ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ବ୍ଲକରୁ ସଚିବାଳୟ ଯାଏଁ ଚାଲିଥିଲା ଅଫିସର ରାଜୁତି, ଦିଶୁନଥିଲେ ମନ୍ତ୍ରୀ... ରାଜ୍ୟତମାମ ବୁଲୁଥିଲେ ବାବୁ, ଏବେ ମନ୍ତ୍ରୀଙ୍କ ପଛେ ପଛେ ସଚିବ

ଭୁବନେଶ୍ୱର, ୨୬/୦୬ : ମନ୍ତ୍ରୀ ବଡ଼ ନା ସଚିବ ? ନିର୍ବାଚିତ ଜନପ୍ରତିନିଧି ପଦ ମର୍ଯ୍ୟାଦା ବେଶି ନା ସରକାରୀ ବାବୁଙ୍କର? ଗଲା ସରକାର ଅମଳରେ ଏ ପ୍ରଶ୍ନ ଢେର ବିବାଦ ଛିଡ଼ା କରିଥିଲା । ଏ ପ୍ରସଙ୍ଗକୁ ରାଜ୍ୟବ୍ୟାପୀ ଟାଣିଥିଲା ବିଜେପି । ବିଜେପି ନେତା ବୁଲିବୁଲି ପ୍ରଚାର କରିଥିଲେ-ରାଜ୍ୟରେ ଚାଲିଛି ବାବୁ (ଅଫିସର) ରାଜ । ନିର୍ବାଚିତ ଜନପ୍ରତିନିଧିଙ୍କ ପଦମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରି ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଦଳିମକଚି ଦିଆଯାଉଛି । ବିଜେପି କ୍ଷମତାକୁ ଆସିଲେ ବାବୁରାଜ ହଟିବ । ସମ୍ବିଧାନର ଶାସନ ପ୍ରତିଷ୍ଠା ହେବ । ଏ ପ୍ରସଙ୍ଗ ଲୋକଙ୍କ ମନକୁ ଛୁଇଁଥିଲା । ବାବୁରାଜ ବିରୋଧରେ ଲୋକେ ଭୋଟ ବର୍ଷା କଲେ । ରାଜ୍ୟରେ ଏବେ ନୂଆ ସରକାର । ପ୍ରତିଦିନ ମୁଖ୍ୟମନ୍ତ୍ରୀଙ୍କ ଘନଘନ କାର୍ଯ୍ୟକ୍ରମ । ମନ୍ତ୍ରୀ କରୁଛନ୍ତି ତନାଘନା ସମୀକ୍ଷା । ଗଣମାଧ୍ୟମ ଆଗରେ ରଖୁଛନ୍ତି ଖୋଲା ବିବୃତି । ଫାଇଲ୍‌ ଧରି ସଚିବମାନେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଆଗରେ ପହଞ୍ଚୁଛନ୍ତି । ପ୍ରଥମ ଦିନରୁ ନୂଆ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ କହୁଛନ୍ତି ଏହା ହେଲା ଲୋକଙ୍କ ସରକାର । ଅଫିସରରାଜ ଚଳିବ ନାର୍ହି । 

ନୂଆ ସରକାରକୁ ମାସେ ହୋଇନି । ନୂଆ ସରକାରଙ୍କ ସାମ୍ନାରେ ଏବେ ବିରାଟ ଚାଲେଞ୍ଜ । ୨୪ ବର୍ଷ ଧରି ରାଜ୍ୟରେ ଚାଲି ଆସିଥିବା ବାବୁରାଜକୁ କେମିତି ଖତମ୍‌ କରିବେ? ଏ ନେଇ କସରତ ଆରମ୍ଭ କରିଦେଇଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର । ସଚିବାଳୟରୁ ବ୍ଲକ କାର୍ଯ୍ୟାଳୟ ଯାଏଁ ଏବେ ଚାଲିଛି ଖୋଳତାଡ଼ । ମନମାନି ଚଳାଇଥିବା ଅଫିସରଙ୍କ ମୁଣ୍ଡ ଉପରେ ଝୁଲୁଛି କାର୍ଯ୍ୟାନୁଷ୍ଠାନର ଖଣ୍ଡା । ପୂର୍ବ ସରକାର ଅମଳରେ ଶାସନ ବ୍ୟବସ୍ଥା ଏମିତି ଥିଲା ଯେ, ବାବୁମାନେ (ଅଫିସର) ସବୁଠି କ୍ଷମତାଶାଳୀ ପାଲଟିଥିଲେ । କିଛି ହାତଗଣତି ଟାଣୁଆ ମନ୍ତ୍ରୀଙ୍କୁ ଛାଡ଼ିଲେ ଅଧିକାଂଶ ମନ୍ତ୍ରୀ ଦିଶୁନଥିଲେ । ଗଣମାଧ୍ୟମ ସାମ୍ନାରେ ବୟାନ ଦେବା ତ ଦୂର କଥା, ଅନେକଙ୍କୁ ନିଜ ବିଭାଗର ସମୀକ୍ଷା ବୈଠକରେ ବି ଦେଖିବାକୁ ମିଳୁନଥିଲା । ବିଜେଡିର ଶେଷ ପାଳିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଅଶୋକ ପଣ୍ଡାଙ୍କୁ ଛାଡ଼ିଦେଲେ ଆଉ କୌଣସି ମନ୍ତ୍ରୀ ଗଣମାଧ୍ୟମକୁ ସାମ୍ନା କରିବାର ସାହସ ଦେଖାଇ ପାରୁନଥିଲେ । ଗଣଶିକ୍ଷା ମନ୍ତ୍ରୀଙ୍କ କଥାକୁ ବିଭାଗ କେତେ ଖାତିର କରୁଥିଲା, ତାହା ନିୟମିତ ବୟାନ କଟାକଟିରୁ ଜଣାପଡ଼ୁଥିଲା । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଥିଲେ । ମାତ୍ର ନା ସେ ବୈଠକରେ ଦିଶୁଥିଲେ ନା କୌଣସି କ୍ଷେତ୍ରରେ । ପୂରା ବିଭାଗର ସର୍ବେସର୍ବା ଥିଲେ ବର୍ଷ ବର୍ଷ ଧରି ବିଭାଗକୁ ମାଡ଼ି ବସିଥିବା ନଗର ଉନ୍ନୟନ ସଚିବ ଜି.ମାଥିଭାଥନମ୍‌ । ତାଙ୍କ ନିର୍ଦ୍ଦେଶ ବିନା ବିଭାଗରେ ଫାଇଲଟିଏ ଘୁଞ୍ଚୁନଥିଲା । ପରିବହନ ବିଭାଗ ମନ୍ତ୍ରୀ ଥିଲେ ଟୁକୁନି ସାହୁ । କିନ୍ତୁ, ନିଷ୍ପତ୍ତି ଓ ଘୋଷଣା କରିବାର ଅଧିକାର ଯେମିତି ମାଡ଼ି ବସିଥିଲେ ପରିବହନ କମିଶନର । ନଗର ଉନ୍ନୟନ ବିଭାଗ ଅଧୀନରେ ସହରରେ ଚାଲୁଥିବା ମୋ’ ବସ୍‌ ବାବଦରେ ମନ୍ତ୍ରୀ କେବେ ମୁହଁ ଖୋଲନ୍ତିନି, ଏହାର ବି ସର୍ବେସର୍ବା ଅଫିସର । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଯିଏ ଥାଆନ୍ତୁ, ସାମ୍ନାକୁ କେବଳ ସ୍ୱତନ୍ତ୍ର ରିଲିଫ କମିଶନର କିମ୍ବା ବିଭାଗୀୟ ସଚିବ ହିଁ ଆସୁଥିଲେ । ବିଡ଼ମ୍ବନା- ଏସଆରସିଙ୍କ ଅନୁମତି ବିନା ତାଙ୍କ କାର୍ଯ୍ୟାଳୟକୁ ପ୍ରବେଶ ଉପରେ ବିଭିନ୍ନ ସମୟରେ କଟକଣା ଲଗାଇଥିଲେ ବାବୁମାନେ । 

