ନୂଆଦିଲ୍ଲୀ ୧୩/୦୮: ମିୟା ଲି ରୋକ୍ସ ବିଶ୍ୱର ପ୍ରଥମ ମହିଳା, ଯିଏ ବଧିର ହୋଇ ସୁନ୍ଦରୀ ପ୍ରତିଯୋଗିତା ଜିତିଛନ୍ତି । ମିସ୍ ଦକ୍ଷିଣ ଆଫ୍ରିକା ଟାଇଟଲ ଜିତି ବିଶ୍ୱବାସୀଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି । ଦକ୍ଷିଣ ଆଫ୍ରିକା ସୁନ୍ଦରୀ ମୁକୁଟ ହାସଲ କରିବା ପରେ ଲି ରୋକ୍ସ କହିଥିଲେ, ତାଙ୍କର ବିଜୟ ସମାଜରୁ ବାଦ୍ ପଡ଼ିଛନ୍ତି ବୋଲି ଭାବୁଥିବା ଅସଂଖ୍ୟ ଲୋକଙ୍କୁ ସାହାଯ୍ୟ କରିବ । ସେମାନେ ମଧ୍ୟ ତାଙ୍କ ଭଳି ବଡ଼ ସ୍ୱପ୍ନ ଦେଖି ତାକୁ ପୂରଣ କରିପାରିବେ । ଆର୍ଥିକ ପରିସ୍ଥିତିର ସମ୍ମୁଖୀନ କିମ୍ବା ଭିନ୍ନକ୍ଷମଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା କଥା ମଧ୍ୟ ସେ କହିଥିଲେ ।
୨୮ ବର୍ଷୀୟା ଲି ରୋକ୍ସ ମାତ୍ର ୧ ବର୍ଷ ବୟସରେ ଗମ୍ଭୀର ଶ୍ରବଣ ଶକ୍ତି ଲୋପ ବିକାର ଦ୍ୱାରା ପୀଡ଼ିତ ଜଣାପଡ଼ିଥିଲେ । ଶବ୍ଦ ଶୁଣିବା ଲାଗି ତାଙ୍କଠାରେ ଏକ କୋକ୍ଲିୟର ପ୍ରତିରୋପଣ କରାଯାଇଛି । ପ୍ରଥମ ଥର ଶବ୍ଦ ଉଚ୍ଚାରଣ କରିବାରେ ସକ୍ଷମ ହେବା ପୂର୍ବରୁ ସେ ଦୁଇ ବର୍ଷ ସ୍ପିଚ୍ ଥେରାପିର ସାହାଯ୍ୟ ନେଇଥିଲେ । ପେସାରେ ସେ ଜଣେ ମାର୍କେଟିଂ ମ୍ୟାନେଜର । ସୁନ୍ଦରୀ ପ୍ରତିଯୋଗିତା ଜିତିବା ପରେ ସେ କହିଛନ୍ତି ‘ମୁଁ ଜଣେ ଗର୍ବିତ ଦକ୍ଷିଣ ଆଫ୍ରିକୀୟ ମହିଳା । ବହିଷ୍କୃତ ହେବାର ଅନୁଭବକୁ ମୁଁ ଅଙ୍ଗେ ନିଭାଇଛି । ଏବେ ମୁଁ ବୁଝିପାରିଛି, ଏହି ପ୍ରାଚୀରକୁ ଭାଙ୍ଗିବା ପାଇଁ ମୋର ଜନ୍ମ । ତାହା ମୁଁ ଆଜି କରି ଦେଖାଇଛି ।’
ସୂଚନାଯୋଗ୍ୟ, ଗତ ସପ୍ତାହ ସୁନ୍ଦରୀ ପ୍ରତିଯୋଗିତାର ଚୂଡ଼ାନ୍ତ ପ୍ରତିଯୋଗୀ ଆଇନ ଛାତ୍ରୀ ଚିଡିମ୍ମା ଆଡେଟ୍ଶିନାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ଜଣେ ନାଇଜେରୀୟ ହୋଇ ମିସ୍ ସାଉଥ୍ ଆଫ୍ରିକା ପ୍ରତିଯୋଗିତାରେ ସେ କେମିତି ଭାଗ ନେଇଛନ୍ତି । ଏହା ପରେ ଆଡେଟ୍ଶିନା ପ୍ରତିଯୋଗିତାରୁ ଓହରି ଯାଇଥିଲେ । ତା’ପରେ ଲି ରୋକ୍ସଙ୍କ ସ୍ୱପ୍ନ ପୂରଣ ହେଲା ।