ପ୍ରମୂଖ ଖବର
  • ଅରବିନ୍ଦ କେଜ୍‌ରିଓ୍ବାଲ୍‌ଙ୍କୁ ଆଶ୍ୱସ୍ତି , ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରମିକୋର୍ଟ
  • ||
  • ହେରାପଞ୍ଚମୀରେ ଆଧ୍ୟାତ୍ମିକ ପରିବେଶ: ନନ୍ଦିଘୋଷ ଭାଙ୍ଗିଲେ ମହାଲକ୍ଷ୍ମୀ, ଆଜ୍ଞାମାଳ ପାଇ ଶ୍ରୀମନ୍ଦିରକୁ ବାହୁଡ଼ିଲେ
  • ||
  • ପିଠିରେ ଯନ୍ତ୍ରଣା ଯୋଗୁଁ ଏମ୍ସରେ ଭର୍ତ୍ତି ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
  • ||
  • ଦିଲ୍ଲୀ ମଦନୀତି ସହ ମନି ଲଣ୍ଡରିଂ ମାମଲା, କେଜ୍‌ରିୱାଲଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି
  • ||
  • ଆଗ ପଛ ହୋଇ ଆସିପାରେ ଦୁଇଟି ଲଘୁଚାପ: ୧୩ରୁ ବଢ଼ିବ ବର୍ଷା, ଦକ୍ଷିଣରେ ପ୍ରବଳ ଛେଚିବ
  • ||

ସମ୍ବିଧାନରେ ନାହିଁ ପ୍ରାବଧାନ…ତଥାପି ୧୪ ରାଜ୍ୟରେ ୨୩ ଉପମୁଖ୍ୟମନ୍ତ୍ରୀ, କେବେଠୁ ଆସିଲା ଡେପୁଟି ସିଏମ୍‌ କନସେପ୍ଟ ?

ନୂଆଦିଲ୍ଲୀ/ଭୁବନେଶ୍ବର: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ ପରେ ଓଡ଼ିଶାରେ ସରକାର ଗଢ଼ିବାରେ ବିଜେପି ନିଜର ଫର୍ମୁଲା ରିପିଟ୍‌ କରିଛି । ତିନୋଟି ରାଜ୍ୟ ପରେ ଏବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେଇଛନ୍ତି । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ କନକ ବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ନେଇଛନ୍ତି । ବିହାରରେ ନୀତୀଶ କୁମାର ଏନଡିଏକୁ ଫେରିବା ପରେ ସେଠାରେ ମଧ୍ୟ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି । ମହାରାଷ୍ଟ୍ରରେ ମଧ୍ୟ ସମାନ ଫର୍ମୁଲା । ସେଠାରେ ଜଣେ ବିଜେପିରୁ ଏବଂ ଅନ୍ୟ ଜଣେ ଏନସିପିରୁ ଡେପୁଟି ସିଏମ ହୋଇଛନ୍ତି । ଓଡ଼ିଶା ପୂର୍ବରୁ ଆଜି ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଆଉ ତାଙ୍କ ସହ ଜନସେନା ପାର୍ଟିର ଅଧ୍ୟକ୍ଷ ପବନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡୀଙ୍କ ସରକାରରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିଥିଲେ ।

 ବର୍ତ୍ତମାନ ସମୟରେ ୧୪ ରାଜ୍ୟରେ୨୩ ଜଣ ଡେପୁଟି ସିଏମ ଅଛନ୍ତି  । ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ,ହିମାଚଳ ପ୍ରଦେଶ,କର୍ଣ୍ଣାଟକ ଏବଂ ତେଲଙ୍ଗାନାରେ ଜଣେ ଲେଖାଏଁ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ସେହିଭଳି ବାକି ୯ ରାଜ୍ୟ ବିହାର, ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର, ମେଘାଳୟ, ନାଗାଲାଣ୍ଡ ଏବଂ ଉତ୍ତର ପ୍ରଦେଶରେ ରହିଛନ୍ତି ଡବଲ୍‌ ଡେପୁଟି ମୁଖ୍ୟମନ୍ତ୍ରୀ । ସେମାନଙ୍କ ମଧ୍ୟରୁ ୧୫ ଜଣ ଉପମୁଖ୍ୟମନ୍ତ୍ରୀ ବିଜେପିର ହୋଇଥିବା ବେଳେ ୩ ଜଣ କଂଗ୍ରେସ ଏବଂ ୫ ଜଣ ଅନ୍ୟ ଦଳରୁ ଅଛନ୍ତି । 

 ଡେପୁଟି ସିଏମ ପାଇଁ କଣ ରହିଛି ନିୟମ ?

ସମ୍ବିଧାନର ଅନୁଚ୍ଛେଦ ୧୬୩ ଏବଂ ୧୬୪ରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରିମଣ୍ଡଳ ସଂପର୍କିତ ପ୍ରାବଧାନ ରହିଛି ।ଅନୁଚ୍ଛେଦ ୧୬୩ (୧) ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗୋଟିଏ ମନ୍ତ୍ରିମଣ୍ଡଳ ରହିବ । ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ରାଜ୍ୟପାଳ କରିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ମନ୍ତ୍ରିମଣ୍ଡଳର ନିଯୁକ୍ତି ମଧ୍ୟ ରାଜ୍ୟପାଳ କରିବେ । କିନ୍ତୁ ଏହି ଦୁଇ ଅନୁଚ୍ଛେଦରେ ଡେପୁଟି ସିଏମ ଲାଗି କୌଣସି ଉଲ୍ଲେଖ ନାହିଁ । ତେବେ ଉପମୁଖ୍ୟମନ୍ତ୍ରୀ ପଦକୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଭାବେର ଦେଖାଯାଏ । କ୍ୟାବିନେଟ ମନ୍ତ୍ରୀଙ୍କ ଭଳି ଜଣେ ଉପମୁଖ୍ୟମନ୍ତ୍ରୀଙ୍କୁ ସବୁ ସୁବିଧା ସୁଯୋଗ ମିଳେ ।

 କ’ଣ ଡେପୁଟି ସିଏମ ପଦ ଅସାମ୍ବିଧାନିକ ?  