ସଚିବାଳୟର ନାଁ ବଦଳାଇ ‘ଲୋକସେବା ଭବନ’ କରିଦେଲେ ବିଜେଡି ସରକାର । ହେଲେ ଲୋକସେବା ଭବନକୁ ଲୋକଙ୍କ ପ୍ରବେଶ ଉପରେ ଲାଗିଗଲା କଟକଣା । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ସାଧାରଣ ଜନତାଙ୍କ ସ୍ୱର ଗଣମାଧ୍ୟମକୁ ଲୋକସେବା ଭବନ ବାରଣ ହେଲା । କୋଭିଡ ଆଳରେ ଗଣମାଧ୍ୟମର ସଚିବାଳୟ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗିଲା । କୋଭିଡ ପଳାଇଲା, କିନ୍ତୁ ପ୍ରତିବନ୍ଧକ ଆଉ ହଟିଲାନି । ରାଜ୍ୟରେ ନୂଆ ସରକାର ଶପଥ ହେବା ମାତ୍ରେ ଏ ପ୍ରତିବନ୍ଧକରୁ ମୁକୁଳିଲା ଗଣମାଧ୍ୟମ । ବିଧାନସଭାକୁ ବି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ପୂର୍ବର ବାବୁରାଜ ବ୍ୟବସ୍ଥା ଲଗାଇଥିଲା ପ୍ରତିବନ୍ଧକ । ଏଯାଏଁ ଫଟୋ ସାମ୍ବାଦିକଙ୍କ ପ୍ରବେଶ ସ୍ୱାଭାବିକ ହୋଇପାରୁନି ବିଧାନସଭା ପରିସରକୁ । ନୂଆ ସରକାର ବାବୁରାଜ୍‌ର ବ୍ୟବସ୍ଥାର ଚେରକୁ ଉପାଡ଼ି ଫିଙ୍ଗିବାକୁ ସଂକଳ୍ପବଦ୍ଧ । ମାତ୍ର ପୁରୁଣା ବ୍ୟବସ୍ଥାର ଚେର ଖୋଜୁ ଖୋଜୁ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସୁଛି । ବିଭିନ୍ନ ବିଭାଗର ମନ୍ତ୍ରୀ କେବଳ ନାଁକୁ ମାତ୍ର ଥିଲେ । ରାଜ୍ୟ ସାରା ପୂର୍ତ୍ତ ବିଭାଗ ବଡ଼ ପ୍ରକଳ୍ପ ହାତକୁ ନେଉଥିଲା । ହେଲେ ପାହାନ୍ତିଆ ପ୍ରକଳ୍ପ ସମୀକ୍ଷା କରୁଥିଲେ ଅଫିସର । 

ସେ ଶ୍ରୀମନ୍ଦିର ପରିକ୍ରମା ହେଉ କି ମା’ ସମଲେଇ ପୀଠର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ମନ୍ତ୍ରୀ କେବେ ଦିଶିନାହାନ୍ତି । ପୂର୍ବ ସରକାର ଅମଳରେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଦେଖା କରିବା ବଡ଼ କଷ୍ଟକର ବ୍ୟାପାର । ତାଙ୍କ ପାଖ କ୍ଷମତାକେନ୍ଦ୍ରଙ୍କ ପାଖରେ ପହଞ୍ଚିବା ବି କାଠିକର ଥିଲା । ସଚିବାଳୟ କଥା ଛାଡ଼ନ୍ତୁ, ଜିଲ୍ଲାପାଳ ଓ ବ୍ଲକ କାର୍ଯ୍ୟାଳୟରେ ବି