ନୂଆଦିଲ୍ଲୀ ୦୯/୦୯: ତାଇୱାନ୍ର ଜଣେ ଗଣିତ ଶିକ୍ଷକ ଚାଙ୍ଗ ସୁ ନିଜର ଶିକ୍ଷାଦାନକୁ ଲୋକପ୍ରିୟ କରିବା ଲାଗି ଏକ ନିଆରା ଉପାୟ ଗ୍ରହଣ କରିଛନ୍ତି । ସେ ବୟସ୍କମାନଙ୍କ ଲାଗି କଣ୍ଟେଣ୍ଟ ପ୍ରଦାନ କରୁଥିବା ଏକ ୱେବସାଇଟ୍ ପର୍ନହବ୍ରେ ଗଣିତ ଶିକ୍ଷା ସଂପର୍କିତ ତାଙ୍କର ଭିଡିଓକୁ ଅପଲୋଡ୍ କରୁଛନ୍ତି । ତାଙ୍କର ଏହି ନିଆରା ଶିକ୍ଷାଦାନ ଉପାୟ ଫଳବତୀ ମଧ୍ୟ ହୋଇଛି । ପର୍ନହବ୍ରେ ତାଙ୍କର ମାଗଣା ଭିଡିଓକୁ ଦେଖି ଅନେକ ଛାତ୍ରଛାତ୍ରୀ ତାଙ୍କର ଦେୟଯୁକ୍ତ ପାଠ୍ୟକ୍ରମକୁ ସବ୍ସ୍କ୍ରାଇବ୍ କରିଛନ୍ତି । ସେଥିଯୋଗୁ ତାଙ୍କର ବାର୍ଷିକ ୨ କୋଟି ଟଙ୍କା ରୋଜଗାର ହେଉଛି । ସେହି ଟଙ୍କାକୁ ସେ ନିଜର ଜୀବନଧାରଣ ସହିତ କର୍ମଚାରୀମାନଙ୍କୁ ଦରମା ଦେବାରେ ଖର୍ଚ୍ଚ କରିଥାନ୍ତି ।
ନ୍ୟୁୟର୍କ ପୋଷ୍ଟ ଅନୁସାରେ, ସୁ ଜଣେ ପ୍ରସିଦ୍ଧ ଗଣିତ ଶିକ୍ଷକ । ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୧୫ ବର୍ଷର ଅଭିଜ୍ଞତା ରହିଛି । ପ୍ରାଥମିକ ଭାବେ ସେ ତାଙ୍କର ଭିଡିଓକୁ ୟୁଟ୍ୟୁବ୍ରେ ଅପଲୋଡ୍ କରିଥିଲେ । କିନ୍ତୁ ପରେ ନିଆରା ମାର୍କେଟିଂ ଉପାୟ ଗ୍ରହଣ କରି ୨୦୨୦ ମେ ମାସରୁ ପର୍ନହବ୍ରେ ଭିଡିଓ ଅପଲୋଡ୍ ଆରମ୍ଭ କଲେ । ପର୍ନହବ୍ରେ ତାଙ୍କର ଚାଙ୍ଗସୁମ୍ୟାଥ୍ ୬୬୬ ନାମକ ଏକ ଆକାଉଣ୍ଟ ରହିଛି । ସେହି ଆକାଉଣ୍ଟରୁ ସେ ଭିଡିଓଗୁଡିକୁ ପୋଷ୍ଟ କରିଥାନ୍ତି । ତାଙ୍କର ପ୍ରାୟ ୧୩୦୦୦ ସବ୍ସ୍କ୍ରାଇବର ରହିଛନ୍ତି ।
ଏ ସଂପର୍କରେ ସୁ କହିଛନ୍ତି, ବୟସ୍କଙ୍କ ଲାଗି ଉଦ୍ଦିଷ୍ଟ ଭିଡିଓ ପ୍ଲାଟଫର୍ମରେ ଖୁବ୍ କମ୍ ଲୋକ ଗଣିତ ଶିକ୍ଷା ଦେଇଥାନ୍ତି । କିନ୍ତୁ ବହୁ ସଂଖ୍ୟାରେ ଲୋକ ଏହି ପ୍ଲାଟଫର୍ମରେ ଭିଡିଓ ଦେଖିଥାନ୍ତି । ସେଥିଲାଗି ମୁଁ ଭାବିଲି ଯେ ଯଦି ସେଠାରେ ଭିଡିଓ ଅପଲୋଡ୍ କରିବି ତେବେ ଅନେକ ଲୋକ ମୋତେ ଦେଖିବେ । ନିଜର ପ୍ରତି ଭିଡିଓରେ ସୁ ତାଙ୍କର ଧୂସର ରଙ୍ଗର ହୁଡି ଓ ଚଷମା ପିନ୍ଧି ନଜର ଆସିଥାନ୍ତି । ସେଥିରେ ଅତି ଜଟିଳ ଗଣିତ ସମସ୍ୟାଗୁଡିକୁ ସେ ଏକ ସବୁଜ ରଙ୍ଗର ବୋର୍ଡରେ ସମାଧାନ କରୁଥିବା ଦେଖିବାକୁ ମିଳିଥାଏ । ତାଙ୍କର ପ୍ରତି ଭିଡିଓ ୪୦ ମିନିଟ୍ ଅବଧିର ହୋଇଥିବାବେଳେ ତାକୁ ହାରାହାରି ୨୦ ହଜାର ଭ୍ୟୁ ମିଳେ ।