ମାଲକାନଗିରି, ୪/୮ : ଗତ୧୫ତାରିଖ ବାହୁଡା଼ ଯାତ୍ରାରୁ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଆଜି ପବିତ୍ର ଚିତା ଲାଗି ଅମାବାସ୍ୟାରେ କମିଛି । ନଦୀ ନାଳ ପୋଲ ଉପରୁ ବନ୍ୟା ଜଳ ହ୍ରାସ ପାଇ ବିଛିନ୍ନ ହୋଇପଡ଼ିଥିବା ସ୍ଥାନକୁ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।
ଦୀର୍ଘ ୨୦ ଦିନ ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନର ନଈ ନାଳ ଭର୍ତ୍ତି ହୋଇ ଯାଇଥିବା ବେଳେ କିଛି କିଛି ଗାଁରେ ମଧ୍ୟ ବନ୍ୟାଜଳ ପଶିବା ସହିତ ଅନେକ ଚାଷ ଜମି ରେ ପାଣି ପଶି ଫସଲ ନଷ୍ଟ ହୋଇଛି। ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଥିବା ନୀଚା ପୋଲଗୁଡ଼ିକ ଉପରେ ୨ ରୁ ୩ ଫୁଟ ଜଳ ପ୍ରବାହିତ ହେଉଥିଲା ତାହା କାଲି ଠାରୁ ଜଳସ୍ତର କମି ଯାଇଛ। ପୋଲ ଉପର ଜଳସ୍ତର କମି ଯାତାୟାତ ସ୍ୱାଭାବିକ ହୋଇଛି।
ପୋଟେରୁ, କାଙ୍ଗୁରକୋଣ୍ଡା, ପୋଲ ଜଳସ୍ଥର କମିବା ପରେ ପୋଲ ଉପରେ ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଜାଗା ଗୁଡ଼ିକର ନିର୍ମାଣ କରିବା ଆରମ୍ଭ କରି ଦେଇଛନ୍ତି ଜାତୀୟ ରାଜପଥ ବିଭାଗ । ବର୍ଷା ଛାଡି ଯାଇ ଥିବାରୁ ତହସିଲ, ବ୍ଲକ ଓ ଜିଲ୍ଲା ସ୍ଥରୀୟ ପ୍ରଶାସନିକ ଅଧିକାରୀ ଗାଁ ଗାଁ ବୁଲି କ୍ଷୟକ୍ଷତି ର ବିବରଣୀ ସଂଗ୍ରହରେ ଲାଗିପଡିଛନ୍ତି।