ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

SCB ଇତିହାସରେ ଲଜ୍ଜାଜନକ ଘଟଣା : ଇକୋ ପରୀକ୍ଷା କରିବାକୁ ଡାକି ନଣନ୍ଦ-ଭାଉଜଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଡାକ୍ତର ଗିରଫ

କଟକ, ୧୪/୦୮ : ଏସ୍‌ସିବି ଡାକ୍ତରଖାନା ଇତିହାସରେ ଡାକ୍ତରମାନଙ୍କ ମୁଣ୍ଡ ତଳକୁ ନୁଆଁଇଦେବା ଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି । ହୃଦ୍‌ରୋଗରେ ଆକ୍ରାନ୍ତ ଦୁଇ ଜଣ ବୟସ୍କ ମହିଳା ରୋଗୀଙ୍କର କାର୍ଡିଓଲୋଜି ବିଭାଗରେ ଇକୋ କାର୍ଡିଓଗ୍ରାମ୍‌ (ଇକୋ) ପରୀକ୍ଷା କରାଇବା ବେଳେ ଜଣେ ରେସିଡେଣ୍ଟ୍‌ ଡାକ୍ତର ଉଭୟଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ବଳାତ୍କାରର ଶିକାର ଦୁଇ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ଗାଇନିକ୍‌ ୱାର୍ଡରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଡାକ୍ତରଙ୍କୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତଙ୍କ ନାଁ ଡାକ୍ତର ଠାକୁର ଦିଲ୍‌ବାଗ୍‌ ସିଂ । ତାଙ୍କ ଘର ମଧ୍ୟପ୍ରଦେଶ ଭୋପାଳ ଜିଲ୍ଲା ମହାରାଣାପ୍ରତାପ ନଗର ଅଞ୍ଚଳରେ ବୋଲି ପୁଲିସ କହିଛି। 

ଅଭିଯୁକ୍ତ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୬୪-୨-ଇ (ଡାକ୍ତରଖାନା ଭିତରେ କୌଣସି କର୍ମଚାରୀ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ) ଲଗାଇ ପୁଲିସ ଗିରଫ କରିଥିବା ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି । ଅଭିଯୁକ୍ତ ଡାକ୍ତର ତଥା ଡିଏମ୍‌ ତୃତୀୟ ବର୍ଷ ଛାତ୍ର ଜଣକ ଯୋଜନାବଦ୍ଧ ଭାବେ ଦୁଇ ପୀଡ଼ିତାଙ୍କୁ ସରକାରୀ ଛୁଟି ଦିନ ରବିବାରରେ ଇକୋ କରିବାକୁ ଡକାଇଥିଲେ । ଉଭୟଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଇକୋ ପ୍ରକୋଷ୍ଠକୁ ନେଇ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ବଳାତ୍କାରର ଶିକାର ମହିଳା ଦୁହେଁ ସମ୍ପର୍କରେ ନଣନ୍ଦ ଓ ଭାଉଜ ବୋଲି ଜଣାପଡ଼ିଛି । 

ଅନ୍ୟପକ୍ଷରେ, ପୀଡ଼ିତା ଦୁହେଁ ଏସ୍‌ସିବି ମେଡିକାଲ କଲେଜର ଅନ୍ୟ ଜଣେ ଡାକ୍ତରୀ ଛାତ୍ରଙ୍କର ମା’ ଓ ମାଇଁ ବୋଲି ଖବର ମିଳିଛି । ମହିଳା ରୋଗୀଙ୍କୁ ପରୀକ୍ଷା ଓ ଚିକିତ୍ସା କରାଇବା ବାହାନାରେ ଡାକ୍ତରଖାନା ଭିତରେ ବଳାତ୍କାର କରାଯିବା ଘଟଣା ଚିକିତ୍ସକଙ୍କ ସମେତ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଭିତରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏହାର ତଦନ୍ତ ଲାଗି ସ୍ୱାସ୍ଥ୍ୟ ସଚିବ ତତ୍କାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ୩ ଜଣିଆ ଏକ ଟିମ୍‌ ଗଠନ କରାଯାଇଛି । ଡିଏମ୍‌ଇଟି ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର, ଏସ୍‌ସିବି ଡାକ୍ତରଖାନା ଅଧୀକ୍ଷକ ତଥା ଇନ୍‌ଚାର୍ଜ ଡିନ୍‌ ଆଣ୍ଡ୍‌ ପ୍ରିନ୍ସପାଲ୍‌ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ଯୁଗ୍ମ ଡିଏମ୍‌ଇଟି ପ୍ରଫେସର ଡାକ୍ତର ରୋମା ରତନଙ୍କୁ ନେଇ ଗଠିତ ତଦନ୍ତକାରୀ ଟିମ୍‌ ଘଟଣାର ତଦନ୍ତ କରି ରିପୋର୍ଟ ଦେବା ଲାଗି ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । 

