ଭୁବନେଶ୍ୱର, ୨୧।୮: ବଦଳିଲା ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଏଣିକି ହେବ ଇଣ୍ଟରନାଲ୍ ପରୀକ୍ଷା । ପ୍ରାକ୍ଟିକାଲ ନଥିବା ବିଷୟରେ ହେବ ୮୦ ମାର୍କର ଥିଓରୀ ପରୀକ୍ଷା । ଏଥିସହ ୨୦ ମାର୍କର ଇଣ୍ଟରନାଲ ପରୀକ୍ଷା । ମାତ୍ର ପ୍ରାକ୍ଟିକାଲ ଥିବା ବିଷୟରେ ଇଣ୍ଟରନାଲ ପରୀକ୍ଷା ହେବ ନାହିଁ । ଏହି ବିଷୟବସ୍ତୁରେ ୭୦ ମାର୍କର ଥିଓରୀ ଓ ୩୦ ମାର୍କର ପ୍ରାକ୍ଟିକାଲ କିମ୍ବା ପ୍ରୋଜେକ୍ଟ ପେପର ରହିବ । କେଉଁ ପାଠ୍ୟକ୍ରମରୁ କେତେ ମାର୍କର ପ୍ରଶ୍ନ ଆସିବ ତାହାର ଢାଞ୍ଚା ପରିବର୍ତ୍ତନ କରାଯାଇଛି । ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ବିସ୍ତୃତ ବିବରଣୀ ପ୍ରକାଶ ପାଇଛି । ସିଏଚ୍ଏସ୍ଇ ସିବିଏସ୍ଇ ଢାଞ୍ଚାକୁ ଅନୁକରଣ କରିଛି । ପ୍ରଥମେ ଗତବର୍ଷ କୋଶ୍ଚିନ୍ ବ୍ୟାଙ୍କ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲା । ଏହାପରେ ଚଳିତବର୍ଷ ଏକା ସାଙ୍ଗରେ ସମସ୍ତ ଟ୍ରେଡ୍ର ପରୀକ୍ଷା ଫଳ ପ୍ରକାଶ କରିଛି । ସେହିପରି ପିଲାଙ୍କର ମାର୍କ ବୃଦ୍ଧି ଓ ଚାପମୁକ୍ତ କରିବା ପାଇଁ କୋଶ୍ଚିନ୍ ପାର୍ଟନ୍ରେ ପରିବର୍ତ୍ତନ କରିଛି ।
ଯେପରି ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସହଜ ଅନୁଭବ କରିବେ ସେ ଲାଗି ଏହି ପ୍ରକାରର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିବା କଥା କୁହାଯାଉଛି । ଅନ୍ୟପଟେ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଶିକ୍ଷାର ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ୨୦୨୩ ମସିହାରେ ନାମ ଲେଖାଇଥିବା ଶିକ୍ଷାର୍ଥୀ ତଥା ୨୦୨୫ ବାର୍ଷିକ ଯୁକ୍ତ ୨ ପରୀକ୍ଷା ଦେବାକୁ ରେଗୁଲାର ଶିକ୍ଷାର୍ଥୀଙ୍କ ପାଇଁ ଏହି ଢାଞ୍ଚାକୁ ଲାଗୁ କରାଯିବ । ଆସନ୍ତା ଯୁକ୍ତ ୨ ପରୀକ୍ଷାରେ ପିଲାମାନେ ନୂଆ ଢାଞ୍ଚାରେ ପ୍ରସ୍ତୁତ ପ୍ରଶ୍ନପତ୍ରକୁ ଆଧାର କରି ପରୀକ୍ଷା ଦେବେ । ସିଏଚ୍ଏସ୍ଇର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ରେଗୁଲାର ଶିକ୍ଷାର୍ଥୀ ପ୍ରାକ୍ଟିକାଲ ଥିବା ବିଷୟ ବିଷୟରେ ୭୦ ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ଦେବେ । ସେହିପରି ଯେଉଁ ଶିକ୍ଷାର୍ଥୀଙ୍କର ପ୍ରୋଜେକ୍ଟ ପେପର ବିଷୟ ଥିବା ସେହି ବିଷୟରେ ସେମାନେ ୮୦ ମାର୍କର ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ପେପର ପରୀକ୍ଷା ଦେବେ । ମାତ୍ର ଇଂରାଜୀ, ସାହିତ୍ୟ ଏବଂ ପ୍ରାକ୍ଟିକାଲ ନଥିବା ବିଷୟରେ ୮୦ ମାର୍କର ଥିଓରୀ ପରୀକ୍ଷା ଏବଂ ୨୦ ମାର୍କର ଇଣ୍ଟରନାଲ ପରୀକ୍ଷା ଦେବେ । ଇଣ୍ଟିଗ୍ରେଡେଟ୍ ଧନ୍ଦାମୂଳକ ବିଷୟରେ ୫୦ ମାର୍କର ଥିଓରୀ ଏବଂ ୫୦ ମାର୍କର ପ୍ରାକ୍ଟିକାଲ ରହିବ ।
ସେହିପରି ଧନ୍ଦାମୂଳକ ଟ୍ରେଡ୍ର ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ପ୍ରାକ୍ଟିକାଲ ନଥିବା ବିଷୟରେ ୮୦/୪୦ ମାର୍କର ଥିଓରୀ ଏବଂ ଇଣ୍ଟରନାଲ୍ ପରୀକ୍ଷା ୨୦/୧୦ ମାର୍କ ରହିବ । ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ (୨୦୨୨ ମସିହା ପର୍ଯ୍ୟନ୍ତ ନାମ ଲେଖାଇଥିବା) ପାଇଁ ମଧ୍ୟ ପ୍ରଶ୍ନପତ୍ର ଢାଞ୍ଚାରେ ପରିବର୍ତ୍ତନ ହୋଇଛି । ସିଏଚ୍ଏସ୍ଇ ପକ୍ଷରୁ ଦର୍ଶାଯାଇଛି, ଥିଓରୀ (ନନ୍ ପ୍ରାକ୍ଟିକାଲ) ପରୀକ୍ଷାରେ ପରୀକ୍ଷାର୍ଥୀ ସର୍ବନିମ୍ନ ୩୦ ପ୍ରତିଶତ ମାର୍କ ରଖିବାର ଆବଶ୍ୟକତା ରହିଛି । ଅର୍ଥାତ୍ ୮୦ ମାର୍କରୁ ୨୪ ମାର୍କ ରଖିଲେ ପାସ୍ କରିବ । ଧନ୍ଦାମୂଳକ ଟ୍ରେଡ୍ରେ ଥିବା ପୁରା ମାର୍କ ୪୦ ଥିଲେ ପରୀକ୍ଷାର୍ଥୀ ସର୍ବନିମ୍ନ ୧୨ ମାର୍କ (୩୦ ପ୍ରତିଶତ) ରଖିବାକୁ ପଡ଼ିବ ତେବେ ଯାଇ ପାସ୍ କରିପାରିବ । ଯଦି ପରୀକ୍ଷାର୍ଥୀ ଇଣ୍ଟରନାଲ୍ ପରୀକ୍ଷାରେ ୨୦ରୁ ୧୮ ରଖେ ମାତ୍ର ଥିଓରୀରେ ୮୦ରୁ ୨୦ ମାର୍କ ରଖୁଛି ତେବେ ସେ ଫେଲ୍ ବୋଲି ଧରାଯିବ । ଥିଓରୀ ଓ ଇଣ୍ଟରନାଲ୍ ମାର୍କ ୩୮ ହୋଇଥିଲେ ବି ସେ ଫେଲ୍ ବୋଲି ଧରାଯିବ । ପରୀକ୍ଷାର୍ଥୀଙ୍କୁ ଥିଓରୀରେ ସର୍ବନିମ୍ନ ୨୪ ମାର୍କ ରଖିବାକୁ ପଡ଼ିବ । ସିଏଚ୍ଏସ୍ଇ ପକ୍ଷରୁ ଜାରି ହୋଇଥିବା ପ୍ରଶ୍ନପତ୍ର ଢାଞ୍ଚାକୁ ଦେଖିଲେ ଜଣାପଡ଼ୁଛି, ଏଥର ବିଶେଷ ଭାବେ ସଂକ୍ଷିପ୍ତ ପ୍ରଶ୍ନପତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । କେତେ ମାର୍କ ବିଶିଷ୍ଟ କେତେ ପ୍ରଶ୍ନ ଆସିବ ତାହା ମଧ୍ୟ ଦର୍ଶାଯାଇଛି ।