ମାଡ଼ି ଯାଇଥିଲା ବାବୁରାଜ୍‌ । ଜିଲ୍ଲାପାଳ ଓ ବିଡିଓମାନେ ଏତେ ଦମ୍ଭ ପାଇଥିଲେ ଯେ ନିର୍ବାଚିତ ପ୍ରତିନିଧିଙ୍କୁ ଖାତିର କରୁନଥିଲେ । ଶାସକ ଦଳ ବିଧାୟକଙ୍କୁ ପରୱା ନଥିବାବେଳେ ବିରୋଧୀ ଦଳର ବିଧାୟକଙ୍କ ସ୍ଥିତି ମାରମାର ଦୂର ଦୂର ଥିଲା । ସାଧାରଣ ଲୋକ ଜିଲ୍ଲାପାଳ ଓ ବିଡିଓଙ୍କୁ ଭେଟିବା ସାତ ସପନ ହୋଇଯାଇଥିଲା । ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଲେ ଲାଗୁଥିଲା, ଯେମିତି ବିଡିଓ ହିଁ ସର୍ବେସର୍ବା । ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସମିତିସଭ୍ୟ, ସରପଞ୍ଚମାନେ ବିଡିଓଙ୍କୁ ‘ସାର୍‌/ମ୍ୟାଡମ ସମ୍ବୋଧନ କରି ତାଙ୍କ ଚାରିପାଖେ ଚକ୍କର କାଟୁଥିଲେ । କେଉଁ ପ୍ରକଳ୍ପ କାମର ଟେଣ୍ଡର କିଏ ନେବ, ତାହା ବି ବାବୁରାଜ ସ୍ଥିର କରୁଥିଲା । ଅହଙ୍କାର ଏତେ ଚରମ ସ୍ତରକୁ ଛୁଇଁଥିଲା ଯେ ବିଧାନସଭାରେ ବି ମନ୍ତ୍ରୀ, ବିଧାୟକଙ୍କୁ ଖାତିର କରୁନଥିଲେ ଅଫିସରମାନେ । 

ଅନେକ ସମୟରେ ବିଧାନସଭା ଚାଲିଥିବାବେଳେ ଅଫିସର ଗ୍ୟାଲେରୀରେ ବାବୁମାନେ ବସୁନଥିଲେ । ଏକଥାକୁ ଖୋଦ୍‌ ଗୃହର ସଦସ୍ୟମାନେ ବିଧାନସଭାରେ ଉଠାଉଥିଲେ । ଲାଗୁଥିଲା, ବାବୁରାଜ ବ୍ୟବସ୍ଥାରେ ସମସ୍ତେ ଯେମିତି ନାଚାର ଥିଲେ । ବାବୁରାଜ ଆଗରେ ସଚିବାଳୟ, ବିଧାନସଭା, ମନ୍ତ୍ରୀ, ବିଧାୟକ ସମେତ ସମସ୍ତ ଜନପ୍ରତିନିଧି ଅସହାୟ ଲାଗୁଥିଲେ । ଆଶା-ନୂଆ ସରକାର ବାବୁରାଜକୁ ମୂଳରୁ ଉପାଡ଼ି ଫିଙ୍ଗିବା ସହ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବେ । ନୂତନ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ଆଇଏଏସ୍‌ ସ୍ତରରେ ବ୍ୟାପକ ଅଦଳବଦଳ ହେବ ବୋଲି ଆଶା କରାଯାଉଛି । ଏଥି ପାଇଁ ଭଲ ବିଭାଗ ପାଇବାକୁ ଅଫିସରମାନେ ଏବେ ନେତାଙ୍କ ପଛରେ । ଏଥିରେ ନୂଆ ସରକାର କେତେ ସଫଳ ହେଉଛନ୍ତି ତାହା ଖୁବ୍‌ ଶୀଘ୍ର ଜଣାପଡ଼ିବ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.