ମାଲକାନଗିରି/ମାଥିଲି, ୧୪/୯ : ତୁଳସୀ ପାହାଡ଼ ଗାଁକୁ ଝାଡ଼ା ବାନ୍ତି ଚିକିତ୍ସା ପାଇଁ ଡାକ୍ତରୀ ଟିମ ଟ୍ରାକ୍ଟରରେ ଯାଉଥିବା ବେଳେ କାଦୁଅରେ ପଶିଲା ଚକ । ପଛରୁ ଧକ୍କା ମାରି ବହୁ ପରିଶ୍ରମ ପରେ ଚକ ବାହାର କଲେ ଡାକ୍ତରୀ ଟିମ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ତୁଳସୀ, ବାରା, ଲୁଲେର ଗ୍ରାମ ଗୁଡିକରେ ଦିନକୁ ଦିନ ଝାଡା ବାନ୍ତି ରୋଗ ବ୍ୟାପି ଚାଲିଛି । ଉପାନ୍ତ ଗାଁ ଗଣ୍ତାରେ ଏବେ ଝାଡ଼ା ବାନ୍ତି ଆତଙ୍କ ଦେଖା ଦେଇଥିବାବେଳେ ପ୍ରଭାବିତ ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁଳସୀପାହାଡ଼ ଉପରେ ଥିବା ଗାଁକୁ ଝାଡ଼ା ବାନ୍ତି ରୋଗୀଙ୍କୁ ଚିକିତ୍ସା କରିବାକୁ ଏକ ଟ୍ରାକ୍ଟର ଡାଲାରେ ବସି ଯାଉଥିଲେ । ଡାକ୍ତରୀ ଦଳଙ୍କ ଟ୍ରାକ୍ଟର ଚକ କାଦୁଅ ଫଶିଥିବାବେଳେ ନିଜେ ଡାକ୍ତର ଓ ତାଙ୍କ ସହଯୋଗୀମାନେ ଟ୍ରାକ୍ଟର ପଛରୁ ଧକ୍କା ଦେଇ ବାହାର କରିଥିଲେ ।
ସୂଚନା ଅନୁଯାୟୀ, ଦୁର୍ଗମ ତୁଳସୀ ଗାଁକୁ ସଂଯୋଗ କରୁଥିବା ରାସ୍ତାଟି ବର୍ଷା ଯୋଗୁଁ କାଦୁଅ ମୟ ହୋଇଥିବାବେଳେ ସେଠାରେ ଝାଡ଼ା ବାନ୍ତି କାୟା ବିସ୍ତାର କରିଥିବାରୁ ଡାକ୍ତରୀ ଦଳ ଏକ ଟ୍ରାକ୍ଟର ଯୋଗେ ସେଠାକୁ ଯାଉଥିଲେ । ତେବେ ଏହି ସମୟରେ ଉକ୍ତ ଟ୍ରାକ୍ଟରଟି କାଦୁଅ ରାସ୍ତାରେ ଫଶି ଯାଇଥିଲା । ଟ୍ରାକ୍ଟରରେ ବସି ଚିକିତ୍ସା କରିବାକୁ ଯାଉଥିବା ଡାକ୍ତରୀ ଦଳ ଓ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାର୍ଡି କର୍ମୀମାନେ ଗଛ ଡାଳପତ୍ର ଭାଙ୍ଗି କାଦୁଅ ରାସ୍ତାରେ ପକାଇ ଶେଷରେ ଫଶିଥିବା ଟ୍ରାକ୍ଟରକୁ ପଛରୁ ଧକ୍କା ଦେଇ ଅତି କଷ୍ଟରେ ବାହାର କରି ପୁଣି ତୁଳସୀ ଗାଁକୁ ଯାଇ ସ୍ୱାସ୍ଥ୍ୟସେବା ଯୋଗାଇଥିବା ଦେଖିବାକୁ ମିଳିଥିଲା । ଗତ ଦୁଇ ଦିନ ତଳେ ଭରା ନଈରେ ପହଁରି ପହଁରି ଯାଇ ବାରା ଗାଁରେ ଡାକ୍ତରୀ ଟିମ ପହଁଚି ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଏପରି ପ୍ରୟାସକୁ ସାଧାରଣରେ ବେଶ ପ୍ରସଂଶା କରାଯାଇଛି ।