ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ରାଜଧାନୀରେ କ୍ରେଜ୍ ‘ଇଭିଲ୍ ଆଇ’ ଅଳଙ୍କାର, ପିନ୍ଧିଲେ ନଜର ଲାଗୁନଥିବା ବିଶ୍ୱାସ

ଭୁବନେଶ୍ୱର, ୨୫।୫: ମୁଦିଠାରୁ ବ୍ରେସଲେଟ୍‌ । କାନଫୁଲ, ପାଉଁଜି ଅବା ବେକ ହାର । ସବୁଥରେ ରହିଛି ‘ଇଭିଲ୍‌ ଆଇ’ (ଭୂତ ଆଖି) ଯାହାକୁ ଦେଖିଲେ ଆଖି ଲାଖି ଯାଉଛି । କେହି କେହି ଏହାକୁ ଆଖିର ଡୋଳା ବାଲା ଅଳଙ୍କାର କହୁଛନ୍ତି । ପାଶ୍ଚାତ୍ୟ ସଂସ୍କୃତିରେ ନକାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ମୁଖ୍ୟତଃ ‘ଇଭିଲ୍‌ ଆଇ’କୁ ବ୍ୟବହାର କରାଯାଉଥିଲା ଯାହାକି ଏବେ ଆଧୁନିକତାର ସ୍ପର୍ଶ ପାଇ ଅଳଙ୍କାରର ରୂପ ନେଇଛି । କେତେକ ମହିଳା ଏହାକୁ ଫ୍ୟାସନ୍‌ ପାଇଁ ପିନ୍ଧୁଥିବା ବେଳେ ଆଉ କେହି ଏହାକୁ ଫ୍ୟାସନ୍‌ ସହ ନକାରାତ୍ମକ ଚିନ୍ତାଧାରା ଦୂର କରିବା ପାଇଁ ବ୍ୟବହାର କରୁଛନ୍ତି । ଏହାର କ୍ରେଜ୍‌ ସାଧାରଣ ପରିବାରଠୁ ଆରମ୍ଭ କରି ହଲିଉଡ୍‌, ବଲିଉଡ୍‌, ଓଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । 

ତେବେ ଏହା ଏବେ ରାଜଧାନୀରେ ଫ୍ୟାସନ ପ୍ରିୟ ମହିଳାମାନଙ୍କର ହେଉଛି ପ୍ରଥମ ପସନ୍ଦ । ଏହା କେବଳ ବେଶଭୂଷାକୁ ଆକର୍ଷଣୀୟ କରୁନି ବରଂ ଏହି ଅଳଙ୍କାରକୁ ପିନ୍ଧିଲେ କାହାର ନଜର ଲାଗେନି ବୋଲି ରାଜଧାନୀର ମହିଳାମାନେ ବିଶ୍ୱାସ କରୁଛନ୍ତି । ଫଳସ୍ୱରୂପ ଏହି ଅଳଙ୍କାରକୁ କିଣିବା ପାଇଁ ସେମାନେ ଦୋକାନରେ ଭିଡ଼ ଲଗାଉଛନ୍ତି । ଦୋକାନୀ ମଧ୍ୟ ମହିଳାଙ୍କ ବରାଦକୁ ଦେଖି ଭଳିକି ଭଳି ‘ଇଭିଲ୍‌ ଆଇ’ ଅଳଙ୍କାର ରଖିବାକୁ ଭୁଲୁନାହାନ୍ତି । ମହିଳାଙ୍କ ସାଜସଜାର ଦୁନିଆରେ ଅନବରତ ଟ୍ରେଣ୍ଡ୍‌ ବଦଳୁଥାଏ । ଆଉ ଏହି ଟ୍ରେଣ୍ଡରେ ଯୋଡ଼ିହୋଇଯାଇଛି ‘ଇଭିଲ୍‌ ଆଇ’ ଅଳଙ୍କାର । ଏହାର ଚାହିଦାକୁ ଦେଖି ମହିଳା, ଦୋକାନୀଙ୍କୁ ‘ଇଭିଲ୍‌ ଆଇ’ର ବିଭିନ୍ନ ଫଟୋ ଓ ଚିତ୍ର ଦେଖାଇ ବରାଦି ଦେଉଛନ୍ତି । 