ମିଳିଥିବା ଖବରରୁ ପ୍ରକାଶ, ଏସ୍‌ସିବି ମେଡିକାଲ କଲେଜର ଜଣେ ଦ୍ୱିତୀୟ ବର୍ଷ ଏମ୍‌ବିବିଏସ୍‌ ଛାତ୍ରଙ୍କ ମା’ ଏବଂ ମାଇଁଙ୍କର ହୃଦ୍‌ରୋଗ ଜନିତ ସମସ୍ୟା ଥିବାରୁ ସେ କାର୍ଡିଓଲୋଜି ବିଭାଗ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ସମ୍ପୃକ୍ତ ରୋଗୀ ଦୁହିଙ୍କର ଇକୋ ପରୀକ୍ଷା କରାଇବାକୁ ଡାକ୍ତର ସିଂ ପରାମର୍ଶ ଦେଇଥିଲେ । ଉଭୟଙ୍କର ଇକୋ ପରୀକ୍ଷା ପାଇଁ ରବିବାରକୁ ଡାକ୍ତର ସମୟ ଧାର୍ଯ୍ୟ କରିଥିଲେ । ରବିବାର ସରକାରୀ ଛୁଟି ଯୋଗୁଁ ଇକୋ ପରୀକ୍ଷା ବନ୍ଦ ଥିବା ସତ୍ତ୍ଵେ ସେ ଜାଣିଶୁଣି ସେହି ସମୟ ଦେଇଥିଲେ । ଡାକ୍ତରଙ୍କ ଧାର୍ଯ୍ୟ ସମୟ ଅନୁସାରେ ଏମ୍‌ବିବିଏସ୍‌ ଛାତ୍ର ଜଣକ ତାଙ୍କ ମା’ ଓ ମାଇଁଙ୍କୁ ଦୁଇ ଦିନ ତଳେ କାର୍ଡିଓଲୋଜି ବିଭାଗକୁ ଡକାଇଥିଲେ । ତେବେ ଇକୋ କରିବା ପାଇଁ ପୃଥକ୍‌ ଭାବେ ଦୁଇ ରୋଗୀଙ୍କୁ ଅଭିଯୁକ୍ତ ଡାକ୍ତର ସିଂ ପ୍ରକୋଷ୍ଠକୁ ଡକାଇଥିଲେ । ପ୍ରଥମେ ଡାକ୍ତରୀ ଛାତ୍ରଙ୍କ ମାଇଁ ତଥା ୪୪ ବର୍ଷ ମହିଳା ପରୀକ୍ଷା କରାଇବା ପାଇଁ ଭିତରକୁ ଯାଇଥିଲେ । ପରୀକ୍ଷା ବେଳେ ରୁମ୍‌ ଭିତରକୁ ସାଙ୍ଗରେ ଯାଇଥିବା ସମ୍ପର୍କୀୟ ତଥା ଏମ୍‌ବିବିଏସ୍‌ ଛାତ୍ରଙ୍କୁ ଡାକ୍ତର ସିଂ ବାରଣ କରି ବାହାରେ ଅପେକ୍ଷା କରିବାକୁ କହିଥିଲେ । ପ୍ରକୋଷ୍ଠ ଭିତରେ ଇକୋ ପରୀକ୍ଷା କରିବା ସମୟରେ ମହିଳାଙ୍କ ସହ ଅଭିଯୁକ୍ତ ଡାକ୍ତର ଅସଦାଚରଣ କରିଥିଲେ। 

