ନୀଳଗିରି,୧୧/୯ : ତିନି ଜଣ କୁନି କୁନି ପିଲା ସହ ନିଜ ପେଟକୁ ଦାନା ଯୋଗାଡ଼ କରିବାକୁ ସକ୍ଷମ ନାହିଁ । ଦାରିଦ୍ର୍ୟତା ସହ ଲଢେଇ କରି ଚାଲିଥିବା ଜଣେ ମହିଳା ଜୀବନ ସହିତ ଜୁଝୁଥିବା ବେଳେ ଏହି ଭଳି ସମୟରେ ଭାଇର ଅକାଳ ଵିୟୋଗ ହେଲା। ଶେଷରେ ଶବକୁ ଅନ୍ତିମ ସଂସ୍କାର ନ କରି ପାରି ପୋତି ଦେବା ଭଳି ଘଟଣା ଘଟିଛି । ଆଉ ଶୁଦ୍ଧି କ୍ରିୟା ପାଇଁ ଗାଁ ଗାଁରେ କାନ୍ଦି କାନ୍ଦି ଭିକ ମାଗିବା ଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଧୋବଶିଳା ପଞ୍ଚାୟତ ଉଡାପଦା ଗାଁରେ ଘଟିଛି ।
ଝୁନୁ ବିନ୍ଧାଣି ନାମକ ମହିଳା ତାଙ୍କ ଭାଇ ରମେଶଙ୍କ ସହ ଏକ ଭଙ୍ଗା ଚାଳିଆରେ ରୁହନ୍ତି। ସ୍ୱାମୀ ଅନେକ ବର୍ଷରୁ କୁଆଡେ ଚାଲିଯାଇଛନ୍ତି। ତାଙ୍କ ସହ ଦୁଇଟି କୁନି କୁନି ଝିଅ ଓ ପୁଅ ମଧ୍ୟ ରହନ୍ତି।ରମେଶର ୫ କିଲୋ ଚାଉଳରେ ଯେତିକି ଦିନ ଘରେ ଖାଇବା ହୁଏ ସେତିକି ଖାଇ ଚଳନ୍ତି । ବାକି ସମୟରେ ଖାଇବାକୁ ନ ପାଇ ଉପବାସରେ ରହୁଛନ୍ତି ଝୁନୁର ପରିବାର । ଗତ ଶୁକ୍ରବାର ରମେଶଙ୍କର ଅକାଳ ବିୟୋଗ ହୋଇଥିଲା । ଅନ୍ତିମ ସଂସ୍କାର ପାଇଁ ଝୁନୁଙ୍କର ସମ୍ବଳ ନଥିବାରୁ ଶେଷରେ ଭାଇର ଶବ ନିଜ ଭାଗ୍ୟକୁ ଆଦରି ପୋତି ଦେଇଥିଲେ ।
ହେଲେ ଅନ୍ତେଷ୍ଟି କ୍ରିୟା ପାଇଁ ଆଜି ଝୁନୁ କୁନି କୁନି ପିଲାଙ୍କ ସହ ଗାଁ ଗାଁରେ ବୁଲି ଭିକ ମାଗୁଥୁବା ଚିତ୍ର ଅଞ୍ଚଳବାସୀଙ୍କ ମନକୁ ଆନ୍ଦୋଳିତ କରି ଦେଇଛି । ଗ୍ରାମବାସୀ ମଧ୍ୟ ଏଭଳି ସମୟରେ ସହଯୋଗର ହାତ ବଢ଼ାଇଛନ୍ତି । ଅଧା ସମୟରେ ପରିବାର ଭୋକ ଉପବାସରେ କାଟୁଥିବାବେଳେ ଗ୍ରାମବାସୀ ଅନେକ ସମୟରେ ସାହାଯ୍ୟ କରନ୍ତି ବୋଲି କହନ୍ତି । ତେବେ ଏଭଳି ଅସହାୟ ପରିବାର ସରକାରୀ ଯୋଜନାଠାରୁ ବହୁ ଦୂରରେ ଅଛନ୍ତି । ଝୁନୁର ଆଧାର କାର୍ଡ ନ ଥିବା ଓ ପଟ୍ଟା ଜାଗା ନ ଥିବାରୁ ଅନେକ ସରକାରୀ ସହାୟତାରୁ ବଞ୍ଚିତ ହୋଇଛନ୍ତି । ଏଭଳି ଦୁଃଖ ସମୟରେ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶାସନିକ ଅଧିକାରୀମାନେ ତୁରନ୍ତି ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି ।