ଭୁବନେଶ୍ୱର, ୮।୧୧: ୨୦୨୪ କ୍ୟାଲେଣ୍ଡର ବର୍ଷ ସରକାରୀ ଛୁଟି ତାଲିକା ଜାରି କଲା ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ । ତାଲିକାରେ ୩୦ଟି ସରକାରୀ ଛୁଟି ଦିବସ ଏବଂ ୬ଟି ଇଚ୍ଛାଧୀନ ଛୁଟି ଦିବସ ରହିଛି । କର୍ମଚାରୀମାନେ ଏହି ୬ଟି ଇଚ୍ଛାଧୀନ ଛୁଟି ମଧ୍ୟରୁ ଗୋଟିଏ ଦିନ ନିଜ ସୁବିଧା ଅନୁସାରେ ନେଇପାରିବେ । ଦ୍ୱିତୀୟ ଶନିବାର ଏବଂ ରବିବାରରେ ୫ଟି ଛୁଟିଦିନ ପଡ଼ିଛି । ସେହିପରି ରବିବାର ଓ ଶନିବାରରେ ୩ଟି ଇଚ୍ଛାଧୀନ ରହିଛି । ଏହି ଛୁଟିଦିନକୁ ବାଦ୍ ଦେଲେ ରାଜ୍ୟ କର୍ମଚାରୀଙ୍କୁ ୪୬ଟି ରବିବାର ଓ ୨୨ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ମିଳିବ । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର, ସରକାରୀ ଛୁଟି ଏବଂ ଗୋଟିଏ ଇଚ୍ଛାଧୀନ ଛୁଟିକୁ ମିଶାଇ ୯୯ଟି ଛୁଟି ମିଳିବ ।
ସୂଚନାଯୋଗ୍ୟ, ଜାନୁଆରୀ ୧୭ ତାରିଖକୁ ଗୁରୁଗୋବିନ୍ଦ ସିଂଙ୍କ ଜନ୍ମଦିନ, ଜାନୁଆରୀ ୨୫ ତାରିଖରେ ବ୍ରହ୍ମ ସମାଜ ପ୍ରତିଷ୍ଠା ଦିବସ, ମାର୍ଚ୍ଚ ୩୦ ତାରିଖକୁ ଇଷ୍ଟର ଶନିବାର, ମେ ୨୨ରେ ରାଜା ରାମମୋହନ ରାୟ ଜନ୍ମଦିନ, ଜୁଲାଇ ୧୫ରେ ବାହୁଡ଼ା ଯାତ୍ରା, ଡିସେମ୍ବର ୨୪କୁ ଖ୍ରୀଷ୍ଟମାସ ପର୍ବକୁ ଇଚ୍ଛାଧୀନ ଛୁଟି ଭାବେ ଘୋଷଣା କରିଛନ୍ତି । ସେହିପରି ଏପ୍ରିଲ ୭ ରବିବାରରେ "ସବ୍-ଇ-କଦର', ନଭେମ୍ୱର ୧୦ ରବିବାରରେ ଅଁଳାନବମୀ ଓ ନଭେମ୍ୱର ୨୩ ଚତୁର୍ଥ ଶନିବାରରେ ପ୍ରଥମାଷ୍ଟମୀ ପଡ଼ୁଥିବାରୁ ଏହି ସବୁ ଇଚ୍ଛାଧୀନ ଛୁଟି ପ୍ରଭାବିତ ହୋଇଛି । ସେହିପରି ମହାବିଷୁବ ସଂକ୍ରାନ୍ତି, ରଥଯାତ୍ରା ନୂଆଖାଇ ଏବଂ ବିଜୟାଦଶମୀ ରବିବାର ଏବଂ ମହାନବମୀ ଦ୍ୱିତୀୟ ଶନିବାରରେ ପଡ଼ୁଥିବାରୁ ସରକାରୀ ଛୁଟି ପ୍ରଭାବିତ ହୋଇଛି । ବିଭାଗ ପକ୍ଷରୁ ଅନ୍ୟ ଏକ ବିଜ୍ଞପ୍ତିରେ ରାଜ୍ୟରେ ଥିବା ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ପାଇଁ ୨୦ଟି ସରକାରୀ ଛୁଟି ଦିବସ ଘୋଷଣା କରିଛନ୍ତି ।