଖେଳାଯିବ, ସବୁ ଷ୍ଟାଡିୟମରେ ଉଠା ପିଚ୍‌ ବିଛା  ଯାଇଛି । ଆଉ ଏଥିପାଇଁ ଅଷ୍ଟ୍ରେଲିଆରୁ ପିଚ୍‌ ଆସିଛି ।  

ସହ-ଆୟୋଜକ ଆମେରିକା ଆଡିଲେଡରୁ  କ୍ରିକେଟ୍‌ ପିଚ୍‌ ମଗାଯାଇଥିଲା । ଜାହାଜରେ  ପିଚ୍‌ ପ୍ରଥମେ ଆଡିଲେଡରୁ ବାହାରି  ଫ୍ଲୋରିଡାରେ ପହଞ୍ଚିଥିଲା । ପରେ ନ୍ୟୁୟର୍କରେ  ଏବଂ ସେଠାରୁ ଟେକ୍ସାସ ନିଆଯାଇଥିଲା ।  ଏଥିପାଇଁ ମୋଟ୍‌ ଜଳ ଓ ସ୍ଥଳ ପଥରେ  ୨୨,୫୦୦ କି.ମି ଯାତ୍ରା କରିବାକୁ ପଡ଼ିଥିଲା ।  

ଷ୍ଟାଡିୟମରେ ପିଚ ବିଛାଇବା ପାଇଁ  ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ପିଚ୍‌ କ୍ୟୁରେଟର ଏବଂ  ଅନ୍ୟାନ୍ୟ ବିଶେଷଜ୍ଞମାନେ ଆସିଥିଲେ ।  ୩ଟି ଷ୍ଟାଡିୟମରେ ପିଚ୍‌ ବ୍ୟାଟର ନା  ବୋଲରଙ୍କୁ ସହାୟତା କରିବ ତାହା ଏବେ  କ୍ରିକେଟ୍‌ପ୍ରେମୀଙ୍କ ମନରେ ଉତ୍କଣ୍ଠା ସୃଷ୍ଟି କରିଛି । 

ଆଡିଲେଡ୍‌ ଓଭାଲର ପିଚ୍‌ କ୍ୟୁରେଟର  ଡାମିଆନ ହ୍ୟୁଗ କହିଛନ୍ତି, ‘ପେସ ବୋଲର  ଏବଂ ନିୟମିତ ବାଉନ୍ସ ହେଲା ଭଳି ପିଚ୍‌  ପ୍ରସ୍ତୁତ କରିବା ଆମର ଲକ୍ଷ୍ୟ । ବ୍ୟାଟରମାନେ  ସେମାନଙ୍କ ସଟ୍‌ ଖେଳିବେ ।’ ବିଶ୍ୱକପ୍‌ ଶେଷ  ହେବା ପରେ ପୁଣି ଆସନ୍ତା ଜାନୁଆରୀ ମାସରେ ପୁଣି ସମସ୍ତ ପିଚ୍‌ ଆଡିଲେଡ୍‌ ଫେରିଯିବ ।  ଗତ ଅକ୍ଟୋବର ମାସରେ ପିଚକୁ କିଭଳି  ଗୋଟିଏ ସ୍ଥାନରୁ ଆଣି ଆଉ ଏକ ସ୍ଥାନରେ  ବିଛା ଯିବ, ତାହାର ପରୀକ୍ଷଣ କରାଯାଇଥିଲା ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.