ରୋଗୀ ଏହାର ପ୍ରତିବାଦ କରିବାରୁ ‘ଡାକ୍ତରଙ୍କ ଆଗରେ ପରୀକ୍ଷା ସମୟରେ ଏସବୁରେ ଲାଜ କଲେ ଚଳିବ ନାହିଁ’ ବୋଲି ଅଭିଯୁକ୍ତ ଡାକ୍ତର ତାଙ୍କୁ କହିଥିଲେ । ପୀଡ଼ିତା ଚୁପ୍‌ ରହିବା ମଧ୍ୟରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ବଳାତ୍କାର କରିବା ସହ ଇକୋରେ ବ୍ୟବହୃତ କିଛି ସରଞ୍ଜାମ ଜରିଆରେ ପୀଡ଼ିତାଙ୍କୁ ଅପ୍ରାକୃତିକ ଯୌନ ନିର୍ଯାତନା ଦେଇଥିଲେ । ୩୦ ମିନିଟ୍‌ କାଳ ପ୍ରକୋଷ୍ଠ ଭିତରେ ତାଙ୍କୁ ଅମାନୁଷିକ ଅତ୍ୟାଚାର କରି ଛାଡ଼ିବା ପରେ ଡାକ୍ତରୀ ଛାତ୍ରଙ୍କ ମା’ ତଥା ୫୧ ବର୍ଷ ବୟସ୍କା ମହିଳା ଭିତରକୁ ଯାଇଥିଲେ । ତାଙ୍କ ସହ ଅଭିଯୁକ୍ତ ଡାକ୍ତର ସିଂ ମଧ୍ୟ ସମାନ ଢଙ୍ଗରେ ବଳାତ୍କାର କରିବା ସହ ପାଶବିକ ଅତ୍ୟାଚାର କରିଥିଲେ ବୋଲି ପୁଲିସ କହିଛି । ଅଭିଯୁକ୍ତ ଡାକ୍ତର ଅପ୍ରାକୃତିକ ଉପାୟରେ ଅମାନୁଷିକ ଭାବେ ବଳାତ୍କାର କରିଥିବାରୁ ଦୁଇ ପୀଡ଼ିତା ଆହତ ହୋଇଥିଲେ । ଇକୋ ପରୀକ୍ଷା ପରେ ଉଭୟ ମା’ ଏବଂ ମାଇଁ ଯନ୍ତ୍ରଣା ଅନୁଭବ କରିବା ସହ ଆହତ, ରକ୍ତାକ୍ତ ହେବା ପଛର କାରଣକୁ ନେଇ ଏମ୍‌ବିବିଏସ୍‌ ଛାତ୍ରଙ୍କର ସନ୍ଦେହ ହୋଇଥିଲା । ପ୍ରକୃତ ଘଟଣା ଜାଣିବା ପାଇଁ ସେ ତାଙ୍କ ମା’ ଓ ମାଇଁଙ୍କଠାରୁ ସବୁ କଥା ବୁଝିଥିଲେ । ଏଭଳି ଅଭାବନୀୟ ଘଟଣା ଜାଣିବା ପରେ ସେ ଏ ସମ୍ପର୍କରେ ହଷ୍ଟେଲ୍‌କୁ ଯାଇ ସହପାଠୀମାନଙ୍କୁ ଜଣାଇଥିଲେ । ଏହାକୁ ନେଇ ହଷ୍ଟେଲ୍‌ର ଡାକ୍ତରୀ ଛାତ୍ରଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । 

