ଆଗ୍ରା : ୟୁପିର ଆଲିଗଡ଼ରୁ ଜଣେ ଶିକ୍ଷୟିତ୍ରୀଙ୍କ ନିଷ୍ଠୁରକାଣ୍ଡର ଖବର ସାମନାକୁ ଆସିଛି। ୟୁକେଜିରେ ପଢୁଥିବା ୭ବର୍ଷିୟ ଜଣେ ଛୋଟ ପିଲାକୁ ଦେଇଥିବା ନିର୍ଦ୍ଦୟ ଦଣ୍ଡ ଏବେ ଚର୍ଚ୍ଚାରେ। ପିଲାଟି ସ୍କୁଲ୍ ବ୍ୟାଗ ନେବାକୁ ଭୁଲି ଯାଇଥିଲା। ଫଳରେ ଶିକ୍ଷୟିତ୍ରୀ ଏଥିରେ ରାଗି ଯାଇ ଥିଲେ। ଆଉ ଅତି ଦୟନୀୟ ଭାବେ ମାଡ଼ ମାରି ଥିଲେ, ଏହାପରେ ପିଲାର ପୋଷାକ ଓହ୍ଲାଇ ତାଙ୍କୁ ଦେଇଥିଲେ ବିଦ୍ୟୁତ୍ ଆଘାତ୍।
ୱିଓ ନ୍ୟୁଜ ଡଟ୍ କମ୍ ଅନୁସାରେ , ସ୍କୁଲ୍ ପରେ ପିଲାଟି କାନ୍ଦି କାନ୍ଦି ଘରକୁ ଫେରି ଥିଲା ଏବଂ ନିଜ ମାଆଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ମାରିବା କଥା କହି ସ୍କୁଲ ଯିବାକୁ ମନା କରିଥିଲା। ମାଆ ତା ଠାରୁ ଶିକ୍ଷକଙ୍କର ନିଷ୍ଠୁରତା ବିଷୟରେ ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ। ବାପା-ମାଆ ଯାଇ ପୁଲିସରେ ମାମଲା ରୁଜୁ କଲେ। ଉକ୍ତ ଘଟଣାର ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମନାକୁ ଆସିଛି। ବର୍ତ୍ତମାନ ପୁଲିସ ଏହି ଫୁଟେଜକୁ କବଜାକୁ ନେଇ ଯାଞ୍ଚ କରୁଛି।
ଲୋଧା ପୁଲିସ ଥାନା ଅଞ୍ଚଳର ଭାରତ ନଗଲା ଗାଁର ନିବାସୀ ଦିଲ୍ଲୀପ କୁମାର କହିଛନ୍ତି, ତାଙ୍କ ପୁଅ ଜେମ୍ସ ଖେରେଶ୍ୱର ଧାମ ମନ୍ଦିର ପାଖ ଏକ ଘରୋଇ ସ୍କୁଲରେ ୟୁକେଜିର ଛାତ୍ର। ଘଟଣା ଦିନ ଦିଲ୍ଲୀପ ସହର ବାହାରେ ଥିଲେ ଏବଂ ପିଲାର ମାଆ ଅସୁସ୍ଥ ଥିଲେ। ଏଥିପାଇଁ ପିଲାର ଜେଜେମାଆ ତାକୁ ସ୍କୁଲକୁ ଛାଡ଼ିବାକୁ ଯାଇଥିଲେ। ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ପିଲାଟି ନିଜ ସ୍କୁଲ ବ୍ୟାଗ୍ ନେବାକୁ ଭୁଲି ଯାଇ ଥିଲା। ଯେଉଁଥିରେ ଶିକ୍ଷୟିତ୍ରୀ ତାକୁ ଖୁବ୍ ନିର୍ଦ୍ଦୟ ଭାବେ ପିଟି ଥିଲେ। ଏଥିରେ ମନ ଶାନ୍ତି ନହେବାକୁ, ଶିକ୍ଷୟିତ୍ରୀ ପୁଣି ପିଲାର ପୋଷାକ ଓ ଜୋତା ଓହ୍ଲାଇ ତାକୁ ବିଦ୍ୟୁତ୍ ଆଘାତ ଦେଇ ଥିଲେ।
ଘଟଣା ବିଷୟରେ ପିଲାଠୁ ଶୁଣିବା ପରେ, ପରିବାର ଲୋକେ ତୁରନ୍ତ ସ୍କୁଲକୁ ଯାଇ ବିରୋଧ କରିଥିଲେ ଏବଂ ପୁଲିସକୁ ଘଟଣା ବିଷୟରେ ଜଣାଇ ଥିଲେ। ଅଭିଯୋଗ ପରେ ଲୋଧା ପୁଲିସ ଥାନା ପ୍ରଭାରୀ ରାଜଭୀର ସିଂହ ପରମାର ଏବଂ ତାଙ୍କର ଟିମ୍ ସ୍କୁଲରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ସ୍କୁଲର ଅନ୍ୟ କର୍ମଚାରୀଙ୍କୁ ପଚରା ପଚରି କରିଥିଲେ।
ଅନ୍ୟପଟେ ସ୍କୁଲର ପ୍ରଧାନାଚାର୍ଯ୍ୟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି , ପିଲାକୁ ବିଦ୍ୟୁତ୍ ଆଘାତ ହେବା ଅଭିଯୋଗ ମିଛ। ଆମେ ସିସିଟିଭି ଫୁଟେଜ ଦେଖାଇବାକୁ ପ୍ରସ୍ତୁତ , ସବୁ ଅଭିଯୋଗ ଭିତ୍ତିହୀନ।