ଭୁବନେଶ୍ୱର,୧୪/୦୮ : ସ୍ୱାଧୀନତା ମିଳିବାର ମାସକ ପୂର୍ବରୁ ଦେଶର ଜାତୀୟ ପତାକା ‘ତ୍ରିରଙ୍ଗା’ ତିଆରି ହେଲା । ‘ସ୍ୱରାଜ ପାଇଁ ସ୍ୱଦେଶୀ’ ଲକ୍ଷ୍ୟରେ ଖାଣ୍ଟି ଖଦଡ଼ କପଡ଼ାରେ ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ପିଙ୍ଗାଲି ଭେଙ୍କୟା ଏହି ପତାକା ପ୍ରସ୍ତୁତ କରିଥିଲେ । ଏହାର ଆକାର, ରଙ୍ଗ ଓ ନିୟମ ମଧ୍ୟ ରହିଛି । ହେଲେ ଆଧୁନିକତାର ଛାପରେ ଏସବୁ ନିୟମକୁ ପାଦରେ ଦଳି ଦିଆଗଲାଣି । ଖଦି ବଦଳରେ ପ୍ଲାଷ୍ଟିକ୍ ପତାକା ବହୁଳ ସଂଖ୍ୟାରେ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ମଙ୍ଗଳବାରଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ‘ହର ଘର ତିରଙ୍ଗା’ ଅଭିଯାନ । ସେଥିପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ବିକ୍ରି ହେଉଛି । ହେଲେ ସେଥିରେ କମ୍ କପଡ଼ା ଏବଂ ପ୍ଳାଷ୍ଟିକ୍ ଓ କାଗଜ ପତାକା ଅଧିକ ରହୁଛି । ଫ୍ଲାଗ କୋଡ୍ ନିୟମ ଉଲ୍ଲଂଘନ ଓ କେନ୍ଦ୍ର ସରକାରଙ୍କ ନିଷେଧ ସତ୍ତ୍ଵେ ପ୍ଲାଷ୍ଟିକ ତିଆରି ପତାକା ବ୍ୟବହାର ହେଉଛି ।
ସ୍ୱାଧୀନତାର ୭୫ବର୍ଷ ପାଳନ ଅବସରରେ ଆୟୋଜିତ ଆଜାଦୀ କା ଅମୃତ ମହୋତ୍ସବ ପାଇଁ ୨୦୨୨ରେ ସାରା ଦେଶରେ ହର ଘର ତିରଙ୍ଗା ଅଭିଯାନ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘରେ ଘରେ ପତାକା ଉଡ଼ାଇବା ସହ ଖଦି ପ୍ରସ୍ତୁତ ପତାକା କିଣିବାକୁ ସରକାର ନିବେଦନ କରିଥିଲେ । ପରେ ଖଦି ପତାକା ବିକ୍ରି ହୋଇଥିଲା । ଖଦି ଭଣ୍ଡାର ଓ ଖଦି ନିକେତନରେ ପତାକା ବିକ୍ରି ଆଖିଦୃଶିଆ ହୋଇଥିଲା । ଅଶୋକନଗରସ୍ଥିତ ଖଦି ନିକେତନରେ ଚାରିପ୍ରକାର ପତାକା ରହିଛି । ସବୁଠୁ ଛୋଟ ୬/୯ ଇଞ୍ଚର ଦାମ୍ ୬୦ ଟଙ୍କା ରହିଥିବା ବେଳେ ଅଢେଇ ଫୁଟରେ ୩ଫୁଟ ପତାକାର ଦର ୨ଶହ ଟଙ୍କା ରହିଛି । ସେହିପରି ୪ ଫୁଟରେ ସାଢ଼େ ୪ଫୁଟ ପତାକାର ଦାମ୍ ୪ଶହ ଓ ସବୁଠୁ ବଡ଼ ୪ଫୁଟରେ ୬ଫୁଟ ପତାକାର ଦାମ୍ ୫ଶହ ଟଙ୍କା ରହିଛି । ସେଥିମଧ୍ୟରୁ ବାଇକ୍ ଓ ଅନ୍ୟାନ୍ୟ ଯାନରେ ବ୍ୟବହାର ପାଇଁ ଛୋଟ ପତାକା ଅଧିକ ବିକ୍ରି ହେଉଛି ।
ଅଶୋକନଗରସ୍ଥିତ ଖଦି ନିକେତନର ମ୍ୟାନେଜର ନାରାୟଣ ପୃଷ୍ଟି କହନ୍ତି, ଯେତେବେଳେ ଚାହିଦା ନଥିଲା ସେତେବେଳେ ପାଖାପାଖି ୨ ହଜାର ଖଦି ପତାକା ବିକ୍ରି ହେଉଥିଲା । ପୂର୍ବବର୍ଷ ଗୁଡ଼ିକରେ ୬ ହଜାରରୁ ଅଧିକ ପତାକା ବିକ୍ରି ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଏବର୍ଷ କଟକ ଗୋବିନ୍ଦପୁରରେ ଆମେ ପତାକା ତିଆରି କରାଇଲୁ । ସବୁ ଆକାରର ପତାକା ମିଶାଇ ପ୍ରଥମ ପର୍ଯ୍ୟାୟରେ ୧୩ଶହରୁ ଅଧିକ ପତାକା ଆସିଛି । ଆଗକୁ ଆହୁରି ଅଢେଇ ହଜାର ପତାକା ଆସିବ । ହେଲେ ଏପର୍ଯ୍ୟନ୍ତ ୧୦୦୦ରୁ ୧୧ଶହ ପତାକା ବିକ୍ରି ହୋଇପାରିଛି ବୋଲି ସେ କହିଛନ୍ତି । ସେହିପରି ନ୍ୟୁ ଖଦି ଭଣ୍ଡାରରେ ବଡ଼ ଆକାରର ପତାକା ଥିବା ବେଳେ ଛୋଟ ପତାକା ବିକ୍ରି ସରିଯାଇଛି । ପରିବେଶକୁ କ୍ଷତି ଦେଉଥିବାରୁ ପ୍ଲାଷ୍ଟିକ ପତାକା ବିକ୍ରି ଉପରେ ୨୦୨୦ରେ କେନ୍ଦ୍ର ସରକାର ନିଷେଧାଦେଶ ଲଗାଇଥିଲେ । ହେଲେ ୧ ନମ୍ବର ହାଟ ସମେତ ବିଭିନ୍ନ ରାସ୍ତାପାଶ୍ୱର୍ରେ ପ୍ଲାଷ୍ଟିକ ଓ କାଗଜ ପତାକା ବିକ୍ରି ହେଉଛି । ତେଣୁ ଖଦି ଦୋକାନରେ କାହାରି ପାଦ ପଡ଼ୁନି । ଏ ନେଇ ରାଜ୍ୟ ବୁଣାକାର ମହାସଂଘ ସଭାପତି ଶ୍ରୀଧର ବେହେରା କହନ୍ତି, ପ୍ଲାଷ୍ଟିକ ପତାକା କେବଳ ପରିବେଶକୁ କ୍ଷତି କରୁନି ବରଂ ଏହାଦ୍ୱାରା ତିରଙ୍ଗାକୁ ଅପମାନିତ କରାଯାଉଛି । ଫ୍ଲାଗ କୋଡ୍ର ନିୟମ କହୁଛି, କେବଳ ସୂତା୍ ଓ ଖଦି ପତାକା ବ୍ୟବହାର କରାଯିବା ଉଚିତ । ହେଲେ ତାହା ହେଉନି ।