କେତେକ ଛାତ୍ର ଏକାଠି ହୋଇ ରେସିଡେଣ୍ଟ୍‌ ହଷ୍ଟେଲ୍‌ରୁ ଅଭିଯୁକ୍ତ ଡାକ୍ତରଙ୍କୁ ଡକାଇ କ୍ୟାମ୍ପସ୍‌ ଭିତରକୁ ନେଇଯାଇଥିଲେ । ଅଭିଯୁକ୍ତ ଡାକ୍ତରଙ୍କୁ ସେଠାରେ ମାଡ଼ ମରାଯାଇଥିବା କୁହାଯାଉଛି । ଡାକ୍ତର ଅଚେତ ହୋଇପଡ଼ିବାରୁ ଛାତ୍ରମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସୁରକ୍ଷା ଦୃଷ୍ଟିରୁ ଡାକ୍ତରଖାନା ପକ୍ଷରୁ ଅଭିଯୁକ୍ତ ଡାକ୍ତର ସିଂଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ସେ ସୁସ୍ଥ ହେବା ପରେ ପୁଲିସ ପ୍ରାଥମିକ ତଦନ୍ତ ଆଧାରରେ ଆଜି ତାଙ୍କୁ ଗିରଫ ଦର୍ଶାଇ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଡାକ୍ତର ସିଂ ବିବାହିତ । ତାଙ୍କ ପତ୍ନୀ ବି ଜଣେ ଡାକ୍ତର । ତାଙ୍କର ଏକ ଶିଶୁ କନ୍ୟା ମଧ୍ୟ ରହିଛି । ଘଟଣା ସମ୍ପର୍କରେ ଅତିରିକ୍ତ ଡିସିପି ଶ୍ରୀ ମିଶ୍ର କହିଛନ୍ତି କି’ ଡାକ୍ତର ସିଂ ମନ୍ଦ ଉଦ୍ଦେଶ୍ୟ ରଖି ଦୁଇ ମହିଳା ରୋଗୀଙ୍କୁ ଜାଣିଶୁଣି ଛୁଟି ଦିନରେ ଡକାଇଥିଲେ । ମହିଳା ରୋଗୀଙ୍କ ଇକୋ ପରୀକ୍ଷା ମହିଳା କର୍ମଚାରୀଙ୍କ ଉପସ୍ଥିତିରେ କରାଇବାର ନିୟମ ଥିଲେ ହେଁ ଅଭିଯୁକ୍ତ ଡାକ୍ତର କୌଣସି ମହିଳା କର୍ମଚାରୀ ନ ଡକାଇ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କୁ ବାହାରକୁ ବାହାର କରିଦେଇ ବଳାତ୍କାର କରିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏଥିଲାଗି ସମ୍ପୃକ୍ତ ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯିବା ସହ, ମହିଳା ପୁଲିସ ଅଧିକାରୀ ଭାରତୀୟ ଆଚାର ସଂହିତା ଧାରା ୧୮୦ ଅନୁସାରେ ଉଭୟଙ୍କ ବୟାନ ରେକର୍ଡ କରିଛନ୍ତି । 

ସେହିପରି ପୀଡ଼ିତା ଦୁହିଙ୍କର ଧାରା ୧୮୩ରେ କୋର୍ଟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହୋଇଛି । ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯିବା ସହ ତାଙ୍କ ନଖ ଓ ଅନ୍ତବସ୍ତ୍ରର ନମୁନା ସଂଗ୍ରହ କରଯାଇଛି । ସେହିପରି ଇକୋରେ ବ୍ୟବହାର ହେଉଥିବା ଉପକରଣକୁ ମଧ୍ୟ ପୁଲିସ ଜବତ କରିଛି । ଏସବୁ ସାମଗ୍ରୀ ସାଇଣ୍ଟିଫିକ୍‌ ପରୀକ୍ଷା ଲାଗି ଷ୍ଟେଟ୍‌ ଫରେନସିକ୍‌ ଲ୍ୟାବ୍‌କୁ ପଠାଯିବ ବୋଲି ପୁଲିସ୍‌ କହିଛି । ଅନ୍ୟପକ୍ଷରେ ଅଭିଯୁକ୍ତ ଡାକ୍ତର ସିଂଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଡାକ୍ତରୀ ଛାତ୍ରଙ୍କ ବିରୋଧରେ ମଧ୍ୟପ୍ରଦେଶ ଭୋପାଳରୁ ଆସିଥିବା ଡାକ୍ତରଙ୍କ ପରିବାର ଲୋକେ ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି । ଉକ୍ତ ଅଭିଯୋଗ ଆଧାରରେ ପୁଲିସ ଅନ୍ୟ ଏକ ମାମଲା ମଧ୍ୟ ରୁଜୁ କରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.