କାନଫୁଲଠାରୁ ଆରମ୍ଭ କରି ହାର, ମୁଦି, ବ୍ରେସ୍‌ଲେଟ୍‌, ଆଙ୍କ୍‌ଲେଟ ଭଳି ଅଳଙ୍କାରରେ ଦେଖିବାକୁ ମିଳୁଛି ‘ଇଭିଲ୍‌ ଆଇ’ । ଅନେକ ମହିଳା ନିଜ ନଖରେ ‘ଇଭିଲ୍‌ ଆଇ’ର ଆର୍ଟ କରିବାକୁ ମଧ୍ୟ ପସନ୍ଦ କରୁଛନ୍ତି । ଏହି ‘ଇଭିଲ୍‌ ଆଇ’ ଅଳଙ୍କାରର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଯେଉଁ ଅଳଙ୍କାରରେ ସୁନା, ରୁପା କିମ୍ବା ହୀରା ଲାଗୁଛି ତାହାର ମୂଲ୍ୟ ଅଧିକ ରହୁଛି । ଅଭିନେତ୍ରୀମାନେ ଏହି ଅଳଙ୍କାରକୁ ଅଧିକ ପିନ୍ଧୁଥିବାରୁ ଏହାର ଚାହିଦା ଦୁଇଗୁଣିତ ହୋଇଯାଇଛି । ଅନ୍‌ଲାଇନ୍‌ରେ ମଧ୍ୟ ଏହି ଅଳଙ୍କାରକୁ ମହିଳା ବହୁଳ ମାତ୍ରାରେ ଅର୍ଡର କରୁଛନ୍ତି । ଲାଲ୍‌, ଘନ ନୀଳ, ଆକାଶୀ, କମଳା, ସବୁଜ , ଗୋଲାପି, ହଳଦିଆ ଭଳି ବିଭିନ୍ନ ରଙ୍ଗର ‘ଇଭିଲ୍‌ ଆଇ’ ବଜାରରେ ମିଳୁଛି । ହେଲେ ମହିଳା ଘନ ନୀଳ ରଙ୍ଗର ‘ଇଭିଲ୍‌ ଆଇ’ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । 

ତେବେ ‘ଇଭିଲ୍‌ ଆଇ’ର ଟ୍ରେଣ୍ଡ୍‌ କେବଳ ଅଳଙ୍କାର ପର୍ଯ୍ୟନ୍ତ ସୀମିତ ହୋଇରହିନାହିଁ, ଏହାକୁ ପୋଷାକ, ଏମିତିକି ସାମାଜିକ ଗଣମାଧ୍ୟମରେ ବ୍ୟବହାର ହେଉଥିବା ବିଭିନ୍ନ ଇମୋଜିରେ ମଧ୍ୟ ଏହାର ଝଲକ୍‌ ଦେଖିବାକୁ ମିଳୁଛି । ମାର୍କେଟ ବିଲ୍ଡିଂରେ ଥିବା ଅଳଙ୍କାର ଦୋକାନୀ ବସନ୍ତ ସ୍ୱାଇଁ କହନ୍ତି, ଏହି କିଛିଦିନ ହେବ ମହିଳାମାନେ ‘ଇଭିଲ୍‌ ଆଇ’ ଅଳଙ୍କାର ଖୋଜୁଛନ୍ତି । ସେମାନଙ୍କ ଚାହିଦାକୁ ନଜରରେ ରଖି ଆମେ ମଧ୍ୟ ଏହି ସାମଗ୍ରୀ ଆମ ଦୋକାନରେ ରଖୁଛୁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.