ଭୁବନେଶ୍ୱର, ୧୪/୦୮ : ଯୋଜନାରେ ରହିଗଲା ପ୍ରତି ପଞ୍ଚାୟତରେ ପାଠାଗାର । ନୀଳ ନକ୍ସା ଦେଖାଇ ଯୋଜନାକୁ ଭୁଲିଗଲେ ସରକାର । ପୂର୍ବ ସରକାର ଗଲା ପରେ ତାଙ୍କ ସହିତ ଯୋଜନା ବି ଚାଲିଗଲା । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାଠକପାଠିକା । ଗତ ସୋମବାର ରାଜ୍ୟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳନ ଅବସରରେ ଏକ ରାଜ୍ୟସ୍ତରୀୟ ସମାରୋହରେ ଏ ବିଷୟରେ ଆଲୋଚନା ହୋଇଛି । ପୂର୍ବ ସରକାର ପାଠାଗାରକୁ ଆନ୍ଦୋଳନରେ ପରିଣତ କରିବାକୁ ଉଦ୍ୟମ କରିଥିଲେ । ସେଥିପାଇଁ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ଗତ ଜାନୁଆରୀ ୩୦ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଥିଲା ।
ବିଭାଗର ତତ୍କାଳୀନ ସଚିବ କହିଥିଲେ, ପାଠକପାଠିକାଙ୍କୁ ବିଭିନ୍ନ ପାଠ୍ୟପୁସ୍ତକ ପଢ଼ିବାକୁ ଗାଁରୁ ସହରକୁ କିମ୍ବା ଜିଲ୍ଲାସ୍ତରୀୟ ପାଠାଗାରକୁ ଦୌଡ଼ିବାକୁ ପଡ଼ିବନି । ସେମାନଙ୍କ ପାଖରେ ବହି ପହଞ୍ଚିବ ଆଉ ପଢ଼ିବେ ଛାତ୍ରଛାତ୍ରୀ, ଗବେଷକ ଏବଂ ସାଧାରଣ ପାଠକ । ରାଜ୍ୟର ପ୍ରତି ପଞ୍ଚାୟତରେ ପାଠାଗାର ପ୍ରତିଷ୍ଠା ହେବ । ସେଥିପାଇଁ ଓଡ଼ିଶା ସରକାର ପଦକ୍ଷେପ ନେଉଥିବା ସଚିବ କହିଥିଲେ । କିନ୍ତୁ ଗୋଟିଏ ବି କଥା କାର୍ଯ୍ୟକାରୀ ହେଲାନି । ସବୁ ଘୋଷଣା ଆଉ ଯୋଜନାରେ ରହିଗଲା । କେବଳ ଏତିକି ନୁହେଁ, ପାଠାଗାରକୁ ନେଇ ରାଜ୍ୟରେ ଆହୁରି କେତେ କ’ଣ କରିବାକୁ ସରକାର ଯୋଜନା ରଖିଥିଲେ । ପାଠାଗାର ଆନ୍ଦୋଳନକୁ ଜୋରଦାର୍ କରିବାକୁ ରାଜ୍ୟରେ ‘ଗ୍ରନ୍ଥାଗାର ଅଭିଯାନ’ ମଧ୍ୟ ଆରମ୍ଭ ହୋଇଥିଲା । ରାଜ୍ୟର ସବୁ ସ୍ଥାନରେ ଏବଂ ରାଜଧାନୀ ଭୁବନେଶ୍ୱରର ପ୍ରତି ଜୋନ୍ରେ ଗ୍ରନ୍ଥାଗାର ପ୍ରତିଷ୍ଠା ହେବାର ଥିଲା ।
ଏହାଛଡ଼ା ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ୬ଟି ଜୋନ୍ରେ ଅତ୍ୟାଧୁନିକ ଗ୍ରନ୍ଥାଗାର ଓ ପଠନ ଗୃହ ପ୍ରତିଷ୍ଠା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ପ୍ରତି ପାର୍କରେ ଅଭିନବ ଢଙ୍ଗରେ ପାଠାଗାର ସ୍ଥାପନ ଯୋଜନା କରି ଗୋଟିଏ ଦୁଇଟି ମଡେଲ୍ ଦେଖାଇଲେ । ଅଧିକ ସଂଖ୍ୟାରେ ବିଭିନ୍ନ ଶ୍ରେଣୀର ପାଠକଙ୍କୁ ଆକୃଷ୍ଟ ପାଇଁ ସମସ୍ତ ବ୍ୟବସ୍ଥା ସହ ଗ୍ରନ୍ଥାଗାରକୁ ନେଇ ଜନ ଆନ୍ଦୋଳନ ସୃଷ୍ଟି ଲାଗି ସରକାରଙ୍କ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା । କିନ୍ତୁ ଯୋଜନା ପ୍ରବଳ, କାମ ଦୁର୍ବଳ । ଗତ ଫେବ୍ରୁଆରୀ ୧୯ରେ ଭୁବନେଶ୍ୱରସ୍ଥିତ ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ୱସ୍ତରୀୟ ଗ୍ରନ୍ଥାଗାରରେ ପରିଣତ କରିବା ପାଇଁ ଭିତ୍ତିପ୍ରସ୍ଥର ସ୍ଥାପନ ଅବସରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିଲେ । ଏହି ଅବସରରେ ଯେଉଁ ‘ଗ୍ରନ୍ଥାଗାର ଅଭିଯାନ’ ଆରମ୍ଭ କରିଥିଲେ, ତାହା ସେହି ଦିନ ଆରମ୍ଭ ହୋଇ ତା’ପରେ କ’ଣ ହେଲା କେହି ଜାଣିଲେନି ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ପାଇଁ ବି ଯେଉଁ ଯୋଜନା ହୋଇଥିଲା, ତାହା ବି ଫାଇଲ୍ ତଳେ । କେବଳ ରାଜ୍ୟ ଗ୍ରନ୍ଥାଗାରକୁ ବିଶ୍ୱସ୍ତରୀୟ ଗ୍ରନ୍ଥାଗାରରେ ପରିଣତ କରିବାର କାମ ଚାଲୁ ରହିଛି । ଏତଦ୍ ବ୍ୟତୀତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ୧୮ ସୂତ୍ରୀ କାର୍ଯ୍ୟ ଯୋଜନା ଘୋଷଣା ହୋଇଥିଲା । ସେଥିରେ ଥିଲା, ରାଜ୍ୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ପାଇଁ ସର୍ବସାଧାରଣ ପାଠାଗାର ଅଭିଯାନ ଆରମ୍ଭ କରାଯିବ । ଦେଶ ଭିତରେ ଓ ବାହାରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ଏହି ଓଡ଼ିଆ ପାଠାଗାର ସ୍ଥାପନ ପାଇଁ ସହଯୋଗ ଯୋଗାଇ ଦିଆଯିବ । କିନ୍ତୁ କାର୍ଯ୍ୟ କେତେଦୂର ଆଗେଇଛି, ତାହା ସରକାରଙ୍କୁ ଜଣା । କାରଣ ନୂଆ ସରକାରଙ୍କ ଏଜେଣ୍ଡା ଜିଲ୍ଲାସ୍ତରରେ ଇ-ଗ୍ରନ୍ଥାଳୟ ସ୍ଥାପନ ହେବ । ତେଣୁ ହୁଏତ ଏହିସବୁ ପୂର୍ବ ଯୋଜନାଗୁଡ଼ିକ ପାଣି ଫୋଟକା ପରି ମିଳେଇ ଯାଇପାରେ । ଯାହାକୁ ନେଇ ପାଠକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସବୁଠୁ ବଡ଼ ଦୁର୍ଭାଗ୍ୟ ହେଲା³ ଏ ସମ୍ପର୍କରେ କାହାରି ପାଖରେ ଖବର ନାହିଁ । କେହି ଟିପ୍ପଣୀ ଦେବାକୁ ବି ପସନ୍ଦ କରୁନାହାନ୍ତି । ସଂସ୍କୃତି ବିଭାଗ ତ ପୂରା ନିରବ ।