ଚଳିତ ବର୍ଷ ଫେବୃଆରୀ ୧୨ ତାରିଖରେ ଉପମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତିକୁ ନେଇ ନିଜର ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେବି ପାରଦିଓ୍ବାଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଉପମୁଖ୍ୟମନ୍ତ୍ରୀ ପଦ ଅସାମ୍ବିଧାନିକ ନୁହେଁ ବୋଲି କହିଥିଲେ । ତେବ ରାଜ୍ୟରେ ଡେପୁଟି ସିଏମ ନିଯୁକ୍ତି ଅସାମ୍ବିଧାନିକ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ପବ୍ଲିକ ପଲିଟିକାଲ୍‌ ପାର୍ଟି ନାମକ ଏକ ସଂସ୍ଥା । ଏହା ସହ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି ଉପରେ ରୋକ ଲାଗାଇବାକୁ ଦାବି କରିଥିଲା । ହେଲେ ଏହି ଆବେଦନକୁ ଖାରଜ କରିବ ସହ ଉପମୁଖ୍ୟମନ୍ତ୍ରୀ ପଦ ଅସାମ୍ବିଧାନିକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଥିଲେ । 

କେବେଠୁ ଆସିଲା ଡେପୁଟି ସିଏମ କନସେପ୍ଟ ?

ବିଶେଷ କରି ମେଣ୍ଟ ସରକାରରେ ଡେପୁଟି ସିଏମଙ୍କୁ ଦେଖିବାକୁ ମିଳେ। ଭାରତର ପ୍ରଥମ ଡେପୁଟି ସିଏମ ଅନୁଗ୍ରହ ନାରାୟଣ ସିହ୍ନା   ହୋଇଥିଲେ ବୋଲି କୁହାଯାଏ । ସ୍ବାଧୀନତା ପରଠୁ ଜୁଲାଇ ୧୯୫୭ ପର୍ଯ୍ୟନ୍ତ ବିହାରର ଉପମୁଖ୍ୟମନ୍ତ୍ରୀ ରହିଥିଲେ ଅନୁଗ୍ରହ ସିହ୍ନା । ଏହା ପରେ ୧୯୬୭ରେ କର୍ପୁରୀ ଠାକୁର ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ । ୧୯୬୭ ପରେ ପରେ ଏକାଧିକ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଲା। ୧୯୬୭ରେ ଉତ୍ତରପ୍ରଦେଶରେ ଚୌଧୁରୀ ଚରଣ ସିଂହଙ୍କ ନେତୃତ୍ବାଧୀନ ସରକାରରେ ଜନସଂଘ ନେତା ରାମ ପ୍ରକାଶ ଗୁପ୍ତା ଡେପୁଟି ସିଏମ ହୋଇଥିଲେ। ସେହିଭଳି ମଧ୍ୟପ୍ରଦେଶରେ ଜନସଂଘ ନେତା ବୀରେନ୍ଦ୍ର କୁମାର ସକଲେଚା ପ୍ରଥମ ଉପମୁଖ୍ୟମନ୍ତ୍ରୀ ଥିଲେ । ହରିୟାଣାର ପ୍ରଥମ ଡେପୁଟି ସିଏମ ଥିଲେ ଚୌଧୁରୀ ଚାନ୍ଦ ରାମ । 

ଭାରତରେ ଡେପୁଟି ପିଏମ

ଉପମୁଖ୍ୟମନ୍ତ୍ରୀଙ୍କ ଭଳି ଭାରତରେ ଅନେକ ନେତା ଡେପୁଟି ପିଏମ ବି ରହିଛନ୍ତି । ସ୍ବାଧୀନତା ପରେ ଗଠିତ ପ୍ରଥମ ଅନ୍ତରୀଣ ସରକାରରେ ସର୍ଦ୍ଦାର ବଲ୍ଳଭଭାଇ ପଟେଲ ଉପପ୍ରଧାନମନ୍ତ୍ରୀ ଥିଲେ । ତାଙ୍କ ପରେ ମୋରାରଜୀ ଦେସାଇ, ଚରଣ ସିଂହ, ଦେବୀ ଲାଲ  ଏବଂ ଲାଲକୃଷ୍ଣ ଆଡଭାନୀ ଦେଶର ଡେପୁଟି ପିଏମ ହୋଇଥିଲେ । ତେବେ ୧୯୮୯ରେ ଭିପି ସିଂହଙ୍କ ସରକାରରେ ଦେବୀ ଲାଲ ଡେପୁଟି ପିଏମ ହୋଇଥିଲେ । ସେତେବେଳେ ଡେପୁଟି ପିଏମ ପଦ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା । କିନ୍ତୁ ମନ୍ତ୍ରିମଣ୍ଡଳର ବାକି ସଦସ୍ୟଙ୍କ ଭଳି ମଧ୍ୟ ଉପପ୍ରଧାନମନ୍ତ୍ରୀ ବୋଲି ରାୟ ଶୁଣାଇଥିଲେ ସର୍ବୋଚ୍ଚ ଅଦାଲତ ।   

 

  • india
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.